Unknown

 

 

 

 

 

 

 

 

 

 

 

ବଢ଼ିପାଣିର ଦାନ୍ତ

ଡକ୍ଟର ପ୍ରସନ୍ନ କୁମାର ମିଶ୍ର

 

ଉତ୍ସର୍ଗ

 

ମୋର ପରମାରାଧ୍ୟ ପିତୃଦେବ

ସ୍ୱର୍ଗୀୟ ଗଣେଶଚନ୍ଦ୍ର ଅଗ୍ନି ହୋତ୍ରୀ

ପରମ ପୂଜନୀୟା ମାତୃଦେବୀ

ସ୍ୱର୍ଗୀୟା ଲକ୍ଷ୍ମୀ ଦେବୀଙ୍କ

ପବିତ୍ର ସ୍ମୃତିରେ........

ଉତ୍ସର୍ଗୀକୃତ

 

–ପ୍ରସନ୍ନ

Image

 

କୃତଜ୍ଞତା

 

ଏଇ ବହିଟିର ପ୍ରକାଶ ଦିଗରେ ମୋର ବନ୍ଧୁ ନାଟ୍ୟକାର ଶ୍ରୀଯୁକ୍ତ ରମେଶପ୍ରସାଦ ପାଣିଗ୍ରାହୀ ଓ ବିଜୟ ବୁକ୍‌ ଷ୍ଟୋରର ମାଲିକ ଶ୍ରୀଯୁକ୍ତ ଭାସ୍କରଚନ୍ଦ୍ର ପାତ୍ର ସମଧିକ ଯତ୍ନ କରିଛନ୍ତି । ପ୍ରକାଶନର ଗୌରବ ସେମାନଙ୍କ ପ୍ରାପ୍ୟ ।

 

ଅନୁଜ ପ୍ରତିମ ଚିତ୍ର-ରଚୟିତା ଶ୍ରଦ୍ଧେୟ ପ୍ରଭାତକୁମାର ରଥ ଏହି ବହିଟିର ଲକ୍ଷ୍ୟରେ ଏକ ଅର୍ଥପୂର୍ଣ୍ଣ ପ୍ରଚ୍ଛଦ-ଚିତ୍ର ଅଙ୍କନ କରିଛନ୍ତି । ତାଙ୍କୁ ମୋର ଶୁଭ କାମନା ।

 

ଯେଉଁ ଶୁଭେତ୍ସୁ ବନ୍ଧୁମାନେ ଏହି ବହିଟି ପାଇଁ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି ସେମାନଙ୍କ ସହୃଦୟତା ନିକଟରେ ମୁଁ ଋଣୀ । ଇତି ।

 

ଲେଖକ

Image

 

କହି ରଖୁଚି......

 

‘ବଢ଼ିପାଣିର ଦାନ୍ତ’.....

 

୧୯୬୧–ପୂଜା ଅବକାଶରେ ଶାନ୍ତିନିକେତନରେ ଲେଖା । ସେତେବଳେ ମୁଁ ବି.ଏ. ଶ୍ରେଣୀର ଛାତ୍ର ।

 

ବର୍ଷୁଟିଏ ପରେ, ୧୯୬୨-ରେ

 

‘ଆସନ୍ତାକାଲି’ର ପୂଜା ସଂଖ୍ୟାରେ ଓ ପରେ ପରେ ଅନ୍ୟ ସଂଖ୍ୟା କେତୋଟିରେ ପ୍ରକାଶିତ । ପାଠକେ ଆଦର କରିଥିଲେ । ଅଗ୍ରଜ-ପ୍ରତିମ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକମାନେ ଉତ୍ସାହ ଦେଇଥିଲେ । ସେଥିପାଇଁ ତତ୍‌କାଳୀନ, ‘ଆସନ୍ତାକାଲି’ର ସହୃଦୟ ସଂପାଦକ ଶ୍ରୀଯୁକ୍ତ ଯଦୁମଣି ପରିଜାଙ୍କୁ ଆନ୍ତରିକ ଧନ୍ୟବାଦ ।

 

ଆଜି

 

ତେର ଗୋଟି ପୂଜା-ଅବକାଶର ପରେ, ଆଉରି ତେର ବା ତତୋଧିକ ବନ୍ୟାର ପରେ....‘ବଢ଼ିପାଣିର ଦାନ୍ତ’ ବହି ଆକାରରେ ବାହାରୁଚି । ଯୁଗପତ୍‌ କ୍ଷୋଭ ଓ ଖୁସିର କଥା ।

 

ବଢ଼ିପାଣିର ଦାନ୍ତ.....

 

ଗୋଟିଏ ଜାତିର ଅର୍ଥନୈତିକ ଅବସ୍ଥାକୁ ଚର୍ବଣ କରିବା ଭଳି ଯଥେଷ୍ଟ ଶକ୍ତିଶାଳୀ । ବାତ୍ୟା ଓ ବନ୍ୟାର କ୍ରମାଗତ ଶତ୍ରୁତା ଓଡ଼ିଆ ଜାତିର ଅଧୋଗତିର ଦୁଇଟି ପ୍ରଧାନ କାରଣ । ଅଥଚ ଏହି ଶତ୍ରୁ-ଦ୍ୱୟଙ୍କୁ ଭେଟିବା ପାଇଁ ଆମେ ସଂଗଠିତ ହୋଇପାରିନୁ । ଆମେ ନିଷ୍କ୍ରିୟ..... । ସେଇ କାରଣରୁ ଦରିଦ୍ର....., ଏବଂ ଅର୍ଥନୈତିକ ଅନୁନ୍ନତି ସକଳ ପ୍ରକାରର ସାଂସ୍କୃତିକ ଅବକ୍ଷୟ, ଭୀରୁତା, ହୀନମନ୍ୟତା ଓ ଚିନ୍ତା-ଦାରିଦ୍ର୍ୟର କର୍ତ୍ତା ।

 

ନଈ.......

 

ଆମର କୁଟୁମ୍ବ । ସେ ଆମର ଘର ଭିତରର ସୁବିଧା ଅସୁବିଧା । ତା’ର ସହଯୋଗ-ଅସହଯୋଗ କଥା ଆମକୁ ସଜାଡ଼ିବାକୁ ପଡ଼ିବ । ଓଡ଼ିଆ ରାଜନୈତିକ ନେତା ଓ କାରିଗରମାନେ ତତ୍ପରତା ପ୍ରକାଶ କଲେ ଦିନେ ନା ଦିନେ ଆମେ କ୍ରୋଧିଣୀ ନଈମାନଙ୍କୁ ସ୍ନେହମୟୀ ଜନନୀରେ ରୂପାନ୍ତରିତ କରିପାରିବା । ଲୋଡ଼ା ପ୍ରତିଭା । ଲୋଡ଼ା ଆତ୍ମବିଶ୍ୱାସ, କର୍ମଦକ୍ଷତା ଓ ଭବିଷ୍ୟ-ବୋଧ-

 

‘ବଢ଼ିପାଣିର ଦାନ୍ତ’........

 

ମୋର ବାଲ୍ୟକାଳର ସ୍ମୃତି । ବଢ଼ି ଆସିଚି ବୈତରଣୀରେ.....ଯେଉଁ ବୈତରଣୀ ମୋର ପିତୃ-ପିତାମହ-ପ୍ରପିତାମହ, ମୋର ଗ୍ରାମ, ମୋର ଉତ୍କଳର ଅତୀତ ପରି ଓ ବର୍ତ୍ତମାନ ପରି ମୋର ଏକାନ୍ତ ନିଜର । ମୋର ହସ, ଖେଳ, ଅଶ୍ରୁ ଓ ବିପଦର ନିରପେକ୍ଷ ଦ୍ରଷ୍ଟା ସେ । ଏଇ ମୋ ଅନ୍ତରର କେଉଁ ଏକ ନିଭୃତ କୋଣରେ ହୋଇ ବହୁବିଧ ଋତୁର ବୈତରଣୀ ଆଜି ବି ପ୍ରବାହମାନ ।

 

ସହୃଦୟମାନଙ୍କୁ କହି ରଖୁଚି......

 

ଯେ ଓଡ଼ିଆ ସାହିତ୍ୟର ଇତିହାସରେ ଏଇ ଉପନ୍ୟାସର ସ୍ଥାନ ବିଷୟରେ ମୁଁ ଚିନ୍ତିତ ନୁହେଁ । ମୁଁ ଚିନ୍ତିତ ବନ୍ୟା-ବ୍ୟାଧିତ ଉତ୍କଳର ଭବିଷ୍ୟ ବିଷୟରେ । ଯେଉଁ ଶହ ଶହ ଶିଶୁ ଓ ଜନନୀମାନେ ପ୍ରାକୃତିକ ନିର୍ଯ୍ୟାତନାରେ ପୀଡ଼ିତ ଲୋକମାନଙ୍କ ପ୍ରତି ଆମର ଜାତୀୟ କର୍ତ୍ତବ୍ୟ ଘେନି ବୌଦ୍ଧିକ-ମହଲରେ ଚିନ୍ତାର ଉଦ୍ରେକ କରାଇବା ମୋର, ଏଇ, କ୍ଷୁଦ୍ର ରଚନାଟିର ଲକ୍ଷ୍ୟ । ଜଗତର ଜୟ ହେଉ । ଇତି ।

 

ପ୍ରସନ୍ନକୁମାର ମିଶ୍ର

Image

 

ବଢ଼ିପାଣିର ଦାନ୍ତ

(୧)

 

ଗତକାଲି ସକାଳେ ସୁମି ନଈଆଡ଼କୁ ଯାଇଥିଲା;–ରଗଡ଼ା ଧଳାବାଲି ଦେଖି ଆସିଚି । ପରିଷ୍କାର ଚିନିଦାନା ପରି ହେବ । ବାଲି ଆଡ଼େଇ ତା ଭିତରୁ ଛୋଟ ଶୁଖିଲା ଗେଣ୍ଡାଖୋଳ, କଳା କଳା ପାତି ଖପରା, ଗୋଲ ଗୋଲ ଗୁଡ଼ି ଖୋଜିବା ସୁମିର ନିତିଦିନିଆ ଅଭ୍ୟାସ । ଏ ଅନୁସନ୍ଧାନ ପଛରେ ଏକ ରହସ୍ୟ ଅଛି । ସୁମିର ମାମୁଁଘର ଗାଁ ଉତ୍ତର ଓଡ଼ିଶାରେ । ଗାଁ ପେଟକାଟି ବହିଯାଇଛି ସୁବର୍ଣ୍ଣରେଖା ନଈ । ସେ ନଈର ବାଲି ବୈତରଣୀ ବାଲିପରି ସୁନ୍ଦର ଚକ୍‌ଚକ୍‌ । ତାର ମାମୁଁ କହୁଥିଲେ–ସେଥିରୁ ସୁନା ମିଳେ । ଅବଶ୍ୟ ଖୋଜି ଖୋଜି ସୁମି ଥରେ ହେଲେ ସୁବର୍ଣ୍ଣରେଖାରୁ କିମ୍ବା ବୈତରଣୀ ନଈରୁ ପାଇନାହିଁ । ହେଲେ, ଅବିଶ୍ୱାସ ବି କରି ହେଉଚି କେଉଁଠି ? ମାମୁଁଘର ଗାଁର ଜଣେ ଲୋକ ଏଇମିତି ବାଲିରୁ ସୁନା ଖୁଣ୍ଟି ଖୁଣ୍ଟି ଧନୀ ହୋଇଯାଇଥିଲା । ମାମୁଁଙ୍କ ଗୋଷିମାଙ୍କର ସେତେବେଳେ ପିଲା ବୟସ । ସେକଥା ଶୁଣିଲାବେଳୁ ସୁମିର ବାଲି ପରୀକ୍ଷା ଆରମ୍ଭ ହୋଇଚି । ଦିନ ସଞ୍ଜରେ ସେ ଟୁନୀ ଓ ବୁଲୁଙ୍କ ସହିତ ବାଲିଘର କରି ଖେଳିଲାବେଳେ ବାଲି ଉପରେ ତୀକ୍ଷ୍‌ଣ ନଜର ରଖିଥାଏ । ବାଲି କେତେ ରଙ୍ଗର–କେତେ ଜାତିର–ଧଳ, ଲାଲ, କଳା । ଈଷତ୍‌ ହଳଦିବର୍ଣ୍ଣର ବାଲିଗୁଡ଼ିକ ସୂର୍ଯ୍ୟ କିରଣକୁ ପିଠି କରିଥିଲାବେଳେ ଚକ୍‌ଚକେଇ ଉଠିଲେ ସେ ଖପ୍‌କରି ମାଡ଼ିବସି ଗୋଟାଇ ଆଣେ । ଜିଭରେ ମାରେ, ପୁଣି ହାତରେ ଘଷି ଶୁଙ୍ଘେ–କାଳେ ସୁନାର ବାସନା ମିଳିବ । ସନ୍ଦେହହ ହେଲେ ଘରକୁ ନେଇଯାଏ । ଜାଗରମେଳାରୁ କିଣି ରଖିଥିବା ତାଳପତ୍ର ଟୋକଲିରେ ପୂରେଇ ରଖେ । ବେଳେବେଳେ ମା’କୁ ପଚାରେ ମାଆ, ଦେଖିବୁଟି ସୁନା କି କଣ ? ସୁମି ମା କିଛି ଉତ୍ତର ଦିଅନ୍ତି ନାହିଁ । ବାପାଙ୍କୁ ପଚାରି ମଧ୍ୟ ନିରାଶ ହୁଏ-। ସୁମିବାପା ରାମନନ୍ଦ ଖାଲି ଟିକିଏ ମୁରୁକିହସି କହନ୍ତି–ପାଗଳି । ସୁମିର ମନ ବୁଝେନାହିଁ । ସେ ବାଲିଭରା ଟୋକଲିଟିକୁ ନେଇ ଅମାରତଳ ସନ୍ଧିରେ ଲୁଚେଇ ରଖିଚି । ଆଶା–ମାମୁଁଙ୍କୁ ଭୁଲ ଠିକ୍‍ ପଚାରିବ । ତାର ବାଲି ପରୀକ୍ଷା ବହୁଦିନରୁ ଆରମ୍ଭ ହେଲାଣି ଏବଂ ତାହା ବନ୍ଦ ହୋଇନାହିଁ । କେବଳ ଏଇ ବଢ଼ି ସହସା ଆସି ଆଜି ସୁମିର ବାଲି ସଂଗ୍ରହ ଓ ପରୀକ୍ଷାକୁ ବନ୍ଦକରି ଦେଇଚି ।

 

ସୁମି ଅଧୁଆଣି ନଈକୁ ଚାହିଁ ପ୍ରିୟ ବାଲିଗୁଡ଼ିକର ଦୁରବସ୍ଥା ଘେନି ଚିନ୍ତା କରୁଥିଲା । ଆହା–ବିଚରା ବାଲିଗୁଡାକ । ପାଣିରେ ଏତେବେଳଯାଏଁ ବୁଡ଼ିରହି କେତେ କଷ୍ଟ ପାଉ ନଥିବେ ? ସେ ନିଜେ ପାଣିରେ ଏକ ମିନିଟିରୁ ଅଧିକ ସମୟ ବୁଡ଼ିରହି ପାରେ ନାହିଁ । ତାର ବୁଲୁ ନନା, ସିଏ ନିଜେ ଓ ଟୁନୀ ଏକାସାଙ୍ଗରେ ବୁଡ଼ନ୍ତି;–କିଏ କେତେ ସମୟ ଧରି ପାଣି ଭିତରେ ରହିପାରିବ ପରୀକ୍ଷା କରିବାକୁ । ସୁମି ଅଣନିଃଶ୍ୱାସୀ ହୋଇ ଉଠିପଡ଼ିଲାବେଳକୁ ଦେଖେ–ବୁଲୁ କି ଟୁନୀ ଉଠି ନାହାନ୍ତି । ସେ ପୁଣି ବୁଡ଼େ ଏବଂ ପରେ ଉଠେ । ସେତେବେଳକୁ ଟୁନୀ ଉଠିସାରିଥାଏ, ବୁଲୁ ତେବେ ବି, ପାଣି ଭିତରୁ ହାବୁକା ଉଠାଉଥାଏ । ଫଳରେ ପାଣିରେ ବୁଡ଼ି ରହିବା ପ୍ରତିଯୋଗିତାରେ ସୁମି ହୁଏ ଦ୍ୱିତୀୟ । ସୁମି କିନ୍ତୁ ପରେ ସ୍ୱୀକାର କରେ ଯେ ସେ ଠକେଇଥିଲା । ଠକେଇ ପାରିଥିବା ଯୋଗୁଁ ସେ ଅନେକଥର ଆତ୍ମବାହାବା ନେଇଚି । ପରେ ପରେ ବୁଲୁ ମଧ୍ୟ ମାନିଯାଏ ସେ ଆଗ ଉଠି ପୁଣି ବୁଡ଼ିଯାଇଥିଲା । ଶେଷକୁ ଟୁନୀ ହୁଏ ପ୍ରଥମ । କିନ୍ତୁ ଏଇ ବାଲିଗୁଡାକର ସମସ୍ତଙ୍କଠୁଁ ବେଶି ସମୟ ବୁଡ଼ି ରହିବାର କ୍ଷମତା ଅଛି ।

 

ସୁମି ନଈବନ୍ଧର ନେଳିଘାସ ଉପରେ ଠିଆହୋଇ ଅନେଇ ଥିଲା–ନଈର ପ୍ରଶସ୍ତ ଛାତିକୁ । କାହିଁ କେଉଁ ଦୂର ଦୂରାନ୍ତର ରାଇଜରୁ ଭାସି ଆସୁଚି ଫେଣମାଳା । କେତେ ରକମର, କେତେ ଆକୃତିର-ଲମ୍ବା, ଗୋଲାକାର, ତୀରଭଳି, ଚାରିକୋଣିଆ । କେହି ଜରରେ ପଡ଼ିଲେ ତାଙ୍କ ଘରକୁ ଦୋବଲ ବଜାରରୁ ପାଉଁରୁଟି କିଣାହୋଇ ଆସେ । ଆଜି କିନ୍ତୁ ନଈ ପାଣିରେ ଭାସି ଆସୁଚି ଅଜସ୍ର ପାଉଁରୁଟି । ପାଉଁରୁଟି କମ୍ପାନୀ ରାଗରେ ନଈରେ ନିଜ ବ୍ୟବସାୟ ଉଜାଡ଼ି ଦେଇଚି ଅବା !

 

ସୂର୍ଯ୍ୟ ବୁଡ଼ିବାକୁ ଆହୁରି ବହୁବେଳ ବାକୀ । ଆକାଶ ମେଘ-ହୀନ, ନିର୍ମଳ; ନୀଳ ବନାରସୀ ପାଟ ଭଳି ଝଟକୁଛି । ସୁଲୁ ସୁଲୁ ବାଆ; ବେଶ୍‌ ଆରାମଦାୟକ । ଝାଳବୁହା ଦିନରେ ଏପରି ବତାସି ସଭିଏଁ ଖୋଜିଥାନ୍ତି । ସୁମିର ଫ୍ରକ୍‍କାନି ଶିହରି ଉଠିଲା ।

 

ପୃଥିବୀ ଭାରି ଭୋର ଦେଖାଯାଉଚି । ତିର୍ଯ୍ୟକ ସୂର୍ଯ୍ୟକିରଣ ବହଳ-ସବୁଜ-ଗହଳ ପତ୍ର ଗଛ ଭିତରେ ପଥବାହି ସୃଷ୍ଟିକରିଚି ଅପୂର୍ବ ଚିତ୍ର ମନ୍ଦିର । ସୁମିକୁ ସୁଖ ଲାଗିଲା । ପ୍ରତିବର୍ଷ ଏଇମିତି ନଈରେ ପାଣିଆସିବା ଦିନଗୁଡାକ ତାକୁ ଭାରି ଆନନ୍ଦ ଲାଗେ ।

 

ସୁମିର ଯଥେଷ୍ଟ ବଳଥିଲେ–ବର୍ତ୍ତମାନ ନଈ ପାଣିରେ ଗାଧୁଅନ୍ତା, ବୁଡ଼ନ୍ତା, ସୁଅକାଟି ଦଣ୍ଡିକିରୀ ମାଛପରି ପହଁରନ୍ତା । ଏବେ ସୁମିର ସାହସ ହେଉନାଇଁ । ଗତବର୍ଷ ନାହାକ ସାଇର ଛୁଆଟିଏ ଏଇ ନଈବନ୍ଧରେ ଖେଳୁ ଖେଳୁ ଖସିପଡ଼ି ଭାସି ଯାଇଥିଲା । ସେଥିଲାଗି ସୁମିର ଭୟ । କାଳେ ଭାସିଯିବ ?

 

ହଃ–; କାହିଁକି ସେ ଓହ୍ଲେଇବ ତଳକୁ ? ବଢ଼ିପାଣି କଣ ସୁମିଘର ଦାଣ୍ଡଦୁଆରକୁ ଯିବ ନାହିଁକି ? ସେଇଠି ସୁମି ଖେଳିବ, ମନଇଚ୍ଛା । ଘରପାଖ ତ ମା, ବାପା ସମସ୍ତେ ଥିବେ;–ସେତେବେଳେ ଆଉ ବଢ଼ିପାଣି ତାକୁ ଭସେଇ ନେଇପାରିବ ନାଇଁ । ବାସ୍ତବିକ, ପ୍ରତିବର୍ଷ କାଦୁଅ ପାଣିରେ ଲସର ପସର ହେବାକୁ ସୁମି ଭାରି ଭଲପାଏ । ମା ସିନା ମନାକରେ–ଏ ସୁମୁ ! ଆଲୋ ଓହ୍ଳାନା ନଈକୁ ଓହ୍ଲାନା କହୁଚି; ବାୟାଣୀଟା ପରା–ଜର, ସର୍ଦ୍ଦି ହେବ; ମୁଣ୍ଡ ବିନ୍ଧିବ । ସୁମି ମାନେନାଇଁ;–ଏଡ଼େ ସୁନ୍ଦର ବଢ଼ିପାଣିକୁ ଉପଭୋଗ ନ କରି ଛାଡ଼ନ୍ତା କେମିତି ? ସେ ଦାଣ୍ଡର ଆଣ୍ଠୁଆଣୀ ସୁଅକୁ ଓହ୍ଲେଇ ପଡ଼େ । ଟୁନୀ ବି ଆସେ । ଟୁନୀ ତାକୁ ପେଲିଦେଲେ ସେ ବି ଟୁନୀକୁ ପେଲିଦିଏ । ସେ ସମୟର ମଜା କଥାରେ କହିହେବ ନାଇଁ । ପିଣ୍ଡା ଉପରେ ବସି ତଳକୁ ହାତ ବଢ଼େଇଲେ ପାଣି । ସେମାନେ କାଗଜ ଡଙ୍ଗାକରି ଖେଳନ୍ତି । ଡଙ୍ଗା ଅଗରେ ଖଣ୍ଡେ ଲେଖା ଲମ୍ବା ସୂତା ବାନ୍ଧି ସୁମି ସୁଅରେ ଛାଡ଼ିଦିଏ; କିଛି ଦୂର ଭାଗିଗଲାପରେ ପୁଣି ଟାଣିଆଣେ । ଏପରି ମଙ୍ଗୁଆଳ ସାଜିବାରେ ତାର ଭାରି ଉତ୍ସାହ ।

 

‘‘ହେ ଭଗବାନ, ଏବର୍ଷ ଦାଣ୍ଡ ଦୁଆରକୁ ବଢ଼ିପାଣି ନେଇଆସ, ସୁଅ ପକେଇ ଦିଅ’’–ସୁମି ମନେ ମନେ ସରଳ କଣ୍ଠରେ ଜଣେଇଲା । ସେ ନିଶ୍ଚୟ କରି ଜାଣେ–ଭଗବାନ ଅଜ୍ଞାନ ସାନ ପିଲାଙ୍କ କଥା ଆଗକରି ଶୁଣନ୍ତି । ପ୍ରହ୍ଲାଦ ଡାକରେ ପରା ଖୁଣ୍ଟ ଭିତରୁ ବାହାରି ପଡ଼ିଥିଲେ । ସୁମିକୁ ତ ମାତ୍ର ନଅବର୍ଷ । ଆଜି ସେ ମନେକରି ମା’କୁ ପଚାରିବ–ପ୍ରହ୍ଲାଦକୁ ସେତେବେଳେ କେତେ ବର୍ଷ ହୋଇଥିଲା ।

 

ନଈପଠାରେ ଭଲହୁଏ କଦଳୀ, ବାଇଗଣ, ବୋଇତାଳୁ ଓ ଲଙ୍କା ମରିଚ । କେହି କେହି ଝୋଟ ଚାଷ ବି କରନ୍ତି । ସୋରିଷ ଭଲହୁଏ ଶୀତଦିନରେ । ନଈ ଭିତରେ ଠିଆହୋଇ ପଠା ଉପରକୁ ଚାହିଁଲେ ବାହାଘରିଆ ମଙ୍ଗଳପାଗ ଶାଢ଼ୀ ଶୁଖେଇଲା ଭଳି ଦିଶେ । ପଠା ଉପରୁ ବାଲି ଭିତର ପର୍ଯ୍ୟନ୍ତ କଣ୍ଟା ବାଉଁଶ କଣିର ବାଡ଼ ବସିଥିଲା–ଗାଈଗୋରୁ ଉପଦ୍ରବରୁ ଫସଲ ରକ୍ଷା ଲାଗି-। ନଈରେ ପାଣି ଆସିବାରୁ ବାଡ଼ଗୁଡ଼ିକ ସୁଅ ମୁହଁରେ ‘ଉପୁଡ଼ିବ–ଉପୁଡ଼ିବ ହେଇ ଉପୁଡ଼ିଲା’ ସଂକଟରେ ପଡ଼ି ଚିତ୍କାର କରୁଛନ୍ତି । ସୁଅ ମୁହଁରୁ ଉଦ୍ଧାର ଲାଗି ବନ୍ଧ ଉପରେ ଭେଣ୍ଡା ଟୋକାଗଣ ପାଇକଛା ଭିଡ଼ି ସଜ ହେଲେଣି । ବର୍ଷା ଦିନରେ ଜାଳକଷ୍ଟ । ଅତି କମରେ ସପ୍ତାଏତ ଜଳିବ ।

 

ନାହାକ ଘର ବାଡ଼ ପଟକ ଆଗରୁ ଉପୁଡ଼ି ଆସି ଦାସଘର ବାଡ଼ରେ ଲାଗିଯାଇଚି । ମଧୁଦାସେ ତାକୁ ନିଜର ବୋଲି ଦାବୀ କରୁଛନ୍ତି । ଆରମ୍ଭ ହୋଇଯାଇଚି କଳି । ପାଟି ତୁଣ୍ଡ ଶୁଭୁଚି-। ନାହାକେ କିନ୍ତୁ ଛାଡ଼ିବା ଲୋକ ନୁହନ୍ତି । ସେ ଠେଙ୍ଗାଧରି ହାଜର । ତାଙ୍କ ସହିତ ଦୁଇଟା ଭେଣ୍ଡା ପୁଅ;–ଡର କଣ ? ଦର୍କାର ପଡ଼ିଲେ ମଧୁଦାସଙ୍କ ଚନ୍ଦାମୁଣ୍ଡ ଦେଖି ପାହାରେ କଷିଦେବାକୁ ସେ ସଦାସର୍ବଦା ପ୍ରସ୍ତୁତ ।

 

ଏ କଳହ ସୁମି ପ୍ରତି ବିରକ୍ତିକର । କଳି ଲାଗିଥିବା ସ୍ଥାନରେ ଠିଆ ନ ହେବାକୁ ସୁମିକୁ ବାପା ମନା କରିଛନ୍ତି । ରାଗ ବେଳେ ଲୋକଙ୍କର ଭଲ ମନ୍ଦ ଜ୍ଞାନ ନଥାଏ । କେତେବଳେ କେଉଁ କଥା ଘଟିବ କିଏ ଜାଣେ । ଗତ ବର୍ଷ ଦାସ ସାଇର ଚକରା ନଈ ବନ୍ଧ ଉପରେ ରଙ୍କ ନାହାକ ବୁଢ଼ାଟାକୁ ମାରି ଶୁଆଇ ଦେଲା । ବୁଢ଼ାଟାର ଦୋଷ ବା କ’ଣ ? ଚକରା ଘର ବାଡ଼ିରୁ ଲୁଚେଇ ବାଇଗଣ ଦି’ଟା ନେଇ ଯାଉଥିଲା–ୟା’ ଦେଖି ଚକରା ଖପ୍‌ପା । ତା’ ମତରେ ନାହାକ ବୁଢ଼ା କାଳେ ରୋଜ ତର୍କାରୀ ଲାଗି ନେଉ ଥିବାର ସେ ଜାଣିଥିଲା । ଧରା ପଡ଼ି ନଥିଲା କେବେ । ଚକରା ହାବୁଡ଼ରେ ପଡ଼ିଯିବାରୁ ଆଉ ପଳେଇ ଯାଇପାରିଲା ନାହିଁ । ମୂଳିଆ ଠେଙ୍ଗାରେ କଷିକି ଦେଲା ଦି’ପାହାର । ଲୋକେ ହାଁ ହାଁ କଲେ । ସେତେବେଳକୁ ନାହାକ ବୁଢ଼ାର ମୁଣ୍ଡ ଫାଟି ଛେଦା ଛେଦା ରକ୍ତ ବାହାରିଲାଣି; –ବୁଢ଼ାର ପୁଅ ଭାରିଯା ନାତି ପାଖକୁ ଆସୁ ଆସୁ ସେଇ ବନ୍ଧରେ ପଡ଼ି ଅପାଣିଆ ମରିଗଲା । ରାମ ନାମ ବି ଟିକିଏ ଶୁଣି ପାରିଲା ନାଇଁ । ପୋଲିସକୁ ଖବର ଦିଆଗଲା । ଦେଖିଲା ଲୋକେ ସାକ୍ଷୀ ଦେଲେ । ଚକରା ବନ୍ଧା ହୋଇ ‘ଦଶ ବର୍ଷ’ ଜେଲ ଗଲା । ଏଇ ସାକ୍ଷୀ ଦେବା କାମ ଭାରି ଖରାପ । ସୁମି ବାପା ଭାରି ଭୟ ପାଆନ୍ତି । କାହାର ଭଲ ମନ୍ଦ ମକଦ୍ଦମାରେ ଗୋଡ଼ ନ ପୂରେଇବାକୁ ସାବଧାନ ଥାଆନ୍ତି । ଏକ୍ଷଣି ଯଦି ମଧୁଦାସ ଉପରେ ପାହାର ବସିଯାଏ ତେବେ ସୁମିକୁ କ’ଣ ସାକ୍ଷୀ ଦେବାକୁ ହେବ ? ସେ ତ ଛୁଆଟାଏ । ହେଲେ, ଛୁଆଙ୍କ କଥାରେ କାଳେ ପୋଲିସ ଲୋକେ ଭାରି ବିଶ୍ୱାସ କରନ୍ତି । ସେ ଆଈ ପାଖରୁ ଗପ ଶୁଣିଚି–ଦିନେ ସଞ୍ଜବେଳେ ଲତି ବୋଲି ଝିଅଟିଏ ସାଙ୍ଗ ସାଥୀଙ୍କ ସହ ନଈ ବାଲିରେ ଖେଳୁଥିଲା । ସମସ୍ତେ ସମବୟସୀ ଆଠ-ନଅ । ଏତିକିବେଳେ କେହି ଜଣେ ଆସି ଲତିକୁ ମିଠେଇ ଖୋଇବା ବାହାନାରେ କାଖ କରି ନେଇଗଲା, କହିଲା–ଏ ଲତି, ଆ-ଆ ତୋ’ ବାପ ଡକେଇଚି–ମିଠେଇ ଖାଇବୁ । ସେଇ ଲୋକଟି ସେଇ ଗାଁର ଚମାର ଅନାମ । ସମସ୍ତେ ଚିହ୍ନନ୍ତି ତାକୁ । ଲତି ମିଠେଇ ଖାଇବାକୁ ଚାଲିଗଲାରୁ ତାର ସାଙ୍ଗମାନେ ଯେ ଲୋଭେଇ ନ ଥିଲେ ତା’ ନୁହେଁ–କିନ୍ତୁ କରିବେ କ’ଣ ? ଅନାମ ତ ସମସ୍ତଙ୍କୁ ଡାକିଲା ନାହିଁ । ଲତି ବେକରେ ସୁନାହାର ଓ କାନରେ ଦୁଲ୍‌ ଥିଲା । ଅନାମ ଲତିକୁ ମିଠେଇ ଦେଉ ଦେଉ ଅନ୍ଧାରୁଆ ବାଉଁଶ ବଣରେ ଲତିର ବେକକୁ ଚମାରିଆ କଟୁରୀରେ କାଟି ପକେଇଲା ଓ ସୁନାହାର, ଦୁଲ୍‌ ଇତ୍ୟାଦି ନେଇଗଲା । କଥାଟା ଆଉ ଜଣାପଡ଼ିଲା ନାହିଁ । ପିଲାମାନଙ୍କୁ କିଏ କାହିଁକି ସେ ବିଷୟ ପଚାରିବ । ପିଲାଏ ତ ଆଉ ଅନାମ ଲତିକୁ ମାରି ଦେଇଚି ବୋଲି ଜାଣି ନଥାନ୍ତି । ଲତିର ବାପ-ମା ଶବ ପାଇ ମୂର୍ଚ୍ଛାଗଲେ–ପୋଲିସକୁ ଖବର ଗଲା । ଅନାମକୁ ବା କିଏ କାହିଁକି ସନ୍ଦେହ କରିବ ? ସେତିକିବେଳେ ଓଡ଼ିଶାକୁ ନୂଆ କରି ଲଣ୍ଠନ ଆସିଥାଏ । ତା’ ଆଗରୁ ଲୋକେ ଡିବାଜଳା ହାରିକିନୀ ବ୍ୟବହାର କରୁଥିଲେ । ଲଣ୍ଠନ ପରି ସହଜ, ସୁନ୍ଦର–କମେଇବା ବଡ଼େଇବା ଲାଗି ଉପାୟ ଖଞ୍ଜା ଓ ବେଶି ସଫା ଆଲୁଅ ଦେଲାବାଲା ବସ୍ତୁର ଆବିଷ୍କାର ହେଲାରୁ ଲୋକେ ସୁବିଧାରେ ଆଲୁଅ ଧରି ପବନ ହେଉଥିଲେ ବି ଚଳପ୍ରଚଳ କରିପାରୁଛନ୍ତି । ଏଇ ଲଣ୍ଠନ ସେତେବେଳେ ଗାଁକୁ ଥିଲା ଏକପ୍ରକାର ଯାଦୁ ଯନ୍ତ୍ର । ଛୁଆଙ୍କର ବେଶି କୌତୁହଳ–କଳ ମୋଡ଼ିଲାକ୍ଷଣି ଆଲୁଅ ଶିଖା ବି କିପରି ତଳ ଉପର ହେଉଚି ଦେଖିବେ । ଲତି-ହତ୍ୟାର ଅନୁସନ୍ଧାନ କରି ପୋଲିସ ଅଫିସର ନକଲି ସାଧୁ ବେଶରେ ଗାଁରେ ପହଞ୍ଚିଲେ । ସାଙ୍ଗରେ ଆଣିଥାନ୍ତି ଚକ୍‍ଚକିଆ ଲଣ୍ଠନଟିଏ । ଦିନେ ସଞ୍ଜବେଳେ ଛୁଆଙ୍କ ମେଳରେ ନକଲି ସାଧୁ ଲଣ୍ଠନଟି ଧରିବସିଲେ । କୌଣସି ବୁଢ଼ା କି ଟୋକା ସେଠି ନ ଥାନ୍ତି । ଛୁଆମାନେ ଖୁବ୍‌ ଆନନ୍ଦରେ ଲଣ୍ଠନ ଜଳିବାକୁ ଚାହିଁଥାନ୍ତି । ସାଧୁ ପଚାରିଲେ–ଆରେ ପିଲେ, ତୁମେ ଲତିକୁ ଚିହ୍ନିଥିଲ । ପିଲାଏଁ ହଁ ଭରିଲେ । ତା’ ଭିତରୁ ଜଣେ ଆଗତକହୀ କହିପକେଇଲା–ଲତି ମୋର ସବୁଠୁଁ ବେଶି ସାଙ୍ଗ ଥିଲା । ଆମେ ସବୁବେଳେ ବାଲିଘର କରି ଖେଳୁ । ତା’ ଭିତରୁ ଆଉ ଜଣେ ଆକ୍ଷେପ କରି କହିଲା–ଇସ୍‌, ମିଶୁଥିବ ତୋ’ ସାଙ୍ଗରେ ସେ ? ହେଇତ ଯେଉଁଦିନ ଅନାମ ଚମାର ଡାକିଲା ନା ଆଗ ? ମୋତେ ତ ଆହୁରି ଆଖିଠାରୁଥିଲା–ଆଲୋ–ଆ ମୋ’ ସାଙ୍ଗେ । ମୁଁ ସିନା ଗଲି ନାଇଁ । ଯାଇଥିଲେ ତ ସାଙ୍ଗ ହୋଇ ମିଠେଇ ଖାଇଥାନ୍ତୁ । ସାଧୁଙ୍କୁ ହଠାତ୍‌ ବୁଦ୍ଧି ଦିଶିଲା । ଅନାମ ଚମାର ତାକୁ ମିଠେଇ ଖୋଇବା ଲାଗି ନେଲା କାହିଁକି–ଏବଂ ସେ କିଏ ? ସେ ପଚାରିଲେ–ଆରେ ସେ ଅନାମ ଚମାର କିଏ ? କ’ଣ ଏଇ ଗାଁର ଲୋକ ? ‘‘ହଁ’’–ପିଲାଏ ଉତ୍ତର ଦେଲେ । ତା ପରେ ପିଲାଙ୍କ କଥା ବିଶ୍ୱାସ କରି ନକଲି ସାଧୁ ଅନାମ ଚମାରକୁ ଜେରା କଲେ–କଥା ଧରା ପଡ଼ିଲା । ପୋଲିସ ଅଫିସର ଜଣକ ଛୁଆଙ୍କ ଉପରେ ଖୁସି ହୋଇ ସବୁ ଛୁଆଙ୍କ ପାଇଁ ଏକ ଏକ ଲଣ୍ଠନ ସରକାର ତରଫରୁ ଉପହାର ଦେଇଯାଇଥିଲେ । ଏଇମିତି ସୁମିକୁ ଯଦି ୟାଙ୍କ କଳି ଓ ଫଳାଫଳ ବିଷୟରେ ସାକ୍ଷୀ ଦେବାକୁ ପଡ଼େ–ତେବେ ସେ ହଇରାଣ । ପୋଲିସକୁ ଦେଖିଲେ ସୁମିକୁ ଡର ଲାଗେ । ନାଲ ପଗଡ଼ି ସାଙ୍ଗରେ ହାତର ସେଇବାଡ଼ି–ଖାଇଗଲା ଭଳି ବୋଧହୁଏ । ପୋଲିସ ସାମ୍ନାରେ ଠିଆହୋଇ ସେ. ନିଶ୍ଚୟ କଥା କହିପାରିବ ନାଇଁ–ପାଟି ଖନି ମାରି ଆବୁରୁ ଜାବୁରୁ ହୋଇଯିବ । ତୁ କାହିଁକି ସେଠି ଠିଆ ହୋଇଥିଲୁ କହି ବାପା ମାରିବେ । ତା’ଛଡ଼ା ମା’ କହିଥିଲା–ସୁମି ଲୋ, ବେଶି ବେଳଯାଏ ରହିବୁ ନାଇଁ ବନ୍ଧ ଉପରେ । ସାଙ୍ଗେ ସାଙ୍ଗେ ଫେରି ଆସିବୁ । ମୁଁ ବଡ଼ି ଚୁରି, ପିଆଜ ଛଡ଼େଇ ରଖିଚି–ଆସିଲେ ପଖାଳ ଖାଇବୁ ।

 

ସୁମି ଠିକ୍‌ କଲା ଫେରିବ ଘରକୁ । ପଖାଳ ଖାଇ ସାରି ଦିନ ରତ ରତ ବେଳକୁ ପୁଣି ଥରେ ଆସି ବୁଲିଯିବ । ଘରକୁ ଲେଉଟିବା ପୂର୍ବରୁ ସୁମି ପ୍ରାର୍ଥନା କଲା–‘‘ହେ ମହାପୁରୁ, କାଲି ସକାଳକୁ ଯେମିତି ଦାଣ୍ଡଦୁଆର ମୁହଁରେ ପାଣି ହୋଇଥାଉ ।’’ ସମସ୍ତେ କହୁଛନ୍ତି–ନଈ ଖୁବ୍‌ ଜୋର୍‌ ବଢ଼ୁଚି । ବଢ଼ନ୍ତାକି, ବଢ଼ନ୍ତାକି, ବଢ଼ନ୍ତାକି ।

 

(୨)

 

ବନ୍ଧ ଉପରୁ ପାଦେ ଦୁଇପାଦ ତଳକୁ ଗଡ଼ିଚି କି ନାହିଁ ସୁମି ଦୂରରେ ଟୁନୀକୁ ଦେଖିଲା । ଏକା ଟୁନୀ ନୁହେଁ–ଟୁନୀ ସାଥିରେ ବୁଲୁ ବି ଆସୁଚି । ତାଙ୍କୁ ଦେଖି ସୁମିର ଆଉ ଫେରିବାକୁ ମନ ହେଲା ନାହିଁ । ସାଙ୍ଗ ହୋଇ ବଢ଼ିପାଣି ଦେଖିବାକୁ ଭାରି ମଜା ଲାଗେ । ସୁମିର ମା’ ଅବଶ୍ୟ ଚଞ୍ଚଳ ଫେରିଯିବାକୁ ତାଗିଦ କରି କହିଥିଲେ । ସୁମି କିନ୍ତୁ ଏବେ ଅବାଧ୍ୟ ହେବାକୁ ବାଧ୍ୟ । ବନ୍ଧ ଉପରୁ ଓହ୍ଲାଇବାକୁ ଆଉ ତା’ର ପାଦ ଚଳିଲା ନାହିଁ । ସେ ଜାଣେ–ମା’ ରାଗିବ । କିଛି ହାତରେ ନ ପଡ଼ିଲେ ପିଠାଖଡ଼ିକାରେ ଦୁଇପାହାର ବାଡ଼େଇ ଦେବ । ହଃ–ମାଆ ମାଡ଼ କୁଆପାଡ଼ । ସୁମିକୁ କାଟେ ନାଇଁ । ପାଞ୍ଚ ମିନିଟ ପରେ ସବୁ ଭୁଲି ହୋଇଯାଏ । ମାଆ ସିନା ମାରେ,–କିନ୍ତୁ ପରେ ଆଉଟି ପାଉଟି ହୁଏ । ରାତିରେ ବେଳେବେଳେ ଲୁହ ଗଡ଼େଇ କାନ୍ଦେ । ଦିନକର କଥା ସୁମିର ପରିଷ୍କାର ମନେ ଅଛି । ବୈଶାଖ ମାସ । ପୁଣି ଦି’ପହର । ଗାଁ ତୋଟାମାଳରେ ଆମ୍ବ ସେଇ ସମୟରେ ପାଚେ । ଖରାବେଳରେ ସୁଲୁସୁଲିଆ ପବନ ବାଜିଲେ ଲାଲଟହଟହ ଆମ୍ବ ଖସିପଡ଼େ । କେତେ ଗାଈଆଳଛୁଆ ଆମ୍ବ ସାଉଁଟି ଯାଆନ୍ତି । ପାରିଲା ପିଲାମାନେ ଫୋପାଡ଼ି ମାରି ଗଛ ଅଗରୁ ବି ଝଡ଼େଇ ଦିଅନ୍ତି । ସୁମିର ଯିବା ପାଇଁ ଲୋଭ ହୁଏ । ବ୍ରାହ୍ମଣ ସାଇ ଝିଅ ହୋଇ ନଥିଲେ–ତା ଯିବାକୁ କେହି ମନା କରି ନଥାନ୍ତେ । ଗାଈଜଗାଳୀ ଝିଅମାନେ ତ ଫେର୍‍ ବୁଲୁଛନ୍ତି; ତାଙ୍କର କିଛି ବନ୍ଧନ ନାହିଁ । ମୁଗଛୁଇଁ ବିରିଛୁଇଁ ଖାଇବା–ଆମ୍ବ ସାଉଁଟିବା–ଖଜୁରୀ ଜାମୁକୋଳି ଖାଇ ଖାଇ ଦିପହରେ ନ ଶୋଇ ବୁଲିବାକୁ କାହିଁ ସେମାନଙ୍କ ବାପା-ମା’ ତ ଆକଟ କରନ୍ତି ନାହିଁ । ଏଥିପାଇଁ ସୁମିର ଅନେକ ସମୟରେ ରାଗ ହୁଏ, ତା’ ମାଆ ଉପରେ । ସୁମି ମା କହନ୍ତି–ବାପା ତ ଦୋବଲ ବଜାରରୁ ବାଇଗଣ ପଲେଇ, ତୋତା ପଲେଇ, ସିନ୍ଦୁରେଇ କେଡ଼େ କେଡ଼େ ମିଠା ମିଠା ଆମ୍ବ ଆଣୁଛନ୍ତି–ତୁ କାହିଁକି ଯିବୁ ଆମ୍ବ ସାଉଁଟିବା ଲାଗି । ଘରେ ଆମର କୋଉ ଛୁଆଗୁଡ଼ା ଭର୍ତ୍ତି ହୋଇଛନ୍ତି ଯେ ତୋ ଭାଗରେ କମ୍‌ ପଡ଼ିଲା । କେତେ ତପସ୍ୟାରେ ଖଣ୍ଡେ ବୋଲି ଝିଅ, ଆଗକୁ ନାହାନ୍ତିକି ପଛକୁ ନାହାନ୍ତି । ତୋରି ଲାଗି ସବୁ ଦିଅଁ, ସବୁ ଦେବତା, ସବୁ ଖର୍ଚ୍ଚ । ଏ ଯେଉଁ ଖରା, ଖାଲି ଅଗ୍ନି ବରଷୁଛି–ଏତେବେଳେ କି କେହି କୁଆଡ଼େ ଯାଆନ୍ତି ? ସୁମି ମା’ ଜବରଦସ୍ତି ସୁମିକୁ ଶୋଇ ପଡ଼ିବାକୁ କହନ୍ତି । ସାନ ଢାଗୁଆ ଘରେ ପଲଙ୍କ ଉପରେ ଶୋଇବାଲାଗି କହି କବାଟ ଆଉଜେଇ ଆଣନ୍ତି । ସୁମି ବାଧ୍ୟ ହୋଇ ଶୁଏ–କିନ୍ତୁ ତା’ର ମନ ଯାଇ ଆମ୍ବଗଛ ମୂଳେ ଥାଏ । ସବୁଦିନ ପରି ସେଦିନ ସୁମି ବିଛଣାରେ ଶୋଇଲା–ଖାଲି ଘାଲେଇଥାଏ, ସେତେବେଳକୁ ଝରକା ଫାଙ୍କରେ ବୁଲୁ ଆସି ଥରେ ଡାକି ଦେଇଯାଇଥାଏ–ଏ ସୁମି ! ଆମେ ଯାଉଚୁ ତୁ ଯିବୁ । ଏଥିରେ ସୁମିକୁ କେବେ ନିଦ ହୁଏ ? ସୁମିକୁ ଶୋଇବାକୁ କହି ସୁମି ମା ଖାଇବାପାଇଁ ଗଲେ । ଏଇ ସମୟରେ କୁନ୍ଦ ଅପା ଆସି ସୁମି ମା’ଙ୍କ ସହ ଗପ ଆରମ୍ଭ କରିଦେଲା । କୁନ୍ଦ ଅପା ବୁଢ଼ୀ ହେଲାଣି-। ଛୁଆଟି ଦିନରୁ ବିଧବା । ଶାଶୁଘର ମାଟି ମାଡ଼ି ନାହିଁ । ଛୁଆଟିବେଳେ ସୁନା ଥାଳିରେ ବସି ବାହା ହୋଇଥିଲା । ଶାଶୁଘରକୁ ଯିବାକୁ ବାହାଘର ଯୋଗାଡ଼ଯନ୍ତ୍ର କରୁଥିଲାବେଳେ ସ୍ୱାମୀ ମରିଗଲେ । ସେଇଦିନରୁ ସେ ବିଧବା ହୋଇ ବାପଘର ଗାଁରେ ରହିଚି । ତାକୁ ସଭିଏଁ ଡାକନ୍ତି କୁନ୍ଦ ଅପା । ଭାରି ଗପୁଡ଼ି । କଥା ଲମ୍ବେଇ ବସିଲେ ରାତି ପୁହେଇ ଦେବ । କି କଥା ଯେ ସେ କହେ–ଆଉ, କି କଥା ଯେ ସେ ନ କହେ–ବୁଝିବା କଷ୍ଟ । ଖଡ଼ା ଶାଗ କିଆରୀ କଥା କହୁ କହୁ ବନାରସୀ ପାଟ ଯାଏଁ କଳ୍ପନା ବୁଲେଇ ଦିଏ । ସୁମି ଭାବିଲା–ଠିକ୍‌ ଏଇ ସୁବିଧା ବେଳ । କାଇଦା କରି ଘରୁ ବାହାରିଗଲେ ଆମ୍ବ ତୋଟାରେ ସୁନ୍ଦର ଖେଳ ହେବ । ସେ ଆସ୍ତେ ଆସ୍ତେ ଖଟରୁ ଓହ୍ଲେଇ ଚାହିଁଲା–ମା’ ବାଡ଼ିଆଡ଼କୁ ପିଠି କରି ଖାଇ ବସିଚି । ତା’ରି ପଛ ଦେଇ ବାଡ଼ି ଦୁଆରକୁ ଚାଲିଗଲେ ଜାଣିପାରିବ ନାଇଁ । ବଡ଼ ସାବଧାନ । ଜାଣିପାରିଲେ ପିଠି ଫଟେଇଦେବ । ତଥାପି ସୁମିର ସାହସ କମ୍‌ ନୁହେଁ । ଧୀରେ ଧୀରେ ପାଦ ଟିପି ଟିପି ଯାଇ ସେ ଅକ୍ଳେଶରେ ମା’କୁ ପାରି ହୋଇଗଲା; କିନ୍ତୁ ବାଡ଼ିକବାଟ ଏକ ଅଦ୍ଭୁତ ପ୍ରକାରର ଶବ୍ଦ କରେ । ସୁମି କବାଟ ଖୋଲିବା ଆରମ୍ଭ କଲାକ୍ଷଣି ଶୁଭିଲା–କେଁ କେଁ କେଁ କଟ୍‌-କଟ୍‌-କଟ୍‌ । ସୁମିମା ବୁଲି ଚାହିଁଲେ । ସୁମି କିଛି ନ ଜାଣିଲା ପରି ଚୁପ୍‌ ହୋଇ ଠିଆ ହୋଇଗଲା । ସୁମି ମା କହିଲେ–‘କିଲୋ, ଶୋଇକି ଉଠିଲୁକି ବାୟାଣୀ । ’

 

ସୁମିର ସବୁ ଯୋଜନା ଏକାବେଳକେ ମାଟି । ବାଡ଼ିକବାଟକୁ ସେ ମନଇଚ୍ଛା ଗାଳି ଦେଲା । ହଠାତ୍‌ ଏକ ବୁଦ୍ଧି ଦିଶିଲା ତାକୁ–ସେ କହି ପକେଇଲା–ଝାଡ଼ା ଯାଉଚି । ସୁମି ମା ସାଙ୍ଗେ ସାଙ୍ଗେ କହିଲେ–‘‘କିଲୋ ପାଣି ନ ନେଇ ଖାଲି କେମିତି ଯାଉଚୁ ।’’ ସୁମି ଉପାୟାନ୍ତର ନ ଦେଖି ଗଡ଼ୁଏ ପାଣି ଧରି ବାଡ଼ିକୁ ଗଲା । ଗଡ଼ୁକୁ ଏକ ଛୋଟ ଚାକୁଣ୍ଡା ଗଛ ମୂଳେ ଲୁଚେଇ ଦେଇ ପଳାଇଲା ଆମ୍ବତୋଟାକୁ । ସେଇ ଦିନ ଫେରିଲା ପରେ ହୋଇଥିଲା ତା ଉପରେ ମାଡ଼ । ଦୁଇଟା ଫେଁ-ଫେଁଇଆ-କଞ୍ଚିରେ ସୁମି ମା ତାର ପିଠିରେ ଦାଗ ବସେଇ ଦେଇଥିଲେ । ସେ ଚିଉଳା ଛାଡ଼ି କାନ୍ଦିଲା, ଲୁହ ଝରଝର ହୋଇ ବହିଗଲା । ପିଠି ଫୁଲି ଲାଲ ଚର୍ଚ୍ଚର ହୋଇଥାଏ । ତକିଆ ଉପରେ ମୁହଁ ଲଦି କାନ୍ଦୁ କାନ୍ଦୁ କେତେବେଳେ ଶୋଇପଡ଼ିଲା ତାକୁ ଜଣାପଡ଼ିଲା ନାହିଁ । ଉଠିଲାବେଳକୁ ଦେଖେ ତ ମାଆ ତା ପିଠିରୁ ଜାମା ଟେକି ପୁଲିଲା ଜାଗାରେ ଗରମ ତେଲ ମାଲିସ କରୁଛି । ତାର ଆଖିରୁ ଲୁହ ଝରୁଚି । ସେ ଦିନ ରାତିରେ ସୁମି ମା’ କୋଳରେ ପଶି ଶୋଇଲା । ମା’ ତାକୁ ଟିକିଏ ଛାଡ଼ିଲେ ନାଇଁ । ସୁମିର ମନେ ଅଛି ମଝିରେ ମଝିରେ ମା’ କହୁଥାଏ–‘ଆହା, ମୁଁ ଡଙ୍କୁଣୀ ଛୁଆଟାକୁ କେତେ ନ ମାଇଲି ।’

 

ସୁମି-ବାପା ରାମାନନ୍ଦଙ୍କର ଦୋବଲ ବଜାର ଉପରେ ସିଲେଇ ମେସିନ ଦରଜୀ ଦୋକାନ । ସିଏ ପ୍ରତିଦିନ ସକାଳୁ ଯାଆନ୍ତି–ସଂଧ୍ୟା ପରେ ଫେରନ୍ତି । ସେଦିନ ସେ ଫେରି ସୁମି ମା’ଙ୍କୁ ଗାଳି ଦେଇଥିଲେ । ମା’ ଉପରେ ଗାଳି ହେଲାବେଳେ ସୁମିର ମାଆ ପ୍ରତି ଭାରି ଦୟା ହେଉଥାଏ । ତା’ରି ଲାଗି ସିନା ମାଆ ଗାଳି ଖାଉଛି । ତହିଁ ଆରଦିନ ସକାଳୁ ବାପାଙ୍କ ସାଙ୍ଗରେ ଗାଁ-ଦୋକାନକୁ ଗଲା । ରାମାନନ୍ଦଙ୍କୁ ସମସ୍ତେ ଚିହ୍ନିନ୍ତି । ସୁମିକୁ ବି । ସୁମିକୁ ବାପାଙ୍କ ସାଙ୍ଗେ ଦୋକାନକୁ ଯିବାକୁ ଭଲ ଲାଗେ । କାରଣ ସେଠି ବିକ୍ରୀ ହୁଏ–ଲଜେନ୍‌ସ, ବିସ୍କୁଟ ଓ ଦାନାଦାର । ସୁମି ପାଇଁ କିଛି ନା କିଛି କିଣାଯାଏ । ସେଦିନ ସୁମି ଭାଗ୍ୟରେ ତିନୋଟିଯାକ ଜୁଟିଲା । ସେ ସେଗୁଡ଼ିକୁ ଧରି ଆସି ସୁମି ମା’ଙ୍କୁ ଦେଖେଇ କହିଥିଲା–‘‘ହଇଲୋ ମା’ ଦେଖୁଛ ମୋର କେତେ ଜିନିଷ ।’’ ବର୍ତ୍ତମାନ ଯଦି ସେ ଘରକୁ ନ ଫେରେ ପୁଣି ମା’ ମାରିବ ଓ ପୁଣି ବାପାଙ୍କ ପାଖରୁ ଲଜେନ୍‌ସ, ବିସ୍କୁଟ ଓ ଦାନଦାର ମିଳିବ । ତେବେ ନ ଯିବାହିଁ ଭଲ । କିନ୍ତୁ ମାଆ ଯଦି ପୁନର୍ବାର ବାପାଙ୍କଠାରୁ ଗାଳି ଖାଏ ? ସୁମିର ଛୋଟ ଛାତି ଭିତରେ ସୁମିମା’ଙ୍କ ଲାଗି ଭର୍ତ୍ତି ହୋଇଗଲା ନବ ନବ ବେଦନାର ଅଜସ୍ର କୁହେଳିକଣା ।

 

ସେତେବେଳକୁ ଟୁନୀ ଓ ବୁଲୁ ଆସି ବନ୍ଧପାଖରେ ହେଲେଣି । ମା’ର ଭବିଷ୍ୟତ ଦୁଃଖ ବିଷୟରେ ସୁମି ଚିନ୍ତା କରିପାରିଲା ନାହିଁ । ବାଧ୍ୟ ହୋଇ ଅଟକି ଗଲା ।

 

ଟୁନୀ ନାଲୁମିଶ୍ରଙ୍କ ଝିଅ । ବୁଲୁ ଟୁନୀର ବଡ଼ ଭାଇ । ସୁମି ଓ ଟୁନୀ ଏକାବୟସୀ । ବୁଲୁ ସୁମି ଓ ଟୁନୀଠାରୁ ବଡ଼, ମାତ୍ର ବର୍ଷେ କେଇମାସ । ସମସ୍ତେ ଏକାଗଡ଼ିର ସାଙ୍ଗ । ବଡ଼ ସାନ କେହି ସେମିତି ମାନନ୍ତି ନାହିଁ । ଦରକାର ପଡ଼ିଲେ ଟୁନୀ ଲଗେଇ ଦିଏ ବୁଲୁ ଗାଲରେ ଚାପୁଡ଼ା । ବୁଲୁ ମଧ୍ୟ ଦୁଇ ଜଣଙ୍କର ମୁଣ୍ଡରେ ବାଲି କୁଢ଼େଇ ଦେଇ ତାଳି ମାରି ହୋ ହୋ ହୋଇ ହସେ । ଗୋଡ଼େଇ ଗୋଡ଼େଇ ବୁଲୁକୁ କେହି ପାରନ୍ତି ନାହିଁ । ଟୁନୀ ଓ ସୁମି ବାଲିଘର କଲାବେଳେ ବୁଲୁ ସେମାନଙ୍କର ସାଜସଜ୍ଜା ଭାଙ୍ଗି ଦେଇ କହେ–ଆସ ମୋ ଘରେ ପୋଇଲି ହବ । ୟେ ମୋ ରାଇଜ-। ଏଠି ତୁମ୍ଭେମାନେ ଘର ତୋଳି ପାରିବ ନାହିଁ । ବେଳେବେଳେ ବୁଲୁ କଥା ରୁହେ । ଆଉ ବେଳେବେଳେ ହୁଏ ଯୁଦ୍ଧ । ସୁମି ଓ ଟୁନୀ ବୁଲୁକୁ ମାଡ଼ିବସି ଅକ୍ତିଆରକୁ ଆଣନ୍ତି । ବୁଲୁ ତଳେ ପଡ଼ିଯାଇ ପଳେଇବାର ଉପାୟ ନ ପାଇ–କାମୁଡ଼ି ପକାଏ ସୁମିକୁ । ସୁମି କାନ୍ଦି କାନ୍ଦି ଘରକୁ ଫେରେ । ଶେଷରେ ଖେଳ ଏକ କରୁଣତାରେ ପହଞ୍ଚେ । ସୁମି-ମା କହନ୍ତି–ଖେଳ ଖେଳୁ ଖେଳୁ ମାଡ଼ ମରାମରି ହେଲ କାହିଁକି ? ବୁଲୁ କ୍ଷମା ମାଗେ । ଟୁନୀ ଚୁପ୍‌ । ପୁଣି କେତେବେଳେ ସୁମି ହସେ–ଟୁନୀ କାନ୍ଦେ । କେତେବେଳେ ବା କାନ୍ଦେ ବୁଲୁ, ଯେତେବେଳେ ବୁଲୁ ଚୁଟିକି ଧରି ଟୁନୀ ଓ ସୁମି ନଈକାଲିରେ ଘୋଷାରନ୍ତି ।

 

ସୁମି ଦେଖିଲା–ଆଜି ବୁଲୁ ପିନ୍ଧିଚି ଭଲ ଜାମା, ଭଲ ପେଣ୍ଟ । ଏଇଗୁଡ଼ିକ ରାମାନନ୍ଦଙ୍କ ମେସିନରେ ତିଆରି ହୋଇ ଆସିଚି । ଭାରି ସୁନ୍ଦର । ସୁମି ବାପାଙ୍କ ତିଆରି କରିବା ବାହାଦୁରିରେ ଗୌରବାନ୍ୱିତ ହେଲା । ବାପା ତାର କେଡ଼େ କାଇଦାରେ ଲମ୍ବ ଲମ୍ବ କନା କାଟି ଏଇମିତି ଢଙ୍ଗ ଢଙ୍ଗର ହାତକଟା ମୁଣ୍ଡଗଳା, ବେକଖୋଲା ସେମିଜ ପେଏଣ୍ଟ ଜାମା ଆଦି ତିଆରି ନ କରନ୍ତି ?

 

ସୁମିର ଫ୍ରକ୍‍ ଖଣ୍ଡି ମଇଳା ହୋଇ ଆସିଲଣି–ଧୂଳି ପଡ଼ି । କିନ୍ତୁ ବୁଲୁ ଓ ଟୁନୀର ଲୁଗା ପରିଷ୍କାର । ଈର୍ଷା ହେଲା ସୁମିର । ନଈ ପଟୁ ଆଣି ସେମାନଙ୍କର ଜାମାରେ ଲେସିଦେବାକୁ ତା’ର ମନ ହେଉଥାଏ । ନଈରେ ଅଥଳ ଥଳ ପାଣି । ସେଠି ଭୟ ଅଛି । କାଲି ସକାଳେ ସୁମି ଘର ଦାଣ୍ଡ ଦୁଆରକୁ ଆଣି ଗଲେ ବୁଲୁ ଓ ଟୁନୀଙ୍କ ସଫା ଜାମାରେ ସୁମି ନିଶ୍ଚୟ ପଟୁ କାଦୁଅ ଲେସି ଦେଇ ମଳି କରିଦେବ । ସୁମି ସାମ୍ନାରେ ସଫା ଲୁଗା ପିନ୍ଧା ସଉକି ପଟିବ ନାହିଁ ।

 

ଟୁନୀ ପଚାରିଲା–ଆଲୋ ସୁମି, ନଈ ବଢ଼ୁଚି ନା କମୁଚି ।

 

‘ବଢ଼ୁଚି’ । ସୁମି ସେତେବେଳକୁ ଏକରକମ ନାଚିବା ଆରମ୍ଭ କରି ଦେଇଥାଏ ।

 

ବଢ଼ୁଚି !!! ତିନିହେଁ ଆନନ୍ଦରେ ବହୁ ସମୟ ଧରି ଖୁସିଗପ କଲେ । କେଉଁଠି ଫେଣ ମଣିଷଟେ ପରି ଭାଷି ଆସୁଚି ଦେଖି ବୁଲୁ କହିଲା, ‘‘ଏଇରେ ଭୂତ; ଏଇ ଘାଟରେ ଲାଗି ରାତିରେ ସୁମିକି ଖାଇବ ।’’

 

(୩)

 

ହଳଦିଆ ଡାଆଣିଆ ଖରା ଗଛ ଅଗରେ ଝୁଲିଲା ବେଳକୁ ସୁମି ଘରକୁ ଫେରିଲା । ରାମାନନ୍ଦେ ପିଣ୍ଡା ଉପରେ ବସି ଅଗଣାକୁ ଗୋଡ଼ ଓହଳେଇଥାନ୍ତି, ପାଖରେ ବସିଥାନ୍ତି ସୁମି ମା’ । ବାପା ସଞ୍ଜ ଆଗରୁ ଘରକୁ ଫେରିବେ ବୋଲି ସୁମି କଳ୍ପନା ବି କରି ନଥିଲା । ଏବେ ତା’ ହଲକ ଶୁଖିଗଲା ବାପାଙ୍କୁ ଦେଖି । ଦୁଷ୍ଟାମି ଦେଖିଲେ ରାମାନନ୍ଦେ ଭୀଷଣ ରାଗନ୍ତି । ସୁମି ଏ ଯାଏଁ ବାପାଙ୍କ ହାତରୁ ମାଡ଼ ଖାଇନି ସିନା–କିନ୍ତୁ ବାପାଙ୍କ ମୁହଁକୁ ଚାହିଁଲେ ତା’ର ଅଧା କଥା ବାହାରେ ନାଇଁ । ନଈ ବଢ଼ି ଦେଖିବାକୁ ଦୀର୍ଘ ଦୁଇଘଣ୍ଟା ହେବ ଯାଇଥିଲା ଜାଣିଲେ ନିଶ୍ଚୟ ମାରିବେ । କ’ଣ କରିବ ସେ ଏବେ । ମା’ କଥା ନ ମାନି ସେ ବଡ଼ ଭୁଲ କରିଚି । ଆଉ କେବେ ଅମାନ୍ୟ କରିବ ନାଇଁ । କେବଳ ଏଇଥରକ ରକ୍ଷା ପାଇଲେ ହେଲା । ତାର ମନହେଲା ଯେମିତି ତାରି ବିଷୟରେ ବାପା-ମା ବସି ଆଲୋଚନା କରୁଛନ୍ତି । ଆଉ ବାପା କହୁଛନ୍ତି–ଆସୁ ହେବ ଆଜି ତା’ ଉପରେ କଷିକି ଦୁଇଟା । ସେ ମୁହଁକୁ ଶୁଖେଇ ଥରି ଥରି ଯାଇ ମା’ ପାଖରେ ବସି ପଡ଼ିଲା ଏବଂ ଚୁପ୍‌ ଚୁପ୍‌ କରି ମା’ କାନରେ କହିଲା–‘ମା’ ଭୋକ ହେଲାଣି । ’

 

ରାମବାବୁ ପରିଷ୍କାର ଶୁଣିପାରିଲେ । ସେ ସୁମିମା’ଙ୍କୁ ବିରକ୍ତି ମିଶା ସ୍ୱରରେ କହିଲେ–‘ଛୁଆଟାକୁ ଏତେବେଳେଯାଏଁ ଖାଇବାକୁ ଦେଇନ କାହିଁକି ?’

 

ସୁମି ମା’ କୌଣସି ଉତ୍ତର ନଦେଇ ଉଠିଗଲେ ହାଣ୍ଡିଶାଳକୁ । ସୁମି ବିରସ ଓଠରେ ମା’ର ପଛ ଲୁଗାକାନିକୁ ଚାହିଁଲା । ପୁଣି ଆଜି ବି ମିଛଟାରେ ମା’ ତାରି ଯୋଗୁଁ ଖାଇଲା ଗାଳି । ସୁମିର ଦୋଷ ଶାସ୍ତି ପାଇଲେ ସୁମି-ମା । ଛୁଆଙ୍କ ଲାଗି ନିଜ ପିଠି ଦେଖେଇବାକୁ ମା’ ଜାତିର ଜନ୍ମ-

 

ସୁମି ଖାଇବା ଆରମ୍ଭ କଲାକ୍ଷଣି ରାମାନନ୍ଦେ ବୁଲି ବାହାରିଲେ । ସୁମି-ମା ଗରାଟାଏ ଧରି ଗଲେ କୂଅମୂଳକୁ । ସୁମି ଭାତ ଖାଇଲା–କିନ୍ତୁ କୌଣସିଟି ତାକୁ ଭଲ ଲାଗିଲା ନାହିଁ । ନା ବଡ଼ିଚୂରା–ନା ପିଆଜ ।

 

(୪)

 

ସଂଧ୍ୟା ପରେ ରାମାନନ୍ଦ ଘରେ ପହଞ୍ଚିଲେ । ତାଙ୍କ ସହିତ ନାଲୁମିଶ୍ର ଓ ଟୁନୀ । ଟୁନୀକୁ ଦେଖି ସୁମି ଖୁସି ।

 

ଟୁନୀ ପ୍ରତିଦିନ ସଂଧ୍ୟାବେଳକୁ ସୁମିଘରକୁ ଆସେ । ସୁମି ଘର ଅଗଣାରେ ପ୍ରତି ସଂଧ୍ୟାରେ ଗୀତ ବୋଲା ହୁଏ । ଗୀତ ଶିକ୍ଷକ ନାଲୁମିଶ୍ରେ ନିଜେ । ସେ ହାରମୋନିୟମରେ ଲହର ଦେଇ ସୁର ସାଜିଲେ ଜାତିଆ ସାପ କାଳେ ଗାତରୁ ବାହାରି ଆସନ୍ତି । ଆଗରୁ ଶିରିଆପୁର ଯାତ୍ରାଦଳରେ ସେ ଥିଲେ ଓସ୍ତାଦ । ଖଣ୍ଡମଣ୍ଡଳରେ ତାଙ୍କର ବେଶ୍‌ ଖ୍ୟାତି । ଏ ପାଖରେ ମିଶ୍ରପୁର, କଣ୍ଟାପାରୀ-ଚକ-ମିଶ୍ରପୁର ଷେଣ୍ଢପୁର ଦେଇ ଯାଜପୁରଯାଏଁ, ସେପାଖରେ ସୋହଡ଼ା, ଦୋବଲ, ଧୁସୁରି, ଧାମନଗର, ଭଦ୍ରଖଯାଏଁ କେଉଁଠିକି ସେ ଯାତ୍ରା କରି ଯାଇ ନାହାନ୍ତି କହିହେବ ନାହିଁ । ନଈଡିଆଁ ରାସ୍ତାରେ ଝୁମ୍ପୁରି, ଦଶରଥପୁର, ବାଲିଆପାଳ ବି ସେ ବହୁବାର ଯାତ୍ରା କରି ଯାଇ ରୂପା-ପଦକ ପାଇ ଆସିଛନ୍ତି । ନାଲୁମିଶ୍ର ଓସ୍ତାଦଙ୍କ ନାମ ଶୁଣିଲେ ଲୋକେ ବସିବା ଜାଗାରୁ ଉଠି ପାଞ୍ଚ ମାଇଲ ରାସ୍ତା ଯାତ୍ରା ଦେଖିବାକୁ ଚାଲି ଯାଆନ୍ତି । ଦକ୍ଷିଣୀ, ଓଡ଼ିଶୀ, ଚୋଖି ଗାଇବାରେ ସେ ପଟୁ । ବେଳେବେଳେ ତାଙ୍କ ଲାଖି ତବଲିକ୍‌ ମିଳନ୍ତି ନାହିଁ । ସେ ଓଡ଼ିଶୀ ଗାଇଲାବେଳେ ସଭାରେ ସୋରିଷ ପକେଇବାକୁ ସ୍ଥାନ ନ ଥାଏ । କାନ୍ଦିଲା ଶିଶୁ ଆପେ ଆପେ ବନ୍ଦ ହୋଇଯାଏ–ମା’ ଦୁଧ ଛାଡ଼ି ବିସ୍ମୟରେ ଏଣିକି ତେଣିକି ଅନାଏ ।

 

ଥରି ଉଠନ୍ତି ଗଛର ପତ୍ରାବଳୀ ପକେଟ୍‌ କଟା ଚୋର ସୁବିଧା ପାଇଲେ ବି ପକେଟ୍‌ କାଟିବାକୁ ଭୁଲିଯାଏ । ଅଳ୍ପ ଦୂରରେ ଥିବା ପାନ-ଦୋକାନୀ ଭୟରେ ଗୁଆ କାଟେ ନାହିଁ । ଖିଲିକାତିରେ ଗୁଆଟିକୁ ଦାବିରଖି ସେ ଚୁପ୍‌ ହୋଇ ବସିରହେ । ବିରିବରା ଗୁଲୁଗୁଲା ଦୋକାନୀଏ ସେଁ ସେଁ–ହେବା ଭୟରେ କିଛିକ୍ଷଣ ପାଇଁ ଛାଣିବା ବନ୍ଦ କରନ୍ତି । ଯାତ୍ରା ଦେଖିବାକୁ ଯାଇନଥିବା ଲୋକଙ୍କୁ ନିଦ ହୁଏ ନାଇଁ । ପ୍ରଣୟିନୀର କୋଳ କ୍ଷଣକ ପାଇଁ ସ୍ୱାଭାବିକ ମାଧୁର୍ଯ୍ୟ ହରାଏ । ରାତି ଅଧରେ ବି ସେମାନେ ଉଠି ବସନ୍ତି–ଝରକା ଖୋଲନ୍ତି–ସମୀର ତରଙ୍ଗରେ ଭାସି ଭାସି ଆସୁଥିବା ଗୀତର ମଧୁରର ମୂର୍ଚ୍ଛନା ତାଙ୍କ ପ୍ରାଣରେ ନବନବ ସ୍ପନ୍ଦନ ତୋଳେ, ଭାବ ସୃଷ୍ଟି କରେ–କେଉଁ ଏକ ଅଜଣା ସ୍ଥାନରୁ ଉଦ୍‌ଗୀରିତ ବ୍ୟଥା–ବେଦନାର ଅଶ୍ଳେଷରେ ସେମାନେ ବାନ୍ଧିହୋଇ ପଡ଼ନ୍ତି । ନବ ବଧୂର ବିରହଜନିତ ସ୍ୱପ୍ନ ଭାଙ୍ଗେ । ଶାଶୁ ତାକୁ ଯାତ୍ରା ଦେଖି ଛାଡ଼ି ନାହାନ୍ତି ବୋଲି ଶାଶୁଙ୍କୁ ମନେ ମନେ ଗାଳିଦିଏ । ଶୀଘ୍ର ପୁରୁଣା ହୋଇଯିବା ଲାଗି ପ୍ରାର୍ଥନା କରେ ଭଗବାନଙ୍କୁ ।

 

ନାଲୁମିଶ୍ରେ ଲୋକ-କବି । ରାଗ ରାଗିଣୀ ଖଞ୍ଜି ବହୁ ସଙ୍ଗୀତ ସେ ରଚନା କରିଛନ୍ତି । ବାଲ୍ୟାବସ୍ଥାରେ ଗ୍ରାମର ସଂସ୍କୃତ ବିଦ୍ୟାଳୟରେ ମଧ୍ୟମାଯାଏ ସେ ପଢ଼ିଥିଲେ । ବ୍ୟାକରଣ ଘୋଷିବା ତାଙ୍କ ଦେଇ ହେଉ ନଥିଲା ବୋଲି ପଣ୍ଡିତେ ଲାଲଆଖି କରି ତିନି ହାତିଆ ଖଜୁରୀ ଛାଟରେ ପିଟୁଥିଲେ । ଶେଷକୁ ପାଠ ପୋଥିରେ ଡୋରବନ୍ଧାଗଲା । ଘରେ ବାପା ମା ବି ପାଖ ପଶେଇ ଦେଲେ ନାଇଁ–‘‘ଅକର୍ମଣ୍ୟ କୁଳାଙ୍ଗାର–ପଣ୍ଡିତ ପରମ୍ପରାର ସମ୍ମାନ-ହାନି କେବଳ ତୋରିଯୋଗୁଁ ଘଟିଲା ।’’ ନାଲୁମିଶ୍ରେ ସହି ନପାରି ଦିନେ ରାତିରୁ ଉଠି ପଳେଇଲେ ଭଦ୍ରଖ । ଭଦ୍ରଖ କାଳିମଣ୍ଡପରେ ସେତେବେଳେ ଯାତ୍ରା କରୁଥାନ୍ତି ସେତେବେଳକାର ବିଖ୍ୟାତ ଦଳ ‘ନଗେଶପୁରିଆ ।’ କଳାକାରଙ୍କ ପ୍ରତି ନଗେଶପୁର ଦଳର ଓସ୍ତାଦ କୃଷ୍ଣ ସିଂହଙ୍କର ଭାରି ଶ୍ରଦ୍ଧା ଥାଏ-। ନାଲୁମିଶ୍ରେ ଭାଗ୍ୟକୁ ଯାଇଁ ହେଲେ ତାଙ୍କରି ପାଖରେ । ଗୋରା ପିଲାଟିଏ–ଲାଲ ନାକ କାନ–ରାଣୀ ଅଂଶରେ ଅଭିନୟ କରିବାକୁ ଉପଯୁକ୍ତ ହେବ ଭାବି କୃଷ୍ଣସିଂହ ନାଲୁମିଶ୍ରଙ୍କୁ ନିଜ ଦଳର ଅନ୍ତର୍ଭୁକ୍ତ କରିଥିଲେ । ସେଇ ଦିନଠୁଁ ନାଲୁମିଶ୍ରଙ୍କର ସଙ୍ଗୀତ ପ୍ରତି ମମତା ବଢ଼ିଲା ସେ ରାଣୀ ପାର୍ଟ ଛାଡ଼ି–ଧରିଲେ ହାରମୋନିୟମ୍‍ । ସଂସ୍କୃତ ବିଦ୍ୟାକୁ ପୂରା ପାସୋରି ପକେଇଲେ । ତଥାପି ସେ ଶୁଦ୍ଧ ଓଡ଼ିଆ ଭାଷାରେ ଗୀତ ଲେଖନ୍ତି । ସେ ଗୀତରେ ଥାଏ ଛନ୍ଦ–କବିସୂର୍ଯ୍ୟଙ୍କ ଚମ୍ପୁ, ଓଡ଼ିଶୀର ରାଗିଣୀ, ଭଞ୍ଜଙ୍କର ଶୃଙ୍ଗାରୀଭାବ । ନବନୀତ ତନୁ ଯୁବତୀର ଅଙ୍ଗ ବର୍ଣ୍ଣନା କରିବା–ପ୍ରଣୟ ଭାଷା ଚାହିଁବା–ପୁଣି ନିର୍ଜ୍ଜନ ଜ୍ୟୋତ୍ସ୍ନାରାତିରେ ବକୁଳ ଛାୟାରେ ଆଲିଙ୍ଗନ କରିବା ଭଳି ଅନୁଭୂତି ଓ କଳ୍ପନାକୁ ସେ ସଙ୍ଗୀତର ଲହର ସହିତ ମିଶାଇଥାନ୍ତି । ସହରୀ ସାହିତ୍ୟର ସମକାଳୀନ ରୂପ ଓ ଶୈଳୀପ୍ରତି ତାଙ୍କର ନଜର ନଥାଏ । ସହରୀ ସାହିତ୍ୟ ପରିବର୍ତ୍ତନଶୀଳ ପ୍ରକୃତି ଓ ଗତି ପ୍ରତି ସଚେତନ ନରହି ନିଜ ଖିଆଲର ଅଦ୍ଭୁତ ଚମକ–ଚାହାଣି–ଛଟାକୁ କବିତାରେ ରୂପଦେଇ ଗାଆନ୍ତି । ନିଜ ଅନ୍ତରର ଆଶା ଆକାଂକ୍ଷା–ବ୍ୟଥା ବେଦନା ନିଜ କଣ୍ଠରୁ ଧ୍ୱନିତ ହେଲାବେଳେ ନାଲୁମିଶ୍ରେ ଫେରିଯାନ୍ତି ଅତୀତର ସ୍ନିଗ୍‌ଧ-ଚପଳ ମୁହୂର୍ତ୍ତଗୁଡ଼ିକୁ । ଏଇଥିପାଇଁ ତାଙ୍କ ସଂଗୀତରୁ ଶ୍ରୋତାଏ ଅମୃତ ଆସ୍ୱାଦନ କରିଥାନ୍ତି । ସଙ୍ଗୀତ ଲହରୀ ବି କଥା କହିଲାଭଳି ମନେ ହେଉଥାଏ । ପ୍ରାଣ ଭିତରେ ପ୍ରାଣ ଲହଡ଼ି ଭାଙ୍ଗେ । ନାଲୁମିଶ୍ରେ ସାଫଲ୍ୟର ହାର ପିନ୍ଧନ୍ତି । ବାସ୍ତବ ସଂସାରିକ ଜୀବନ ଆରମ୍ଭ ହେଲାଠାରୁ ନାଲୁମିଶ୍ରଙ୍କୁ ଯାତ୍ରା କରିବା ପୋଷେଇଲା ନାଇଁ । ମିଳୁଥିବା ଟଙ୍କା ଗଣ୍ଡାକ ତାଙ୍କର ଏତେବଡ଼ ଖାନ୍‌ଦାନୀ ପରିବାରକୁ କିଛିନୁହେଁ । ପୁଣି ଯତ୍ନ ଅଭାବରୁ ଫସଲ–ହାନି ଘଟିଲା-। ବିଲରୁ ଧାନ ଚୋରି–ହଳିଆ ମୂଲିଆଙ୍କର ଠକାମି ପ୍ରକୃତି ଯୋଗୁଁ ଖାଇବା ଖର୍ଚ୍ଚ ବି ବାହାରିଲା ନାଇଁ । ବାପା ତାଙ୍କର ବୁଢ଼ା ହୋଇ ଆସିଲେ । ଠାକୁର ଦେବତାଙ୍କ ଆଡ଼େ ମନ ଦେଲେ । ଏତେବେଳେ ନାଲୁମିଶ୍ରେ ତାଙ୍କ କଳାପୂଜା ଛାଡ଼ିବାକୁ ବାଧ୍ୟ ହେଲେ । ବିବାହ–ପୁଅ–ଝିଅ ଭିତରେ ତାଙ୍କର ପାର୍ଥିବ ସଂସାର ବଢ଼ି ଉଠିଲା । ବଡ଼ପୁଅ ଚିନୁ । ଏଇବର୍ଷ ଦଶରଥପୁର ହାଇସ୍କୁଲରୁ ମାଟ୍ରିକପାସ କରିଯାଇଚି କଟକ ପଢ଼ିବା ଲାଗି । ଆଜିକାଲିବେଳେ ଇଂରାଜୀ ନ ପଢ଼ିଲେ ଉପାୟ ନାହିଁ । ସଂସ୍କୃତପାଠ ପୁରୁଣା । ତାଙ୍କ ପୁଅ ପୁଣି ପଢ଼ୁଚି କଟକ ଇଂଜିନିୟରିଂ ସ୍କୁଲରେ–ଓଭରସିଅର ହେବ । ଚିନୁର ପଢ଼ାଖର୍ଚ୍ଚ ପାଇଁ ନାଲୁମିଶ୍ରେ ଜମି ଦୁଇପା ବି ବିକିଛନ୍ତି । ହଉ–ପୁଅ ପାଠପଢ଼ୁ । ପୁଅ ଜନ୍ମକରି ମଣିଷ ନକରି ପାରିଲେ ଭଗବାନଙ୍କ ଅଭିଶାପ ପଡ଼ିବ । ପର ଜନ୍ମରେ ନିଃସନ୍ତାନ ହେବାର ଭୟଅଛି । ଚିନୁ ତଳେ ଝିଅଟାଏ–ଦୁଇ ବର୍ଷର ହୋଇ ମରିଗଲା-। ସବୁଠୁଁ ସୁନ୍ଦର ହୋଇଥିଲା ତାର ହାତ-ଆଖି-ନାକ । ଭଲ ବେଶିଦିନ ବଞ୍ଚନ୍ତି ନାଇଁ । ତା ପରେ ବୁଲୁ–ବୁଲୁ ତଳକୁ ଟୁନୀ । ଟୁନୀ ଦଶମାସର ହେଲାବେଳକୁ ଚିନୁମା ଏ ଇହସଂସାର ଛାଡ଼ି ଚାଲିଗଲା । ସେଇଦିନରୁ ନାଲୁମିଶ୍ରେ ଏକା ଶୁଅନ୍ତି’ ଚିନୁ-ମାଙ୍କର ଆଖି ଓଠ ତାଙ୍କ ହୃଦୟରେ ଏବେ ବି ସରଗର ଚାନ୍ଦପରି ଝୁଲି ରହିଚି କିନ୍ତୁ ସେ ଚାନ୍ଦର କ୍ଷୟ ନାହିଁ । ଚିନୁ ଓ ବୁଲୁ ମଣିଷ ହୁଅନ୍ତୁ–ଟୁନୀ ହାତ ସହିତ କେଉଁ ଏକ ରଜା ପୁଅର ହାତକୁ ଫୁଲଡୋରିରେ ଦୃଢ଼କରି ବାନ୍ଧିଦେଲା ପରେ ତାଙ୍କର ମୁକ୍ତି । ଚିନୁ-ମା ନଥିଲେ ବି ସେ ଏହା ସମାପ୍ତ କରିପାରିବେ ବୋଲି ବିଶ୍ୱାସ କରିଛନ୍ତି । ଚିନୁ-ମା ସ୍ୱର୍ଗରୁ ଦେଖିବେ, ହଁ–ସ୍ୱର୍ଗରୁ ନିଶ୍ଚୟ । ଅହ୍ୟ ସ୍ତ୍ରୀ–କାଚ ବଜ୍ରଭଳି ଥିଲା ମରିଛନ୍ତି–ବିଷ୍ଣୁ ଦୂତଗଣ ଆସି ଅମରପୁରୀକୁ ନେଇଯାଇଥିବେ । ଚିନୁ-ମା ମଲାଦିନୁ ନାଲୁମିଶ୍ରେ ପାହାନ୍ତାରୁ ଉଠି ଗୀତ ଗାଆନ୍ତି । ଭାରି କରୁଣ ତାହାର ମୂର୍ଚ୍ଛନା । ସେ ଗୀତ ସୁର ଗାଁର ସମଦୁଃଖୀମାନଙ୍କୁ ବି ଚେତାଇ ଦିଏ । କେହି କେହି କହନ୍ତି–‘ଚିନୁ-ମା ମଲାଦିନୁ ନାଲୁମିଶ୍ର କେତେ ଗୀତ ଲେଖିଲେଣି । ସେ ତାକୁ ଭାରି ଭଲ ପାଉଥିଲି କି ନା ? ନାରୀ ବିନା ଶିଳ୍ପ ବଞ୍ଚେନାହିଁ । ନାରୀ ବିହରରେ ବି ଉତ୍ସ-ଜଳପରି ବ୍ୟଥା-ବେଦନା ସହିତ ପ୍ରକାଶପାଏ କବିତା–ସଙ୍ଗୀତ ଇତ୍ୟାଦି-। କିନ୍ତୁ ନାଲୁମିଶ୍ରେ ଏବେ ଆଉ ଲୋକଙ୍କ ଆନନ୍ଦ ଲାଗି ଗାଆନ୍ତି ନାହିଁ । ଗାଆନ୍ତି କେବଳ ନିଜପାଇଁ-। କେବଳ ଜଣଙ୍କୁ ଶୁଣେଇପାରିଲେ ତାଙ୍କର ଇଚ୍ଛା ପୂର୍ଣ୍ଣହେବ ।

 

ଆଧୁନିକ ଯୁବକ ଦଳ ଗାଁରେ ଥିଏଟର କଲେ ନାଲୁମିଶ୍ରଙ୍କୁ ଅନୁରୋଧ କରନ୍ତି–ନାଲୁମିଶ୍ରେ ଛୁଆଙ୍କ ମନ ଭାଙ୍ଗନ୍ତି ନାଇଁ । ନୂଆ ନୂଆ ପଲ୍ଲୀସୁରରେ ଗୀତ ଗାଇ ନଜାଣିଲେ ବି ଚମ୍ପୂ ଓଡ଼ିଶୀ ଗାଇବାରେ ସେ ପଟୁ । ଆଜିକାଲି ଗାଇଲାବେଳେ ତାଙ୍କ ଗଳାରେ ବେଳେବେଳେ କଫ ଅଟକିଯାଏ । ଅଭ୍ୟାସ ଛାଡ଼ିଯାଉଚି କି ନା ? ସେଇଥିପାଇଁ ସେ ଟୁନୀ ଓ ସୁମିଙ୍କୁ ଗୀତ ଶିଖେଇବାର ଭାର ସ୍ୱେଚ୍ଛାରେ ବହନ କରିଛନ୍ତି । ଝିଅ ପିଲା–ସୁନ୍ଦର ପେଁ-କାଳି ପରି କଣ୍ଠ–ଗୀତ ନଶିଖିଲେ ଲାଭ କଣ ?

 

ଟୁନୀ ହାରମୋନିୟମ୍‍ ଧରି ଗୀତ ଗାଇଲାଣି । ସୁମି ଭଲକରି ସା-ରେ-ଗା-ମା ଶିଖିସାରି ନାଇଁ । ହେଇଯିବ–ହେଇଯିବ–ସୁମିର ଛୋଟ ଛୋଟ ଆଙ୍ଗୁଳିଗୁଡ଼ିକୁ ଧରି ହସି ହସି ମିଶ୍ରେ କହନ୍ତି–ମୋ’ ମା’ର ହେବନି ତ ହେବ ଆଉ କାହାର ? ଆଶା ଓ ଗୌରବରେ ସୁମିର ଛାତି ଭରିଯାଏ । ସେ ପୁଣି ସାଜେ–ସାରେଗା, ରୋଗାମା, ଗାମାପା, ମାପାଧା, ପାଧାନି, ଧାନିପା, ଆଆଆ, ଆଆଆ, ଆଆଆ.... । ଟୁନୀ ସେତେବେଳେ ଆଗରୁ ଶିଖିସାରିଚି ବୋଲି ବଡ଼ପଣିଆ ଦେଖାଇ କହେ–ହେଇ ହୋଇଗଲା । ସୁମି ମନେ ମନେ ଟୁନୀକୁ କହେ–‘ହେଁ, ମାଙ୍କଡ଼’ ।

 

ସୁମିର ସୁରଟି ଟୁନୀଠାରୁ ମଧୁର । କଅଁଳ ଆମ୍ବପତ୍ର ପେଁ-କାଳି ବଜେଇଲା ଭଳି ଶୁଭେ-

 

ଏମାନଙ୍କ ଗୀତ ଚାଲିଥିଲାବେଳେ–ରାମାନନ୍ଦେ ଅନ୍ଧାର ଆଡ଼କୁ ମୁହଁକରି ଗୋଡ଼ ଉପରେ ତାଳ ଦେଇ ହାତ ପିଟନ୍ତି । ବେଳେବେଳେ ତାଳରେ ସମତା ଥାଏ । ଆଉ ବେଳେବେଳେ ବେତାଳ ହୋଇଯାଏ । ସେ ଧରା ପଡ଼ିଯିବା ଭୟରେ ତାଳ ଦେବା ବନ୍ଦକରି ଦିଅନ୍ତି । ତଥାପି ତାଙ୍କର ଗୋଡ଼ର ବୁଢ଼ା ଆଙ୍ଗୁଳିଟା–ଧିନ୍ ତାକ୍‌, ଧିନ୍‌ ତାକ୍‌ ତାଳରେ ହଲୁଥାଏ ।

 

ହାଣ୍ଡିଶାଳାରେ ବସି ସୁମି-ମା ବେଳେବେଳେ ତଳପାଟି ହଲେଇ ଦିଅନ୍ତି । ଓଠ ଥରି ଉଠେ, ଆଖି ଭୁରୁ କୁଞ୍ଚି ହୋଇଯାଏ, ମଝିରେ ମଝିରେ ଗୀତର ଭାବ ବୁଝି ହସି ପକାନ୍ତି ଲୁଚେଇକି-। କାଚ ଝମଝମ କରିବାକୁ ତାଙ୍କର ମନ ହୁଏ । ତାଳଦେଇ ଡାଲି ଘୋରନ୍ତି । ତାଙ୍କର ନାଚିବାକୁ ଖୁବ୍ ଇଚ୍ଛା ହୁଏ । ଉପାୟ ନାହିଁ । ତଥାପି ହାଣ୍ଡିଶାଳ କଣରେ କେହି ନ ଦେଖିଲା ଭଳି ଜାଗାରେ ଅଣ୍ଟାରେ ଲୁଗା ଭିଡ଼ି ଠିଆ ହୁଅନ୍ତି–ଯାତ୍ରାଦଳର ନର୍ତ୍ତକୀ ପରି ତ୍ରିଭଙ୍ଗୀ ଠାଣିରେ, ସୁନ୍ଦର ପୋଜଦେଇ । ତାଳଦେଇ ଗୋଡ଼ ପକେଇବାକୁ ବି ଚେଷ୍ଟା କରନ୍ତି । କେତୋଟି ମୁହୂର୍ତ୍ତ ପାଇଁ ସେ ଲଜ୍ଜା ଭୁଲି ଯାଆନ୍ତି–କିନ୍ତୁ, କେହି ଜାଣିବା ଭୟରେ ପରିବର୍ତ୍ତୀ କ୍ଷଣରେ ଅଣ୍ଟାରୁ ଲୁଗା ଫିଟାଇ ମୁଣ୍ଡରେ ଓଢ଼ଣା ଦେଇ ବସନ୍ତି ।

 

ସୁମି ଚଉଡ଼ା ମଶିଣା ଖଣ୍ଡି ଦାଣ୍ଡମେଲାରେ ପକାଇ ଲଣ୍ଠନଟି ତେଜିଲା । ନନ୍ଦେ ହାରମୋନିୟମ୍‍ଟି ସୁମି ଟେକି ପାରିବ ନାହିଁ ଜାଣି ନିଜେ ଆଣି ହେଁସ ଉପରେ ରଖିଲେ । ସୁମି-ମା ସେତେବେଳକୁ ପାନଖିଲି ଭାଙ୍ଗିବାରେ ଲାଗିଲେଣି । ପାନ ରଖି ଦେଇ ସେ ହାଣ୍ଡିଶାଳାକୁ ଓଢ଼ଣା ଦେଇ ଚାଲିଗଲେ; ରାମାନନ୍ଦେ ନିଜେ ଯାଇଁ ପାନଖିଲି ଆଣି ମିଶ୍ରଙ୍କୁ ଦେଲେ ସୁମି-ମା’ ତ ଆଉ ନିଜେ ଦେବେ ନାହିଁ । ନାଲୁମିଶ୍ର ପରା ଦେଢ଼ଶୁର ହେବେ ।

 

ନନ୍ଦେ କହିଲେ–‘ନାଲୁଆନା ! ପ୍ରଥମେ. ତୁମ ତରଫରୁ ଖଣ୍ଡେ ଚମ୍ପୁ ହେଉ । ଛୁଆମାନେ ତ ଦିନ୍‌ ଦିନ୍‌ ଗାଉଛନ୍ତି ।’

 

ମିଶ୍ରେ ଟିକେ ହସି ହାରମୋନିୟମ୍‍ର ମୁହଁ ବୁଲାଇ ନେଲେ; ଆ-ଆ-ଆ କରି କିଛିକ୍ଷଣ କଣ୍ଠ ସାଧିଲା ପରେ ଆରମ୍ଭ କଲେ–ନନ୍ଦଙ୍କର ଭାରି ଜଣାଶୁଣା ଗୀତ–‘‘ଖେଳଲୋଳା ଖଞ୍ଜନକ୍ଷି କି ସାହସ କଲୁରେ......’’

 

ନନ୍ଦଙ୍କର ମୁଣ୍ଡ ଆପେ ଆପେ ହଲିବାକୁ ଲାଗିଲା, ନିଜ ଝିଅ ଝିଆରୀଙ୍କ ସାମ୍ନାରେ ଏପରି ହେବାକୁ ତାଙ୍କୁ ଲାଜ ମାଡ଼ିଲା ନାଇଁ । ଟୁନୀ ସୁମି ମୁରୁକେଇ ମୁରୁକେଇ ହସୁଥାନ୍ତି । ନନ୍ଦେ ସୁମି ଭଳି ପିଲାଟିଏ ହୋଇଥିଲେ ନିଶ୍ଚୟ ନାଚି ପକେଇ ଥାଆନ୍ତେ ।

 

ଗୀତ ଶେଷ ହେବା ଆଗରୁ ହାଣ୍ଡିଶାଳ ଘରୁ ଭସ୍‌ ଭସ୍‌ ଶବ୍ଦ ଭାସି ଆସିଲା । ସମସ୍ତେ କାନେଇଲେ ସେଇଆଡ଼କୁ । ନନ୍ଦଙ୍କର ଚେତା ପଶିଲା । ସେ କହିଲେ–‘କି ହୋ, ସୁମି-ମା କଣ ହେଲା କି ?’’

 

କୌଣସି ଉତ୍ତର ନ ଆସିବାରୁ ସେ ନିଜେ ହାଣ୍ଡିଶାଳ ଭିତରକୁ ଉଠିଗଲେ । ଦେଖନ୍ତି ତ–ଡାଲିଆଟିକା ଫାଟି ଚୁଲିରେ ଡାଲିପାଣି ଝରୁଚି । ସୁମି-ମା ତରତର କରି ବେଲା ଖଣ୍ଡକରେ ଡାଲିତକ ଅଜାଡ଼ି ପକେଇଲେ ।

 

ନନ୍ଦେ କହିଲେ–ନୂଆ ଆଟିକାଟା ଫଟା ପଡ଼ିଲା କି କ’ଣ ?

 

ତେବେ ବି ସୁମି-ମା’ ନିରୁତ୍ତର ।

 

ତାଳ ଦେଇ ଡାଲି ଘୋରୁ ଘୋରୁ ସେ ଯେ ଡଙ୍କିରେ ହାଣ୍ଡିତଳ ଭୁଲରେ ବଜେଇ ଦେଇ ଭାଙ୍ଗି ଦେଇଛନ୍ତି–ସେ କଥା ଲୁଚି ରହିଲା । ନାଲୁମିଶ୍ରଙ୍କ ସଂଗୀତରେ ପୁଣି ଏତେ କରାମତି !!

 

ସମସ୍ତେ କଳା-ପ୍ରାଣ । ସଭିଙ୍କଠେଇଁ କିଛି ନା କିଛି କଳାକାରତ୍ୱ ନିହିତ ଅଛି । କେବଳ ଦର୍କାର ତାର ଯଥାର୍ଥ ବିନିଯୋଗ । ଯଥାର୍ଥ ବିନିଯୋଗକାରୀ ସାମର୍ଥ୍ୟ ସଂଗ୍ରହ ଶିକ୍ଷା ଦେଇ ସମ୍ଭବ-। ଶିକ୍ଷା ମଣିଷର ଅନ୍ତର୍ଶକ୍ତିକୁ ମନ୍ଥନ କରି ଗୁଣାବଳୀର ବିକାଶରେ, ପ୍ରତିଭା ପରିସ୍ଫୁଟନରେ ସାହାଯ୍ୟ କରେ । ବାଳିକାବସ୍ଥାରେ ସୁମି-ମା ଉପଯୁକ୍ତ ତାଲିମ ପାଇଥିଲେ ଜଣେ ସୁଗାୟିକା ବା ସୁନର୍ତ୍ତକୀ ହେବାର ସମ୍ଭାବନା ଯଥେଷ୍ଟ ଥିଲା । ପରିବେଶ ଓ ପରିସ୍ଥିତିର ଲଘୁ ଚାପ ସହି ନ ପାରି ତାଙ୍କ ପ୍ରତିଭା କଳିଟି ଶୁଖିଯାଇଛି ସିନା । ଆମର ଧରାବନ୍ଧା ସମାଜ ବଡ଼-ସାନ ଭେଦ ବାଢ଼ି, ଅଯଥାରେ ନିନ୍ଦାଶୁଣାଣି ଦେଇ, ଆଭିଜାତ୍ୟ ଓ କୁଳଧର୍ମର ଭୟ ଦେଖାଇ ଏପରି ବହୁ ସୁମି-ମାଙ୍କର ଅନ୍ତରରେ କୁହୁଳି କୁହୁଳି ଉଠୁଥିବା ଧ୍ୱନିର ବିଲୟ ଘଟାଇଚି ।

 

ତା ପରେ ହାରମୋନିୟମ୍‍ ଧରିଲା ସୁମି । ସୁମି ପରେ ଟୁନୀ ‘ଅଖିଳ ବ୍ରହ୍ମାଣ୍ଡପତି’ ଭଲ କରି ଗାଇ ଶିଖିଛି । ଶଙ୍କରାଭରଣ ରାଗ ଛୁଆଙ୍କ କଣ୍ଠକୁ ବେଶ୍‌ ସାଜେ ।

 

ନାଲୁମିଶ୍ରେ ପଚାରିଲେ–ଆରେ ରାମ ନଈ ଖୁବ୍‌ ଜୋରରେ ବଢ଼ୁଛି । ଗତ ବର୍ଷର ମାହାରବନ୍ଧ ଯଦି ଏ ବାର ଭାଙ୍ଗିବ ପୁଣି ଧୋଇ ହେବ । ମୋର ତ ସବୁ ଖାଲ ଜମି । ଗତଥର ଠାକୁରାଣୀ ମାହାର ଯୋଗୁ ମୋର ଦୁଇ-ପା ଜମି ନଷ୍ଟ ହୋଇଯାଇଚିଟି ।

 

ରାମାନନ୍ଦେ କହିଲେ–ବୁଝିଲ କି ନାଲୁଆନା, ମାହାରା ଭାଙ୍ଗିବାର ସମ୍ଭାବନା ଷୋଳପଣ-। ଆର ବର୍ଷ ଶୀତଦିନରେ ଘାଇ ବନ୍ଧେଇଲାବେଳେ ମୁଁ କହିଲି ମୂଳରେ ପାଞ୍ଚହାତ ଗହୀରର ଇଟା ଦେଇ ବନ୍ଧେଇବା । ମୂଳଶକ୍ତି ଥିଲେ ସିନା ହୁଅନ୍ତା । ଏତେ ବଡ଼ ଗାଁଟାଏ ଚାନ୍ଦା କରି ଦୁଇଶହ ଟଙ୍କା ସହଜରେ ଯୋଗାଡ଼ କରିଥାନ୍ତେ । ହେଲା ଏବେ ଆମେ ପାଞ୍ଚ ପାଞ୍ଚ ଟଙ୍କା ଅଧିକା ଦେଇ ଥାନ୍ତେ । କାମଟା ତ ସବୁଦିନିଆ ହୋଅନ୍ତା । ଏବେ ଖାଲି ଉପର ଠାଉରିଆକି ମାଟି ଲଦି ଦେଇଛନ୍ତି । ନଈ ବାଙ୍କଟା ବି ସେଇଠି । ସୁଅ ଖାଲି କରତ ପରି ଡେଣା ପିଟୁଚି । ଭଉଁରୀ ଘର-ଘର-ଘ୍ର କରି ଖେଳୁଚି । ରହିବ ନା ସେ ବନ୍ଧ ବୈତରଣୀ ନଈର ଯେଉଁ ପ୍ରଖର ସୁଅ, ପ୍ରବଳ ଶକ୍ତି–ତା’ ମୁହଁରେ ଇଏ କୁଟାଖିଏ ଭଳି ।

 

ମିଶ୍ରେ କହିଲେ–ସମସ୍ତେ ପରା ପଛବୁଦ୍ଧିଆ । ବଢ଼ିପାଣି ଘରେ ପଶିଲେ ସମସ୍ତେ ଲୁହ ସରସର ହୋଇ କାନ୍ଦିବେ, ପୁଅ ସ୍ତ୍ରୀଙ୍କୁ ନେଇ ହା-ଦାନା, ହା-କନା ହେବେ । ବେଳ ଉଣ୍ଡି ପ୍ରତିକାର କରିଥିଲେ ସିନା ହୋଇଥାନ୍ତା ।

 

ନନ୍ଦେ କହିଲେ–ହଉ, ଉଠ ନାଲୁଆନା, ଟିକେ ନଈଆଡ଼ୁ ବୁଲି ଆସିବା ।

 

–ହଉ, ଚାଲ, ତୋର ଟର୍ଚ୍ଚଖଣ୍ଡି ଆଣିଥା । ମିଶ୍ରେ ନିଜ ବାଡ଼ି ଖଣ୍ଡି ଧରି ଉଠିଲେ । ନନ୍ଦେ ଟର୍ଚ୍ଚ ନେଇ ବାହାରିଲେ । ନଈ ବନ୍ଧ ଉପରୁ ପବନରେ କଥୋପକଥନର ଶବ୍ଦ ଭାସି ଆସୁଥାଏ ।

 

ନାଲୁଦାଦାଙ୍କ କଥା ଶୁଣି ସୁମିର ମନ ଫିକା ପଡ଼ିଗଲା । ବଢ଼ି ନାଲୁଦାଦାଙ୍କ ଜମି ନଷ୍ଟ କରିଚି ସତ, କିନ୍ତୁ ଦୁଇ-ପା ଜମି ନାଲୁଦାଦାଙ୍କ ପରି ଥିଲାବାଲାଙ୍କ ପାଖରେ କିଛି ନୁହେଁ । ସା ଭାରି କୃପଣ ନଇଲେ ଏତେ ବ୍ୟସ୍ତ ହୁଅନ୍ତେ କାହିଁକି ? ଛୁଆଙ୍କ ସୋହାଗ ଓ ଖେଳପ୍ରତି ଦୃଷ୍ଟି କାହାରିହେଲେ ନାହିଁ । ଘାଇ ନ ଭାଙ୍ଗିଲେ ସୁମିଘର ଦାଣ୍ଡକୁ ପାଣି ଆସିବ କେମିତି ଯେ ? ଆଉ ସେମାନେ ଖେଳିବେ କେମିତି ଯେ ? ନଈରେ ନଈଏ ପାଣି ଭାସିଗଲେ ତାଙ୍କର କି ଲାଭ–ବଡ଼ହେଲେ କେଜାଣି ନଈ ପହଁରିବେ । ନାଲୁଦାଦାଙ୍କ ଘର ଯେତେ ନଷ୍ଟ ହେଉ ବରଂ ବନ୍ଧ ଭାଙ୍ଗୁ । ସେ ଟୁନୀ ଆଡ଼କୁ ଚାହିଁଲା–ଟୁନୀ ବି ତା ଆଖିରେ ଦୋଷୀ ଦେଖାଗଲା । ତାଙ୍କରି ଘର ପରା ବନ୍ଧ ଭାଙ୍ଗିବା ବିରୋଧରେ ! ସେ ଟୁନୀକୁ ମନେ ମନେ ଖତେଇ ହବାକୁ ଛାଡ଼ିଲା ନାହିଁ । କିନ୍ତୁ ଉପରେ କିଛି କହିଲା ନାହିଁ ।

 

କିଛିକ୍ଷଣ ପରେ ଟୁନୀ ଚୁପି ଚୁପି କହିଲା ସୁମିକୁ–ସୁମିଲୋ, କାଲି ସକାଳେ ନଈପାଣି ଆମ ଦାଣ୍ଡକୁ ଯିବ । ତୁ ଯିବୁ ଆମ ଘରକୁ । ଖେଳିବା । ବୁଲୁନନା ବି କହିଚି ଖେଳିବ । ମୁଁ ବାପାଙ୍କୁ କହିଚି–ସେ ମୂଲିଆଙ୍କୁ କହି ଆମପାଇଁ ଗୋଟିଏ କୁନି କଦଳି-ଭେଳା ତିଆରି କରେଇ ଦେବେ ।

 

ଟୁନୀ କଥା ଶୁଣି ସୁମି ଆନନ୍ଦରେ ଖିଲି ଖିଲି ହସି କହିଲା–ଆମ ବାଡ଼ି ବାଟଗଛ ମୂଳରେ ଖୁବ୍ ଜୋର୍‌ ସୁଅ ପଡ଼େ । ଓଳିରେ ବି । ତୁ ଆସିବୁ; ସେଠି କାଗଜ ଡଙ୍ଗା ଭସେଇବା । ମୋ ମା’ କେଡ଼େ ସୁନ୍ଦର କାଗଜ ଡଙ୍ଗା ତିଆରି କରି ଜାଣେ ।

 

ସୁମି ଭବିଲା–ଯା’ ହେଉ ଟୁନୀଟି ଭଲ । ନାଲୁ ଦାଦାଙ୍କ ପରି କୃପଣ ନୁହେଁ । ସେ ମାହାର ଭାଙ୍ଗିବାକୁ ଭଲପାଏ । ସେ ଟୁନୀକୁ ଖତେଇ ହୋଇ ନିଶ୍ଚୟ ଭୁଲ କରିଚି ।

 

ଏତିକିବେଳେ ନନ୍ଦେ ଓ ମିଶ୍ରେ ବଢ଼ି ସମ୍ପର୍କରେ କଥା ହେଉ ହେଉ ଫେରିଲେ । ସୁମି ଶୁଣି ବୁଝିଲା–ବନ୍ଧ ବୁଡ଼ିବାକୁ ଆଉ ହାତେ ବାକି । ଠାକୁରାଣୀ ମାହାରା ବନ୍ଧ ଉପରେ ବାଲିବସ୍ତା ପକାଇ ଲୋକ ଜଗିଛନ୍ତି । ନଈ ଆର କୂଳର ବନ୍ଧ ହାଣି ଦେବାକୁ ଡଙ୍ଗା ନେଇ ଅନ୍ଧାରରେ ଲୋକ ଗଲେଣି । ସେପାଖ ତଟୀର ବନ୍ଧ ହାଣି ଘାଇ କରିଦେଲେ ଏ ତଟୀ ରକ୍ଷା ପାଇଯିବ । ସୁଅ ଗତି ବଦଳିଲେ ଯାଇଁ ଶିରିଆପୁର ବଞ୍ଚିବ,–ନୁଇଲେ ନାହିଁ ।

 

ସୁମି-ବାପା କହୁଥାନ୍ତି–ବୁଝିଲ ନାଲୁଆନା, ସେ ପାଖର ବନ୍ଧ ହାଣିବା କମ୍‌ କଷ୍ଟ ନୁହେଁ । ଆର ପାରିର ଲୋକେ ତ ଆଉ ବୋକା ନୁହନ୍ତି । ଆମପରି ବନ୍ଧ ଭାଙ୍ଗିବା ଭୟ ତାଙ୍କର ବି ଅଛି । କାଳେ କିଏ ବନ୍ଧ ହାଣିଦେବ ବୋଲି ସେମାନେ ରାତିସାରା ବନ୍ଧ ଉପରେ ବସି ରହିବେ । ଗତବର୍ଷ ପରା ସନାଜେନା ହାଣିବା ପାଇଁ ଯାଇଥିଲା । ତା’ କୋଡ଼ି କୋଦାଳ ଛଡ଼େଇ ରଖି କଷିକରି ମାଡ଼ ଦେଲେ ଯେ ସେ ତିନିଦିନ ଉଠିବସି ପାରିଲା ନାଇଁ । ଏକଣ ଏମିତି ସହଜ କାମ ? ତଥାପି, ବଳୀ ରାଉତ ସାହସ କରି ଯାଇଛି । କଣ ହେଉଚି ଦେଖାଯାଉ ।

 

ସୁମିର ବଳୀ ରାଉତ ପ୍ରତି ରାଗ ହେଲା । ସେଇ ବଳୀ ରାଉତ ଯେମିତି ସୁମିକୁ ବଢ଼ିପାଣି ଖେଳ ସୁଖରୁ ବଞ୍ଚିତ କରିବା ଲାଗି ବେଶି ଜିଦ୍‌ ଧରିଚି ।

 

ଟୁନୀ ତା ବାପା ସହିତ ଘରକୁ ଫେରିଲା ବେଳେ ସୁମି ମନେ ପକେଇ ଇଙ୍ଗିତରେ କହିଲା–‘ଟୁନୀ....ସେଇ କଥା–ଆମ ଦାଣ୍ଡରେ–ଆଉ–ତମ ଦାଣ୍ଡରେ । ’

 

ଟୁନୀ ଢଗରେ କହିଲା–‘ହପ୍‌ନ’, ତୁପ୍‌ନୁ ଆପ୍‌ନାଗେ ଆପ୍‌ନାମ ଦାପ୍‌ନାଣ୍ଡ କୁପ୍‌ନୁ ଆପ୍‌ନାସିପ୍‍ନିବୁ, ମୁପ୍‍ନୁ ପପ୍‌ନରେ ।’’

 

ସୁମି ମୁଣ୍ଡ ଟୁଙ୍ଗାରି ହଁ ଭରିଲା । ଯଦିଓ ତାର ଭୟ ଥାଏ–ମା’ ବୋଧହୁଏ ବଢ଼ିପାଣିରେ ବାହାରିବାକୁ ମନାକରିବ । ବଢ଼ି ଆସିବା ଆଗରୁ ସେ କଳ୍ପନା କଥା ଜଣାଇ ମା’ଠାରୁ ଅନୁମତି ଚାହିଁବ କାହିଁକି ? କାଲି ଦେଖାଯିବ । ସେ କେବଳ ଖାଇସାରି ଶୋଇଲାବେଳେ ଆଠଦଶଥର ଟିକି ହାତକୁ ଟେକି ଠାକୁରଙ୍କୁ ଡାକିଲା–‘ହେ ଭଗବାନ, କାଲି ସକାଳେ ନଈପାଣି ଆମ ଦାଣ୍ଡରେ ଲହଡ଼ି ଭାଙ୍ଗୁ ଥାଉ’ ।

 

(୫)

 

ସେଇଦିନ ରାତି ।

 

ସୁମି ସ୍ୱପ୍ନ ଦେଖୁଚି.... ।

 

–ବାଡ଼ିପାଖ ଠାକୁରାଣୀ ମାହାରା ଭାଙ୍ଗିଚି–ସୁନାରଙ୍ଗର ପାଣି ପଶି ଆସୁଚି ଗାଁ ଭିତରକୁ–ସମସ୍ତେ ଆନନ୍ଦରେ କରତାଳି ଦେଇ କୀର୍ତ୍ତନ କରୁଛନ୍ତି । ମାହାର ମୁହଁରେ ଗଦା ହୋଇଛନ୍ତି କାହିଁ କାହିଁର କେତେ କେତେ ଛୁଆ । ସୁମି ବି ଯାଇଚି ସେଠିକି । ବିସ୍କୁଟ, ଲୋଜେନ୍‌ସ ଓ ଦାନାଦାର ବିକ୍ରି ହେଉଚି–ଲାଲ ଲାଲ ବେଲୁନ୍‌ ମଧ୍ୟ । ଚରିକି ଦୋଳି ବି ପଡ଼ିଚି । ସୁମି ଖାଉଚି ବିସ୍କୁଟ–ବଢ଼ିପାଣିର ରଙ୍ଗ ବିସ୍କୁଟ । ଘାଇ ପାଖରେ ନଈପାଣି ପାହାଡ଼ଭଳି ଉଠିପଡ଼ି ଚାଲିଛି । ସୁମିକୁ ଦୁଇହାତରେ ଧରି ରାମବାବୁ ସେଠି ଗାଧୋଇ ଦେଉଛନ୍ତି । ଟୁନୀ ତାର ପାଖେ ପାଖେ । ବୁଲୁ ନିଜେ ନିଜେ ପହଁରି ଯାଉଚି । ତାଙ୍କ ଦାଣ୍ଡଦୁଆର ମୁହଁକୁ ହଠାତ୍‌ ସେ ଦେଖିପାରିଲା । ହାତରେ କାଗଜ ଡଙ୍ଗାଧରି ସେ ଦୁଆର ମୁହଁରେ ମାଟିଆ ପାଣି ସୁଅରେ ଖେଳୁଚି । ମା’ କଥା ଜମାରୁ ମାନୁନାଇଁ । ଘର ଭିତରୁ ମା’ ଡାକ ପକେଇଛନ୍ତି–ସୁମି ଲୋ ସୁମି ।

 

ସୁମିର ନିଦ ଭାଙ୍ଗିଗଲା । ସତକୁ ସତ ସୁମି-ମା ଡାକୁଛନ୍ତି–କିଲୋ ବାୟାଣୀ ! କେତେବେଳେ ଯାଏଁ ଶୋଇଥିବୁ କି ?

 

ସୁମି ଧଡ଼ପଡ଼ ହୋଇ ଉଠି ବସିଲା–ଏବଂ ଏକାନିଃଶ୍ୱାସରେ ଧାଇଁଗଲା ଦାଣ୍ଡଦୁଆର ମୁହଁକୁ,–ସତକୁ ସତ ବଡ଼ିପାଣି ଆସିଚି । ଦାଣ୍ଡରେ ସୁଅ । ତାଙ୍କ ଓଳିତଳ ଦେଇ ଏକ କ୍ଷୁଦ୍ର କେନାଲ ଗାଁ ଭିତରକୁ ପଶିଯାଇଚି । ସେ ଦେଖିପାରିଲା–ତାରି ଉପରେ ଶହ ଶହ କଦଳିଭେଳା କାଗଜଡଙ୍ଗା ଭାସୁଛି ।

 

ସବୁବର୍ଷ ଏଇମିତି ରାତିରେ ଶୋଇ ସକାଳୁ ଉଠିଲାବେଳକୁ ଦାଣ୍ଡରେ ପାଣିକୁ ଭେଟେ-। ଭାରି ମଜା । ଗୋଟାଏ ରାତି ଭିତରେ ଦୁନିଆ ବଦଳି ଯାଇପାରେ । ଯା’ହେଉ ଠାକୁରେ ସୁମିର ଡାକ ଶୁଣିଲେ ।

 

ସୁମି ଘର ଭିତରକୁ ଯାଇ ମା’କୁ କହିଲା–‘ମା’ଲୋ ମୋତେ ଆଜି କାଗଜଡଙ୍ଗା କରିଦେବୁ–ମୁଁ ଖେଳିବି’ । ସେ ମା’ର ପିଠି ଉପରେ ଅଳିକରି ଲାଉ ହୋଇପଡ଼ିଲା ।

 

(୬)

 

ସୁମି ଗଇଁଠା ପାଉଁଶ ପୁଳାଏ ହାତରେ ଧରି ଫେରିଲା ଦାଣ୍ଡକୁ । ମୂଷାଦାନ୍ତ ଭଳି ତା’ର କୁନିକୁନି ଦାନ୍ତଗୁଡ଼ିକୁ ସେ ଧକା କରିବାକୁ ଲାଗିଲା । ପାଉଁଶ ତାକୁ ଏତେ ଭଲ ଲାଗେ ଯେ ଘସୁଘସୁ ସେ କିଛି ଖାଇପକାଏ ବି । ଏବେ କିନ୍ତୁ ଚଞ୍ଚଳକରି କାମ ଶେଷ କରିବା ତାର ପ୍ରଧାନ ଲକ୍ଷ୍ୟ । ଏତିକିବେଳେ ଟୁନୀ ନାଲୁମିଶ୍ରଙ୍କ କାନ୍ଧରେ ବସି ଆସି ପହଞ୍ଚିଗଲା । ଟୁନୀକି ଦେଖି ଆହୁରି ଚଞ୍ଚଳ ହୋଇ ଉଠିଲା ସୁମି । ପିଣ୍ଡାତଳେ ପାଣିସୁଅ । ମୁହଁ ଧୋଇବା ଲାଗି ପାଣିର ଅଭାବ ନାଇଁ । ସେ ପିଣ୍ଡା ଉପରେ ବସି ତଳକୁ ହାତ ବଢ଼େଇଲା । ତାର ଟିକି ଟିକି ଆଲମ୍ବ ହାତ ପାଣିକୁ ଛୁଇଁବି ପାରିଲା ନାଇଁ । କିନ୍ତୁ–ସୁମି ଛାଡ଼ିବାର ପିଲାନୁହଁ,–ତାର ଜିଦ୍‌ ସେ ଛୁଇଁବହିଁ । ସେ ପୁଣି ବେକଭାଙ୍ଗି, ପିଠି ବଙ୍କେଇ ହାତ ବଢ଼େଇଲା । ତାର ହାତ ସୁଅ ଛୁଇଁଲା, ହେଲେ ତାହା କେବଳ ସ୍ପର୍ଶ ବ୍ୟତୀତ ଆଉ କିଛି ନୁହେଁ । ଏହି ସମୟରେ ଟେଳାଏ ମାଟି ତାରି ପାଖର ପିଣ୍ଡା କଡ଼ରୁ ଖସିପଡ଼ିଲା ପାଣିରେ–‘ଦାଲୁ-ଛଲ’ । ଚମକି ପଡ଼ିଲା ସୁମି । ବିଜୁଳି ବେଗରେ ସେ ହାତ ଉଠାଇ ଆଣିଲା ପାଣି ଉପରୁ ଝାଁ-ଝାଁ କରି ତା ଦେହରେ କଣ ଗୋଟାଏ ସର-ରର କରି ସର୍ବାଙ୍ଗ ଖେଳିଗଲା । ସେ ଥରି ଉଠିଲା ।

 

ନାଲୁମିଶ୍ରେ ସତର୍କ କରିଦେଇଁ କହିଲେ–ପିଣ୍ଡାରୁ ମାଟି ଟେଳା ଟେଳା ହୋଇ ଖସିବା ଆରମ୍ଭ କଲାଣି । ପିଲାଏ ଆଉ ପିଣ୍ଡାରେ ବସନାହିଁ । ପଡ଼ିଯିବ ତଳେ ।

 

ସୁମି ଭାବିଲା–ଯଦି ଏଇଁକ୍ଷଣି ତାଆରି ବସିବା ଜାଗାଟି ଭାଙ୍ଗି ପଡ଼ିଥାନ୍ତା ତେବେ... !! ତେବେ..... !!

 

ସୁମି ଘରଭିତରେ ମା ଆଣି ରଖିଥିବା ପରିଷ୍କାର କୂଅପାଣିରେ ମୁଁହହାତ ଧୋଇଲା । ହଠାତ୍‌ ନଈପାଣି ପ୍ରତି ତା’ ମନରେ କେମିତି ଭୟ ଫୁଟି ଉଠିଲା ।

 

(୭)

 

ନଈ ବେଳକୁ ବେଳ ଅଧିକ ଅଧିକ ଫୁଲୁଛି–ଅଜଗର ସାପ ଭଳି । ଶିରିପୁରିଆପୁର ଗାଁରେ କଣରେ କଣରେ ପାଣି ଭରିଗଲାଣି । ଗଛ ଖସିଲା ଫୁଲ ଆଉ ମାଟି ଛୁଇଁପାରୁନି–କେବଳ ଜଳେ ଜଳେ ଭାସିଯାଉଚି । ସୁମି ଅବାକ୍‌ । ଏଇ ଦିନରେ ଫୁଟେ ଚମ୍ପା, କନିଅର, କୃଷ୍ଣଚୂଡ଼ା, କେଳି-କଦମ୍ବ । ସୁମିଘର ବାଡ଼ିରେ କନିଅର ଗଛ ଭର୍ତ୍ତି । କେତେକ ଚମ୍ପା–କୃଷ୍ଣଚୂଡ଼ା ସହିତ କନିଅର ଫୁଲ କେଇଟା ସୁଅରେ ଭାସିଗଲା ବେଳେ ସୁମିଆଡ଼କୁ ଚାହିଁ ଚାହିଁ ଯାଉଥାନ୍ତି ।

 

ରାମାନନ୍ଦଙ୍କ ହାତରେ ଏକ ପାଞ୍ଚହାତିଆ ଠେଙ୍ଗା । ହେଲେ, ଠେଙ୍ଗାର ପ୍ରକୃତି ଆଗରେ କରାମତି କଣ ? ବୈତରଣୀ ନଈ ଶତ ଶତ ଠେଙ୍ଗାକୁ ବି ଟିକିଏ ହେଲେ ଡରେନାଇଁ ।

 

ନଳିତା କିଆରୀରେ ପାଣି ପଶିଚି । ଲଙ୍କାକମକରିଚ ଗଛଗୁଡାକର ଅଗ ପର୍ଯ୍ୟନ୍ତ ଦେଖା ଯାଉନାଇଁ । ବାଉଁଶ ବତା ପାଖର କୁଦଟାର ମୁଣ୍ଡ ଦିଶୁଚି । ଆଉ କ୍ଷଣକରେ ସେ ବି ସଲିଳ ସମାଧି ପାଇବ । ଫୁଟି ଫୁଟି ଆସୁଥିବା କଢ଼ି, ଲାଲ ପଡ଼ି ଆସୁଥିବା ଫଳ–ସଭିଙ୍କୁ ନଷ୍ଟ କରିବା ଯେମିତି ଏଇ ବଢ଼ିର ଲକ୍ଷ୍ୟ । ମଣିଷକୁ ଚିରଦିନ ପ୍ରକୃତି ବିରୋଧରେ ସଂଗ୍ରାମ କରିବାକୁ ପଡ଼ିଛି....କିନ୍ତୁ ଏଇ ପ୍ରକୃତି ଆଧୁନିକ ସୁବିଧାବାଦୀ ରାଜନୈତିକ ପିନ୍ଧା ସେନାମାଳା ପରି ଅତି ନିର୍ଦ୍ଦୟ । ଅନ୍ୟର ଦୁଃଖ-ଅଶ୍ରୁ ସମ୍ପର୍କରେ ବ୍ୟଥିତ ହେଲାଭଳି ହୃତ୍‌-ତନ୍ତ୍ରୀ ୟା’ଙ୍କର ନାଇଁ । ବିଚାର ବୁଦ୍ଧି ଆସିବ କାହୁଁ ?

 

ମାହାରା ମୁଖରୁ ଭାସି ଆସୁଚି ବଢ଼ିର ସୁ-ସୁ ଗର୍ଜନ । ଅବିରାମ । ସାଗର ତୀରରେ ବସିଲା ଭଳି ଲାଗୁଚି । କେଉଁଠି ଭଉଁରୀ ହେଉଚି–କର୍-କର୍‌ କ୍ର । ରାମାନନ୍ଦ ପ୍ରିୟ କଦଳୀଗଛଗୁଡ଼ିକୁ ଦୃଷ୍ଟି ଢାଳିଲେ । ଗଛଗୁଡ଼ିକ ବାଙ୍କିଯାଇ ଓସାରିଆ ସବୁଜ ପତ୍ରଗୁଡାକ ପାଣି ଛୁଇଁଲେଣି । ବାଘର ନିଶାର ଝଙ୍କାଳିଆ କଣ୍ଟା, ପତ୍ରଦେଇ ପାଣି ବାଟ କାଟୁଥିବାରୁ ଶବ୍ଦ ହେଉଚି–ଚିରି-ଚିରି-ଚିରି–ଠିକ୍‌ ଚିତିସାପ ବୋବେଇଲା ଭଳି ।

 

ରାମାନନ୍ଦ ଘରତଳି ଉଚ୍ଚ । ନଇଲେ ଘର ଭିତରେ ଏତେବେଳକୁ ନାଆ ଖେଳନ୍ତାଣି । ନଈକୂଳିଆ ଲୋକେ ପ୍ରାୟ ଘରତଳି ଉଚ୍ଚେଇଥାନ୍ତି । ତଥାପି ପ୍ରତିବର୍ଷ କାହାର କିଛି ନା କିଛି କ୍ଷତି ହୁଏ । କାହାର କାନ୍ଥ ପଡ଼େ–କାହାର ବିଲରେ ଚରେ ବାଲି–କାହାର ଧୋଇ । କାହାର ନଳିତା କିଆରୀ ପାଣି ମାଡ଼ରେ ହୁଏ କ୍ଷତବିକ୍ଷତ । ବନ୍ୟା ଋତୁ ଶେଷ ଯାଏଁ ନଈର ବିଷ ଲାଗି ରହିଥାଏ । ରାମାନନ୍ଦଙ୍କ ଭଳି ମଧ୍ୟବିତ୍ତ ଲୋକେ ଧାର କରଜ କରି ପିଲା ଛୁଆଙ୍କୁ ବଞ୍ଚେଇ ନିଅନ୍ତି । ଶୀତ ଦିନରେ ଫଟା କାନ୍ଥରେ କାଦୁଅ ଲେସନ୍ତି । ହେଲେ ଦରିଦ୍ରର କାନ୍ଥ ସେଇମିତି ଅଦିଆ ରହିଯାଏ । ବର୍ଷ ବର୍ଷ ଧରି ସେ ଆଉ ବାଉଁଶ କି ମାଟି ଯୋଗାଡ଼ କରିପାରେନି ।

 

ଗଗନଗୁଡ଼ିଆ ଘର ଗାଁ-ମୁଣ୍ଡରେ । ଗତ ବର୍ଷ ବଢ଼ିରେ ତାର କାନ୍ଥ ପଡ଼ି ଯାଇଥିଲା । ଗଗନ ତ ଚିର ପ୍ରବାସୀ । ଥାଏ କଲିକତାରେ । ସେଠି ତାର ଏକ ଛୋଟ ଧରଣର ଗୁଡ଼ିଆ ଦୋକାନ । ଦାନାଦାର, ସନ୍ଦେଶ, ବିରିବରା, ପକୁଡ଼ି ତିଆରି କରି ବିକ୍ରି କରେ । ସମୟ ସମୟରେ ତିଆରି କରେ ଲଙ୍କା-ପିଆଜ-ଭର୍ତ୍ତି ହୋଇଥିବା ରାଗ ରାଗୁଆ ଚକୁଳି । ପ୍ରବାସରେ ଓଡ଼ିଆ ଖାଦ୍ୟର ମୋହ ଅନେକ ଓଡ଼ିଆଙ୍କୁ ଆକୃଷ୍ଟ କରେ । କିଏ ଛାତ୍ର, ଚାକିରିଜୀବୀ, କେହି ବି ଦଲାଲ–ଗାଁ-ରୁ ବିଧବା ତରୁଣୀଙ୍କୁ ନେଇ କଲିକତାରେ ନାମାଜାଦା ବେଶ୍ୟାଙ୍କୁ ବିକ୍ରି କରେ । ଆଉ କିଏ ବା ଘରର ହୋଟେଲରେ ପୂଝାରୀ କିଏ ବା ମୋଟିଆ, ଭାରୁଆ, ଓଡ଼ିଶା ଛାଡ଼ି ସୁବିଧାରେ କଞ୍ଚା ପଇସା ଅର୍ଜନ ଲାଗି କଲିକତା ଆସିଥାନ୍ତି । ସେଇମାନେ ଚଢ଼ନ୍ତି–ଗଗନର ଦୋକାନକୁ । ଗଗନ ତେଲ କରେଇରୁ ଛାଣୁ ଛାଣୁ ଜିନିଷ ଶେଷ ହୋଇଯାଏ । ଗାଁ ଅପେକ୍ଷା ତାର ସେଠି ବେଶି ରୋଜଗାର ହୁଏ । ଗଗନ ଘରକୁ ଆସେ–ଆସିବ ନାହିଁ କେମିତି ? ଯାହାଙ୍କ ଲାଗି ତାର ଶ୍ରମ, ସାଧନା–ସେଇମାନଙ୍କୁ ସେ ଶିରିଆପୁରରେ ଛାଡ଼ି ଯାଇଚି । ତାର ସ୍ତ୍ରୀ–ଆଉ ଆଠ ନ’ବର୍ଷ ର ଏକମାତ୍ର ପୁଅ ଟିମା ।

 

ଗତବର୍ଷ ଅଚାନକ ଭାବରେ ବଢ଼ି ମାଡ଼ି ଆସି ତାର ଘର ଭାଙ୍ଗିଦେଲା । ଗଗନ ସ୍ତ୍ରୀ ଏକା । ମାଇପିଟା କରେ କ’ଣ ? ସାଙ୍ଗରେ ପିଲାପୁଅ । ଅଜ୍ଞାନ । ମା’ ଲାଗି ସୁବିଧା କରିବା ଭଳି ଅବସ୍ଥା ତାର ଆସିନାଇଁ । ସେମାନଙ୍କ ଦୁଃଖରେ ସମଦୁଃଖୀ ହେଲେ ରାମାନନ୍ଦେ । ନିଜଘରେ ଆଣି ଆଶ୍ରା ଦେଲେ ।

 

ଗଲା ମାଘ ମାସରେ ଗଗନ କଲିକତାରୁ ଆସି ଘରତୋଳି ଯାଇଛି । ଏଥର ଘରତୋଳି ଯଥାସମ୍ଭବ ଉଚ୍ଚ କରାହୋଇଚି । କିନ୍ତୁ ବଢ଼ି ଯଦି ଘଣ୍ଟାକୁ ଘଣ୍ଟା ପ୍ରବଳ ବେଗରେ ଉଛୁଳେ–ତେବେ ଗଗନର ଚାଳି ଖଣ୍ଡକ ରହିବ ନାଇଁ ।

 

ଗଗନ ଠିକ୍‌ କହୁଥିଲା–ସାଆନ୍ତେ ଆଉ ଗାଁରେ ମୁଁ ରହି ପାରିବିନାଇଁ । ମୁଁ ତ ସଦାସର୍ବଦା ପ୍ରବାସୀ ହେଲି–ଏଠି ମୋର ପିଲା-ଛୁଆଙ୍କୁ ଦେଖିବ କିଏ ? ଟିମା-ମା ଏକା, ଦେହ-ପା ହେଲେ ପାରି ଉଠୁନାଇଁ । ତମେ ନଥିଲେ ଗଲାବଢ଼ିରେ ସେମାନଙ୍କ ମୁଖ ସତେ କଣ ମୁଁ ଦେଖିପାରିଥାନ୍ତି । ଏଥର ତାଙ୍କୁ କଲିକତା ନେଇଯିବା ଭଲ । ପୁଅ ସେଇଠି ଦୁଇ ଅକ୍ଷର ପଢ଼ିବ ବଙ୍ଗଳା ହେଉ ପଛକେ, ଜ୍ଞାନ ତ ସବୁ ସମାନ । ଏଠି ବଢ଼ି ସହିବାକୁ ଆମଭଳି ଦରିଦ୍ରଙ୍କର ଧଇର୍ଯ୍ୟ ନାହିଁ ।

 

ନନ୍ଦେ ଉତ୍ତର ଦେଇଥିଲେ–‘ଦେଖ୍‌ ଗଗନ । ୟେ’ ତୋର ଜନ୍ମମାଟି । ଏକୁ ଛାଡ଼ିବୁ ନାଇଁ । ବଢ଼ି ତ ସବୁ ବର୍ଷ ଆସୁଚି । ଆମେ ଥାଉଁ ଥାଉଁ ତୋ ଛୁଆଏ ଅନାଥ ହୋଇ ବୁଲିବେ ନାହିଁ-। ସମାଜ ଗଢ଼ା ହୋଇଚି ଯେତେବେଳେ ପରସ୍ପରର ଦୁଃଖରେ ବିପଦରେ ସାଥୀ ହେବା ସବୁ ସାମାଜିକ ମନୁଷ୍ୟର କର୍ତ୍ତବ୍ୟ । ’

 

ଗଗନ ନନ୍ଦଙ୍କ କଥା ରଖିଚି । ଘର ତିଆରି ସ୍ତ୍ରୀ-ପୁଅଙ୍କୁ ଗାଁରେ ଛାଡ଼ି ଯୋଜନ ଯୋଜନ ଦୂରର କଲିକତା ନଗରୀରେ ରହିଚି । ଘଣ୍ଟାକର ବାଟ ନୁହେଁ ଯେ ଖବର ଦେଲେ ଚାଲି ଆସିବ । ଏବେ ରାମନନ୍ଦଙ୍କର ଦାୟିତ୍ୱ ଓ ମାନବିକତାର ପରୀକ୍ଷା ବେଳ ଉପସ୍ଥିତ । ଗଗନ ଘର ଉପରେ କିଛି ବିପଦ ପଡ଼ିଲେ ପାପ ନନ୍ଦଙ୍କର । ଗଗନକୁ କଥା ଦେଇ ସେ ଭୁଲ୍‌ କରିଛନ୍ତି ।

 

ରାମାନନ୍ଦେ ପାଣି ଭିତରେ ଠିଆ ହୋଇ ଭାବୁ ଭାବୁ ଆଣ୍ଠୁ ପାଣି ଆସି ଜଙ୍ଘ ଛୁଇଁଲା । ସେ ଗଗନ ଗୁଡ଼ିଆ ଘରଆଡ଼େ ଚାଲିଲେ ।

 

(୮)

 

ବର୍ଷା ବଢ଼ି ଦିନ ବୋଲି ସୁମି-ମା ସକାଳୁ ସକାଳୁ ସୁମିପାଇଁ ବଢ଼ାଭାତ ରାନ୍ଧିଛନ୍ତି । ଭାତରେ ବାଇଗଣଟେ, କଞ୍ଚା କଦଳୀ ଦୁଇଟା ଓ ବଡ଼ ନଇନ୍‌ତାଲ୍‌ ଆଳୁରୁ ଗୋଟାଏ ସିଝା ହୋଇଚି-। ସୁମି କଦଳୀ ଚକଟାକୁ ବେଶି ଭଲପାଏ । ଟୁନୀ ଓ ସୁମି ଖାଇ ବସିଲେ । ନାଲୁମିଶ୍ରେ ଟୁନୀକୁ ଛାଡ଼ି ଅନ୍ୟ ଆଡ଼େ ଯାଇଛନ୍ତି ।

 

ଖାଇବା ସରିବା ପରେ ଟୁନୀ ଡାକିଲା ସୁମିକୁ ବଢ଼ିପାଣି ଦେଖିବାକୁ । ଦାଣ୍ଡରେ ସୁଅ । କେଡ଼େ ଆନନ୍ଦର କଥା । ଘରେ କାହିଁକି ଅମୁହାଁ ହୋଇ ବସି ରହିଥିବେ । ସୁମିର କିନ୍ତୁ ମନ ହେଲାନାହିଁ । ତାର ଭୟ, ପିଣ୍ଡା ଯଦି ଭାଙ୍ଗିପଡ଼େ–ତେବେ ସେ ନିଶ୍ଚୟ ତଳେ ପଡ଼ିଯିବ । କାନ ନାକରେ ପାଣି ପଶିଯିବ । ନା–ନା–ସେ ଆଉ ପିଣ୍ଡା ଉପରକୁ ଯିବ ନାଇଁ ।

 

ଟୁନୀ ସୁମିର ହାତଧରି ଟାଣିଲା–‘ଆଈଲୋ, ପିଣ୍ଡାରେ ଚଟେଇ ପକେଇ ବସିବା ।’

 

ସୁମି ଚୁପ୍‌ ହୋଇଗଲା । ଦାଣ୍ଡ ପିଣ୍ଡାରେ ଚଟେଇ ପକେଇ ସେମାନେ ସାମ୍ନାରେ ଆଖି ଯେତେ ଦୂରକୁ ପାଇଲା ଚାହିଁଲେ । ସୁମି କାନ୍ଥକୁ ଆଉଜି ବସିଥାଏ । ମାଟିଆପାଣିର ଆସ୍ତରଣ ଶିରିଆପୁର ଗାଁର ଛାତି ଉପରେ । ଗଛ ଗଛ ଭିତରେ ବ୍ୟବଧାନ ସହଜରେ ଜାଣି ହେଉଚି । ଦୂରରେ ଆସି ସଳଖା ଜାଗାରେ କୁନି-ମା ପାଲୁଣୀର ଢିଅ । ବହୁତଗୁଡ଼େ ସୁଗନ୍ଧରାଜ ଗଛ ତାରି ଢିଅଟିକୁ ପୁଷ୍ପାୟିତ କରିଚି । କୁନି ମା’ର ବଂଶ ନିପାତ ହୋଇଥିଲେ ବି ଫୁଲଗଛ କୁନି ମା’ର ସୌନ୍ଦର୍ଯ୍ୟମୟ ସୁଗନ୍ଧମୟ ଜୀବନର ପ୍ରତୀକରୂପେ ସଂକେତ ସହ ଜନ୍ମ ନେଇଛି । ସୁମି-ମା କହନ୍ତି–କୁନି-ମା ଭାରି ସୁନ୍ଦରୀ ଥିଲା । ଶାଶୁଘରକୁ ଆସିବାର ବରଷକ ଭିତରେ ହେଲା ପୁଅ, ‘କୁନି’ । ତା’ପରେ କୁନିମା ହେଲା ବିଧବା । ସେତେବେଳକୁ କୁନି-ମାର ବୟସ ଅଠର ହୋଇନାଇଁ-। ପିଲାଟା । ମୂଲିଆଘର ବୋହୂ ହେଲେ ବି ସ୍ୱାମୀ ଥିଲାବେଳେ ତାର ଗୋଡ଼ ଆଉ କେହି ଦେଖି ନଥିଲେ । ଥରେ ଦି’ଥର ଯାହା କୁନି-ମା ହଳ-ବିଲକୁ କୁନି-ବାପଲାଗି ପାଣି ଓ ପଖାଳ ନେଇ ଯାଇଥିଲା । ଆଉ ନୁହେଁ.... । କୁନି ଗର୍ଭରେ ରହିଲା ଦିନରୁ ସେ ଆଉ କୁଆଡ଼େ ବାହାରି ନାହିଁ । ହେଲେ, ବିଧବା ହେବାପରେ ଶିଶୁକୁ ଦୁଧ ଖୋଇବାକୁ ପଇସା କୁଆଡ଼ୁ ପାଆନ୍ତା । ବିଧବା ହୋଇ ୟା’ ଘରେ ତା ଘରେ କୁଲି କାମକଲା । ତାର ରୂପଦେଖି କାଳେ ସମସ୍ତେ ପାପ ଚିନ୍ତା କରୁଥିଲେ । କିନ୍ତୁ କୁନି-ମା ଗୁଣରେ ଥିଲା–ଇସ୍ପାତ୍‌; ବେତ ନୁହେଁ । ନିଜକୁ ଠିକ୍ ରଖି ସେ ରାତି ଅଧରେ ବି ଏପାଖ ସେପାଖ ହୁଏ–ସବୁକାମ କରେ । ପିଲାଟି ବଢ଼ିବା ବେଳରେ ହଠାତ୍‌ କେଉଁ ଏକ ରୋଗରେ ମରିଗଲା–କୁନିମାକୁ ସବୁଦିଗ ଅନ୍ଧାର ଦିଶିଲା । ଆଉ କାହିଁକି ସେ ବଞ୍ଚିବ-? ସ୍ୱାମୀ ଯାଇଥିଲେ–ପୁଅ ବି ଗଲା । ତା’ ଜୀବନରେ ଆଉ କେଉଁ ସୁଆଦ ଅଛି ? ତୁନି ହୋଇ ସେମିତି ଘରେ ଥାଏ । କୁନିମା ଉରାଉପରୁ ଏକ ଦଉଡ଼ି ଝୁଲେଇ ଦେଲା–ଶକ୍ତ ଏକ ଫାଶ-। ଘରର ସବୁ ଝରକାପତ୍ର ବନ୍ଦ କରିଦେଲା; ସବୁ କିରୋସିନୀ ଢାଳି ଲଗେଇଲା ନିଆଁ । ନିଆଁ ଧରିଲା ଓଳିକଡ଼ର ଚାଳକୁ । କୁନିମା ବି ଝୁଲି ପଡ଼ିଲା–ଉରା ଉପରରୁ ଝୁଲିଥିବା ଫାଶରେ-

 

ଦୁଇଟି ଦେହର ଦହନ ଅଗ୍ନିର ଘର ଭୋଜନ ସହିତ ସମାପ୍ତ ହୋଇଥିବାର ଗ୍ରାମବାସୀ ଦେଖିଲେ । ସେତେବେଳକୁ ଆଉ କାହାର କିଛି ଉପାୟ ନଥିଲା । ସେଇଦିନରୁ ସେଇ ଢିଅଟା ପଡ଼ିଚି । ତା ଉପରେ ଉଈହୁଙ୍କା । ସୁଗନ୍ଧରାଜ ଗଛ–କନିଅର ବୁଦା ସବୁ ଫୁଲ ଫୁଟେଇ ବସିଚନ୍ତି ।

 

ଏକ ଜନ୍ଦାଖାଇ ଫଳ ସହିତ ସୁମି ମନ ଢିଅ ପାଖରୁ ଘୂରି ଫେରି ଆସିଲା । କିନ୍ତୁ ଜନ୍ଦାଖାଇ ଫଳଟି ସୁମି-ଘର ଦାଣ୍ଡଦେଇ ଭାସିଗଲା ପରେ ସୁମିର ମନ ତା ସହିତ ନଯାଇ ଟୁନୀ ପାଖରେ ରହିଗଲା । ପୁଣି ସେଇବାଟ ଦେଇ ଗୋଟିଏ ପାକଲା ତାଳ ଭାସି ଭାସି ଆସିଲା, ତାଳଟିକୁ ଦେଖି ସୁମିର ଲୋଭ ହେଲା । ଟୁନୀର ବି । ଦାଣ୍ଡରେ ପାଣି ସୁମିକୁ ଆଣ୍ଠୁଏ;–ଧୀର ସୁଅ ପଡ଼ିଚି । ହେଲେ ସୁମି କେଜାଣି କାହିଁକି ଡରି ଯାଇଚି । ଗତ ରାତ୍ରିର ପରିକଳ୍ପନାଗୁଡ଼ିକୁ ସେ କାର୍ଯ୍ୟରେ ପରିଣତ କରିପାରି ନାଇଁ ବୋଲି ଦୁଃଖିତ । ନା–ସେ ଏଇଥର ତାଳଟିକୁ ଧରି ଆଣିବ ।

 

ସୁମି ଓହ୍ଲେଇଲା ତଳକୁ । ସୁମି ପଛକୁ ଟୁନୀ ।

 

ତାଳ ନିଜ ବାଟରେ ଭାସି ଯାଉଛି । ଆଶା କଲା ଲୋକ ତା ପାଖକୁ ଯିବ । ସେ ତ ଆଉ ବଳେ ବଳେ ଆସିବନି । ସୁମି ଗୋଡ଼ ଟେକି ପାଣି ଚବର୍‌ ଚବର୍ କରି ଆଗେଇଲା ।

 

ଯେତେ ନିକଟର ସାଙ୍ଗ ହେଲେ ବି ଦୁଇ ସମବୟସୀଙ୍କ ଭିତରେ ପ୍ରତିଯୋଗିତା ସବୁବେଳେ ଭିତରେ ଚାଲିଥାଏ । କେହି କାହାକୁ ଅଧିକ ଗୌରବରେ ମଣ୍ଡିତ କରିବାକୁ ପ୍ରସ୍ତୁତ ନଥାନ୍ତି । ନିଜେ ନ ପାରିଲେ,–ଅନ୍ୟକୁ କେବଳ ଖତେଇ ହୋଇଥାନ୍ତି ।

 

ଟୁନୀ ମନ ଭିତରେ ସୁମି ସହିତ ଦଉଡ଼ ଆରମ୍ଭ କରି ଦେଇଥାଏ । ସୁମି ଆଗେଇ ଯାଉଛି ଦେଖି ତା ମନରେ ଈର୍ଷା ଜାଗିଲା । ବୈଫଲ୍ୟର ବିକଟ ଚକ୍ଷୁ ତାକୁ ଆଘାତ ଦେଲା,–ଆଘାତ ସେ ସହିପାରିଲା ନାଇଁ । ଆଉ ଟିକକପରେ ସୁମି ତାଳଟିକୁ ଧରିବ ଖୁବ୍‌ ପାଖେଇ ଗଲାଣି-। ଟୁନୀ ସଫଳତାର ଆଶାରେ ଅନ୍ତତଃ ଶେଷ ସଂଗ୍ରାମ କରିବା ଦର୍କାର । ସେ ଜୋର୍‌ ପାଦ ଉଠେଇ ଡେଇଁ ପଡ଼ିବାକୁ ଚେଷ୍ଟାକଲା । ଫଳ ହେଲା ଓଲଟା । ସୁମି ଧରି ପକେଇଲା ତାଳଟିକୁ ଖୁବ୍‌ ମଜାରେ । କିନ୍ତୁ ଦାଲୁକିନି କଚାଡ଼ି ହୋଇ ପଡ଼ିଲା ପାଣିରେ, ତାର ଗୋଡ଼ ଖସିଗଲାରୁ ନିଜକୁ ସମ୍ଭାଳିବାର ଅବସ୍ଥାରେ ସେ ସେତେବେଳେ ନଥିଲା । ଓଦା ସର ସର ହୋଇ ଉଠି ଖାଲି ଗୋଟାସାରା ଥରିଲା ଆଖିରୁ ଝରିଲା ବସନ୍ତରା ଠେକି,–ଆଉ ତା ସହିତ ନାକ ଓ ତଣ୍ଟିରୁ କୁଁ-କୁଁ-କୁଁ ଶବ୍ଦ । ଟୁନୀର ଏ ଅବସ୍ଥା ଦେଖି ସୁମି ଆଉ ପାଦେ ଏପାଖ କି ସେ ପାଖକୁ ଯାଇପାରିଲା ନାଇଁ । ଖାଲି ତାଟଙ୍ଗା ହୋଇ ନୀରବରେ ଚାହିଁଲା । ଟୁନୀକୁ ତୁନି କରିବ କଣ ନିଜେ ବି ସକେଇ ଆରମ୍ଭ କଲା । କେବଳ ଚାହିଁଥାଏ ଟୁନୀକୁ ଓ ଜାକି ଧରିଥାଏ ତାଳଟି । ଏମାନଙ୍କ କାନ୍ଦ ଯାଇଁ ଯାଇଁ ସୁମି-ମାଙ୍କ କାନରେ ଠାଏ-ଠାଏ କରି ବାଡ଼େଇ ହେଲା । ଏତିକିବେଳେ ପହଁରି ଆସିଲା ଏକ କାଣ୍ଡ ନଳସାପ–ବାଁ ପଟ କଣ୍ଟାବାଡ଼ରୁ । ପାଣି ଉପରେ ଖେଳିବାକୁ ତାକୁ ଯେମିତି ଭାରି ମଜା ଲାଗୁଚି । ଏଇ ଦାଣ୍ଡ ଉପରେ କାଣ୍ଡନଳ ପ୍ରତିବର୍ଷ ଥରେ ଥରେ ମନ ଖୁସିରେ ବୁଲିବାର ସୁବିଧା ପାଏ । ସୁମି କାଣ୍ଡନଳକୁ ଦେଖି ଭୟରେ ଚିତ୍କାର କଲା । କେବଳ ଚିତ୍କାର । ‘ସାପ’-କି-‘ମା’ କୌଣସିଟି ଉଚ୍ଚାରଣ କରିବାକୁ ତାର ଜିଭ ପଙ୍ଗୁ ହୋଇ ପଡ଼ିଥିଲା । ଆଖିବୁଜି ସେ କୁଣ୍ଢେଇ ପକେଇଲା ଟୁନୀକୁ । ତାଳଟା ହାତରୁ ଖସିପଡ଼ି ନିଜ ବାଟ ଦେଖିଲା । ପିଣ୍ଡା ଖୁବ୍‌ ନିକଟରେ । କିନ୍ତୁ ପିଣ୍ଡା ଉପରକୁ ଚାଲିଯିବାକୁ କାହାର ଶକ୍ତି ନାହିଁ । ଶକ୍ତି ବାହାର କରିବା ପାଇଁ ଦରକାର ବୁଦ୍ଧି । ସେମାନେ ବୁଦ୍ଧି ହରେଇ ବସିଥିଲେ ଭୟରେ, କେବଳ ଭୟରେ । ସୁମି ଅନୁଭବ କଲା ଯେମିତି କାଣ୍ଡନଳଟା ତାର ଗୋଡ଼ରେ ଗୁଡ଼େଇ ହୋଇ ଉପରକୁ ଉଠୁଚି ।

 

ଘର ଭିତରୁ ସୁମି ମା ଧାଇଁ ଆସିଲେ । କାହିଁକି କାନ୍ଦୁଚ ବୋଲି ପଚାରିବାକୁ ଆଉ ତାଙ୍କର ବି ଅବସର ନାଇଁ । ସେ କାଖ କରି ଟୁନୀ ଓ ସୁମିଙ୍କୁ ନେଇଗଲେ ଘର ଭିତରକୁ ।

 

କାଣ୍ଡନଳ ସାପଟା ତାର ବାଟେ ବାଟେ ଚାଲିଗଲା । ଛୁଆଙ୍କ କାନ୍ଦଣା ଓ ଭୟ ପ୍ରତି ତାର ନଜର ନଥିଲା ବୋଧହୁଏ ।

 

ତାଳ ଲୋଭରେ ପାଣି ଭିତରକୁ ପଶିଥିବା କଥା ସୁମି ମା ନିକଟରେ କହିଲା ନାଇଁ । ପ୍ରତିଜ୍ଞା କଲା–ଆଉ ତଳକୁ ଜମାରୁ ଓହ୍ଲେଇବ ନାହିଁ । ଟୁନୀ ଓ ସୁମି ଉଭୟେ ଗଲେ ସାନ ଢାଗୁଆ ଘରକୁ । ଖଟରେ ଶେଯ ପଡ଼ିଥାଏ–ସେଇଠି ବସିଲେ ।

 

ସେଇଟି ଗଲା ଅଇଲା ଲୋକଙ୍କ ଲାଗି ଶୋଇବା ଘର । ଘରର ଜିନିଷପତ୍ର ପ୍ରାୟ ନଥାଏ । ସିନ୍ଦୁକ, ତୁରଙ୍ଗ, ବାକ୍‌ସ, ପେଟରା ଇତ୍ୟାଦି ସବୁଥାଏ ବଡ଼ ଢାଗୁଆ ଘରେ । ସେଇ ଘରେ ମା’ ପାଖରେ ସୁମି ଦିନ୍‌ ଦିନ୍ ରାତିରେ ଶୁଏ । କିନ୍ତୁ ସାନ ଢାଗୁଆ ଘରେ ସୁମି ଜନ୍ମ ହୋଇଥିଲା । ଖଞ୍ଜା ଭିତର ଆଡ଼କୁ ଦରଜା–କବାଟ ଅଧା ମେଲା ଅଧା ଆଉଜା ହୋଇଥାଏ । ଝରକା ବୋଲି ଗୋଟିଏ–ଖଟ ନିକଟରେ ବାଡ଼ି ପାଖକୁ ମୁଖକରି । ସେ ପୁଣି ମରହଟ୍ଟା ଅମଳର । ଖାଲି ନାଁ’କୁ ଝରକା । ନାଁ ଆସିପାରିବ ଯଥେଷ୍ଟ ପବନ, ନାଁ ଆସିପାରିବ ଆଲୁଅ । ଖାଲି ଅଣନିଃଶ୍ୱାସୀ ହେବାରୁ ଯାହା ଟିକିଏ ରକ୍ଷା କରିବ । ଘର ପ୍ରାୟ ସଦାବେଳେ ଅଧାଅଧି ଅନ୍ଧାର, ବନରେ ସନ୍ଧ୍ୟା ପରି ।

 

ସୁମି ଟୁନୀ ପାଖକୁ ଲାଗି ଝରକା ପାଖରେ ବସିଲା । ସେ ଝରକା ଦେଇ ଚାହିଁଲା ବାଡ଼ି ଭିତରକୁ । ଗୋଟାଏ ସବୁଜଲତା ଭୂମି ଉପରୁ ଗୋଡ଼ହାତ ଟେକି ଆସି ଠିକ୍‌ ଝରକା ପାଖରେ ସୁଲୁସୁଲିଆ ପବନରେ ମୁଣ୍ଡ ଟୁଙ୍ଗାରିଲାଣି । କଅଁଳିଆ ନରମ ଶୀର୍ଷପତ୍ର ଦୁଇଟି ତାର କାନପରି ଦିଶୁଥାଏ । ସୁମି ଠିକ୍‌ ହାତ ବଢ଼େଇ ସାଉଁଳିବାକୁ ଗଲାବେଳେ ଚମକି ପଡ଼ିଲା । ସେଇଟା ଯଦି ସାପ ହୋଇଥାଏ–ନାଉଡ଼ଙ୍କ ସାପପରା ଲତାପରି ଲତା ସହିତ ଜଡ଼ିଥାନ୍ତି । ଚାହିଁଲା ଦୂରକୁ–ବଢ଼ିପାଣି ବାଡ଼ି ଭିତରେ କାୟା ବିସ୍ତାର କରି ଶୋଇଚି । ତାର ମୁନିଆ ତୀକ୍ଷ୍‌ଣ ବିଷଦାନ୍ତଗୁଡାକ କଟ କଟ କରି ଦିଶୁଚି । ସେ ଝରକା ପାଖରୁ ଘୁଞ୍ଚି ଆସିଲା ଓ ଟୁନୀକି ଆସିବାକୁ ଠାରି ଚୁପ୍‍ ରହିଲା-। ତଥାପି କଳା-ମୁଖ ତା’ ମନପଥରେ ତାଣ୍ଡବନୃତ୍ୟ ଦେଖାଉଥାଏ । ମନେହେଲା–କାଣ୍ଡନଳ ସାପଟା ଯେମିତି ଘର ଭିତରେ ସଟ୍‌ସଟ୍‌ ହୋଇ ବୁଲୁଛି କାମୁଡ଼ିବ କି ?

 

ସୁମି ତକିଆରେ ମୁଣ୍ଡଦେଇ ଶୋଇଲା । ଟୁନୀ ବି ତା ପାଖକୁ ଲାଗିଗଲା । କିଛିକ୍ଷଣ ପରେ ସେ କଣ ଭାବି ସହସା ଉଠି ବସିଲା । ଟୁନୀ ବି ତା ପରେ ଝାଡ଼ିଲା ତକିଆ । କାଣ୍ଡନଳ ସାପଟା ଏଇ ଝରକା ଦେଇ ଆସି ତକିଆ ତଳେ ଲୁଚିଅଛି କି କଣ ?

 

ସୁମି ଭାବିଲା–ଝରକା ଖୋଲା ରଖିବା ଆଉ ନିରାପଦ ନୁହେଁ । ଏଇ ଲତା ଦେଇ ସାପ ଯେ ନ ଆସିବେ କିଏ କହିବ । ଟୁନୀକୁ ଇଙ୍ଗିତ ଦେଲା ଝରକା ବନ୍ଦ କରିଦେବାକୁ ।

 

ଟୁନୀର ଆଉ ବଢ଼ିପାଣିକୁ ଚାହିଁଲାଭଳି ଧୈର୍ଯ୍ୟ ନଥାଏ । ସେ ଆଖି ବୁଜି ଅଣ୍ଡାଳି ଏକାନିଃଶ୍ୱାସରେ ଝରକା କବାଟ ଦୁଇଟା ବନ୍ଦ କରିଦେଇ ଶିକୁଳି ଲଗେଇ ଦେଲା । ଦୁହେଁ ଦୀର୍ଘନିଃଶ୍ୱାସରେ ଝରକା କବାଟ ବନ୍ଦ କରିଦେଇ ଶିକୁଳି ଲଗେଇ ଦେଲେ । ଦୁହେଁ ଦୀର୍ଘନିଃଶ୍ୱାସ ଛାଡ଼ି ଆଶ୍ୱସ୍ତ ହେଲେ ।

 

ଘର ଏବେ ଅଧିକ ଅନ୍ଧାରିଆ । ଅଧା ମେଲା ଦରଜା ଦେଇ ଯାହା ଅଳ୍ପ ଅଳ୍ପ ଦିନ-ଆଲୁଅ ଆସୁଚି । ସେ କିଛି ନୁହେଁ । ଆଟୁଘର କି ନା । ଦିନ ଦିପହରେ ଆଲୁଅ ନ ଜାଳିଲେ କିଛି ଦିଶେ ନାଇଁ । ଖଟତଳେ ମୁହଁ-ବନ୍ଧା କଳସି ଭିତରେ ବଡ଼ି ପଶି ରହିଛି; ଆଉ ଗୋଟାଏ କଳସିରେ ନିତ୍ୟାନି ଖର୍ଚ୍ଚ ଲାଗି ଚାଉଳ । ସବୁ କଳାରଙ୍ଗର କଳସି । ଆଟୁ ତଳର କାଠ ଉରାଗୁଡାକ ବି ଆଲ୍‌କାତରା ହୋଇ କଳା ମଚ୍‌ ମଚ୍‌ ଦିଶୁଚି । ଏଣୁ ଘରଟା ଭିତରେ ଖାଲି କଳା ଓ ଅନ୍ଧକାରର ରାଜତ୍ୱ ।

 

ଅନ୍ଧାରିଆ କଣଆଡ଼କୁ ଚାହିଁ ଟୁନୀକୁ ଡର ଲାଗିଲା, ସୁମିକୁ ତାଠାରୁ ବେଶି । ଉପାୟ ନଦେଖି ଟାଣିଆଣିଲା କମ୍ବଳଟା–ଦେହ ଉପରକୁ । ଟୁନୀ ଓ ସୁମି ଭିତରେ ଚୁପ୍‌ ହୋଇ ଶୋଇଲେ-। ଏବେ ଆଉ ବଢ଼ିପାଣି କିମ୍ବା କାଣ୍ଡନଳ ସାପ କେହି ତାଙ୍କୁ ଛୁଇଁ ପାରିବ ନାଇଁ ।

 

କିନ୍ତୁ ଯେତେ ଦୂରେଇବାକୁ ଚେଷ୍ଟା କଲେ ବି ଆଉ ସବୁକୁ ଆଡ଼େଇ ଦେଇ ସୁମି ଚିନ୍ତାରେ ବଢ଼ିପାଣିର ଚିତ୍ର ଆସି ହାଜର । ବାମ ଡାହାଣ ଯେଉଁ କଡ଼ମାଡ଼ି ଶୋଇଲେ ବି ସେଇ କାଣ୍ଡନଳ ସାପ ପହଁରିବାର ଦୃଶ୍ୟ ତାରି ଆଖି ସାମ୍ନାରେ । ଘରେ ଯେମିତି ବଢ଼ିପାଣିର ସୁଅ ପଡ଼ିଚି-। ଶୋଇଲା ଖଟ ଭାସୁଚି ପାଣିରେ । ଆଉ କାଣ୍ଡନଳ ସାପଟା ଖଟ ଗୋଡ଼ରେ ଲାଞ୍ଜ ଗୁଡ଼େଇ ସୁମିର ଗୋଡ଼ ନିକଟରେ ଫଣା ଟେକିଛି । ସୁମିର ଗୋଡ଼ ଥରି ଉଠିଲା । ସେ ହାତରେ ଗୋଡ଼ ଅଣ୍ଡାଳିଲା । କାଣ୍ଡନଳ ସାପଟା ସତକୁ ସତ ଗୁଡ଼େଇ ହୋଇଗଲା କି ?

 

ଟୁନୀ ଦେହରୁ ଝାଳ ବାହାରୁଚି–ସୁମିର ଫ୍ରକ୍‌ ଓଦା । ତେବେ ବି କମ୍ବଳଟି ଢାଙ୍କିହେବାକୁ ପଡ଼ିବହିଁ ପଡ଼ିବ ।

 

ସେଇ ସମୟରେ ସୁମି-ମା ନୀରବରେ ସେ ଘରକୁ ଚାଉଳ ନେବାକୁ ଆସିଲେ । ଖଟତଳ କଳସିରେ ଚାଉଳ । ସେ ନଇଁପଡ଼ି କଳସି ଅଣ୍ଡାଳିଲାବେଳକୁ ହଠାତ୍‌ ହାତ ଖଟ ଗୋଡ଼ରେ ବାଜି ଯିବାରୁ ଖଟ୍‌କରି ଶବ୍ଦ ହେଲା ।

 

ସୁମି ଓ ଟୁନୀ ନୀରବରେ ଶୋଇଥାନ୍ତି । ସୁମି-ମା ଚାଉଳ ମାପି ଚାଉଳଧୁଆରେ ଭର୍ତ୍ତି କଲାବେଳେ କାଚ ଝମ୍‌-ଝମ୍‌ ହେଲା । ସୁମି ଭାବିଲା–ନିଶ୍ଚୟ ଡାଆଣି । ଏଇ ଘରେ ସାନ ଖୁଡ଼ୀ ମରିଥିଲା ବୋଲି ମା’ କହେ । ମା’ କାଳେ ସାନ ଖୁଡ଼ୀର କାଚ ଶବ୍ଦ କେତେବାର ଶୁଣିଚି । ତାର ଭାରି ଲୋଭଥିଲା ଘର ଉପରେ; ଗୋରୁଗାଈ, ବେଲା ବାସନ, ଛୁଆ ପିଲାଙ୍କ ପ୍ରତି ତାର ବେଶି ଲୋଭଥିଲା । ଏ ନିଶ୍ଚୟ ସେଇ ସାନ-ଖୁଡ଼ୀର କାଚ ଶବ୍ଦ । ସୁମି ଥୟ ଧରି ରହି ନପାରି ହାଉଳି ଖାଇଲା–‘ମା-ମା’ । ଆଖି ବୁଜିଥାଏ–କମ୍ବଳ ଢାଙ୍କି ହୋଇଥାଏ ।

 

ସୁମି-ମା ଆଶ୍ଚର୍ଯ୍ୟ ହୋଇ କମ୍ବଳ କାଢ଼ିଲେ । ସେ ବୁଝି ପାରିଲେ ନାଇଁ ସୁମି ବାରମ୍ବାର ହାଉଳି ଖାଉଚି କାହିଁକି ?

 

ତା ପରେ ସୁମି କି ଟୁନୀ ଆଉ କେହି ଘର ଭିତରେ ଶୋଇଲେ ନାଇଁ । ହାଣ୍ଡିଶାଳେ ଚୁଲିମୁଣ୍ଡରେ ବସିଲେ–। ସେଠି ମା’ ଅଛି, ଡର କଣ ? ତା’ଛଡ଼ା ତେଲ ଜର ଜର ବଡ଼ି ଭଜା ଦୁଇଟା ଖାଇବାକୁ ମିଳିବ । କିଛି ନ ହେଲେ ଡାଲିସିଝା ଟିକେ । ସେ ବଢ଼ିପାଣି କଥା ଭୁଲିଯିବାକୁ ଚେଷ୍ଟା କଲା । ଟୁନୀ ସୁମି ପାଖରେ ବସିଥାଏ–ବାପା ଆସିଲେ ସେ ଘରକୁ ପଳେଇବ ।

 

(୯)

 

ବୈତରଣୀ ନଈ ଠାକୁରାଣୀ ଘାଇ ଦେଇ ପଠାଇଥିବା ସୈନ୍ୟମାନେ ଶିରିଆପୁର ଗାଁ’ଟାକୁ ପୂରା ଘେରି ଗଲେଣି । ଛୋଟ ଛୋଟ, ନାଗ ସାପ ପରି ବାଡ଼-ସନ୍ଧିରେ ନାଳୁଆ ମୁହଁରେ, ପଥର କଡ଼ରେ ପଶି ଖେଳୁଛନ୍ତି । ଚତୁର୍ଦ୍ଦିଗରେ ବଢ଼ିର ପଟୁଆର । ରାମାନନ୍ଦେ ଦେଖିଲେ–ସନା ଧୋବାର ବାଡ଼ିପଟ କାନ୍ଥ ପଡ଼ିଗଲାଣି । ନଳାବାଟେ ପାଣି ଜବରଦସ୍ତି ପଶିଆସି ଅଗଣା ଅଧିକାର କରିଚି । ଅଗଣାଏ ମାଟିପାଣି । ଆଉ କ୍ଷଣକରେ ପିଣ୍ଡା ଉପରକୁ ଉଠିପଡ଼ିବ । ଘରେ ସାନ ସାନ ଦୁଇଟା ଛୁଆ । ସନା ଭାରିଜାର କଣ ହବାର ଅଛି । ବେଳ ହେଲାଣି; କାଲି କି ପହରି ଦିନ କହି ହେଉ ନାଇଁ । ଏ ଅବସ୍ଥାରେ କଣ କରାଯାଏ ? ସନା-ମା ବ୍ୟତିବ୍ୟସ୍ତ ହୋଇପଡ଼ିଲା । ଏକା ସନା, ତାଙ୍କୁ ସମ୍ଭାଳିବ କେମିତି । ସନା ତାଙ୍କ ବାଡ଼ିପାଖ ଆମ୍ବଗଛକୁ ଲଗାଇ ଗୋଟିଏ ମଞ୍ଚା ତିଆରି କରୁଚି । ବାଆଁଶ ଖୁଣ୍ଟି ଦୁଇ ହାତ ଗହୀରକୁ ପୋତି ଦେଇଚି । ଉପରେ ତାଳ ବରଡ଼ା ତାଟିଟାକୁ ପକେଇ ଦେଲେ ବଢ଼ି ଶେଷଯାଏଁ ତା’ରି ଉପରେ ରହିଯିବେ ।

 

ନଈ ବଢ଼ୁଚି.... ।

 

ଦଶମୀ ଜୁଆର ପାଣି ଠେଲି ରଖିଚି । ନଈପାଣି ସମୁଦ୍ର ଭିତରକୁ ପଶି ପାରୁନାଇଁ । ଏଣେ ପର୍ବତମାଳା ବିନା ଦ୍ୱିଧାରେ ମୁକ୍ତହସ୍ତ । ସୁଅ ଗଡ଼ି ଆସୁଚି ପର୍ବତ କନ୍ଦରରୁ । ଗୋନାସିକାର ଦୁଇଟିଯାକ ପୁଡ଼ା ଖୋଲା । ସମ୍ଭାଳିବ କିଏ ?

 

ଗ୍ରାମସେବକ ବାବୁ ରେଡ଼ିଓ ଖବର ପାଇ ଗାଁକୁ ଗାଁ ଶୁଣେଇ ଦେଲେଣି । ବନ୍ୟା ପ୍ରବଳ ଗତିରେ ଆସୁଚି; ମଣିଷ ସାବଧାନ ।

 

ସମିତି ଘର କାନ୍ଥ ପଡ଼ିବା ଉପରେ । ଚାରିଆଡ଼େ ପାଣିର ଢେଉ । ବଢ଼ି ମକର ପରି କାନ୍ଥରେ ଆସି କ୍ଷଣକୁ କ୍ଷଣ ଲାଞ୍ଜ ପିଟି ଯାଉଚି ।

 

ପାଠାଗାର ବିପନ୍ନ । ବହି ଆଲମାରୀର ଉଦ୍ଧାର ଦର୍କାର । ବହି ଓ ଆଲମାରୀ କେତେ କଷ୍ଟରେ ଯୋଗାଡ଼ ହୋଇଚି । ଗାଁର ନୂଆ ପାଠୁଆଦଳ, ଗ୍ରାମସେବକ, ଆଉ ପରୋପକାରୀମାନେ ସାହାଯ୍ୟ କରିଛନ୍ତି ବହି ଯୋଗଡ଼ରେ । ହେଲେ, ଆଲ୍‍ମିରା ଖଣ୍ଡି ବହୁ ଅନୁରୋଧ ଓ ତୋଷାମଦିରେ ମିଳିଚି ଗାଁର ମହାଜନ ଖନା ପଧାନଠାରୁ । ଖନା ପଧାନ ସେଥିପାଇଁ ବେଳେବେଳେ ନିଜ ନାଁରେ ପାଠାଗାରର ନାମକରଣ କରିବାକୁ ଇଚ୍ଛା କରି ଦାବି କରୁଛି । ଗୋପବନ୍ଧୁ ବିଦ୍ୟାପୀଠ, ଗାନ୍ଧୀ ଆଶ୍ରମ ପରି ପଧାନ ପାଠାଗାର ହେଲେ ସେ କାଳ କାଳକୁ ବଞ୍ଚିଯାଆନ୍ତା । କିନ୍ତୁ ନାଲୁମିଶ୍ରଙ୍କ ପୁଅ ତାହା କରେଇ ନଦେବାରୁ ସେ ମାଟ୍ରିକ୍‌ ପାସ୍‌ ପିଲାଙ୍କ ଉପରେ ରାଗିକି ଖପ୍‌ପା । ଆଲ୍‌ମାରୀ ନେଇଯିବ ବୋଲି ଥରେ ଦୁଇଥର ଧମକ ବି ଦେଇଚି ।

 

ପାଠାଗାର ଉଦ୍ଧାର ଲାଗି ଭେଣ୍ଡିଆମାନେ ଲାଗି ପଡ଼ିଛନ୍ତି । କିନ୍ତୁ, ରଖିବେ ନେଇ କେଉଁଠି ? କାହା ଘରେ ? କିଏ ବନ୍ୟା-ବିପନ୍ନ ନହେବ ବୋଲି କଥା ଦେଇପାରିବ ? ଗାଁରେ କେହି ଏ ବୋଝ ମୁଣ୍ଡେଇ ପାରିବେ ନାଇଁ । ବନ୍ୟା ସମସ୍ତଙ୍କଠୁଁ ଆତ୍ମବିଶ୍ୱାସ ଟିକକ ବଳାତ୍କାରେ କାଢ଼ି ନେଇଚି । ଏକା ଦେଇପାରେ ସେଇ ଖନା ପଧାନ । ତାର ପଥର ଘର ଉଚ୍ଚ ପିଣ୍ଡା, କୋଠା । ବଡ଼ ବଡ଼ ଚଉପାଢ଼ୀ ଅଛି । ବଢ଼ି ସେଠିକି ପଶିବ ନାଇଁ । ଲକ୍ଷ୍ମୀ ଠାକୁରାଣୀ ସେଠି ଆନନ୍ଦରେ ମହଲସାଜି ରହିଛନ୍ତି କି ନା, ବରୁଣ ଯିବେ କେମିତି କେହି କଣ କନ୍ୟାର ଅମଙ୍ଗଳ ପାଞ୍ଚେ । ଖନା ପଧାନ ଘରକୁ ବହି ଆଲ୍‌ମିରା ବୁହା ହୋଇ ଯାଉଚି । ସେଇଠି ପାଠାଗାର ରହିବ । ସତେ କେଡ଼େ ଉଦାର ଲୋକ ଏ ଖନା ମହାଜନ । ଲୋକଙ୍କ ସୁବିଧା ଲାଗି ଶିକ୍ଷାର ପ୍ରସାର ଓ ବିକାଶ ଲାଗି କଣ ନ କରୁଛି ?

 

ରାମାନନ୍ଦେ ଛାତିଏ ପାଣିରେ ପଶି ପହଞ୍ଚିଲେ ଗଗନ ଗୁଡ଼ିଆ ଘରେ । ଯା’ହେଉ–ବଢ଼ି ୟା’ ଭିତରେ କିଛି ଅଶୁଭ କାଣ୍ଡ ଘଟାଇ ବସିନାଇଁ । ଗଗନ ସ୍ତ୍ରୀ ଭୟରେ ଥରୁଚି । ବଢ଼ି ପ୍ରତି ତାର ଟିକେ ହେଲେ ଆସ୍ଥା ନାଇଁ । ଗତବର୍ଷ ସେ ଭଲ କରି ଭୋଗିଚି କି ନା ? କାନ୍ଥ ଶକ୍ତ ଅଛି । ପାଣି ପିଣ୍ଡାକୁ ବି ଏ ଯାଏଁ ଛୁଇଁ ନାହିଁ । ରାମାନନ୍ଦେ ଦୀର୍ଘ ନିଶ୍ୱାସମାରି କହିଲେ–ତୁମେ ଆଉ ବ୍ୟସ୍ତ ହୁଅନା ଟିମା-ମା । ବଢ଼ି ଏଥର ଆଉ ତୁମର କିଛି କ୍ଷତି କରିବ ନାହିଁ । ଗଗନ ବୁଦ୍ଧିମାନ । ଉଚ୍ଚ ପିଣ୍ଡା କରିଯାଇଚି ।

 

ରାମାନନ୍ଦେ ଫେରିଲେ । ଗାଧୁଆବେଳ ହେଲାଣି ।

 

(୧୦)

 

ରାମାନନ୍ଦେ ଘର ପିଣ୍ଡା ଉପରେ ପାଦ ଦେଇଛନ୍ତି କି ନାଇଁ ସୁମି-ମା ବଡ଼ ପାଟିରେ କହିଲେ–ହାଁ-ହାଁ ଦେଖି କରି ଆସ । ସାପଟାଏ କାହୁଁ ଆସି ଦାଣ୍ଡଘରେ ପଶିଚି । ପହିଲେ ତାକୁ କାଢ଼ିବାର ବନ୍ଦୋବସ୍ତ କର ।

 

ସୁମି-ମା ଯେମିତି ଆଗରୁ ରାମନନ୍ଦଙ୍କ ଆସିବା ଓ ପିଣ୍ଡାରେ ପ୍ରଥମ-ପାଦ ରଖିବା ମୁହୂର୍ତ୍ତଟିକୁ ଗଭୀର ମନୋନିବେଶ ସହ ଅପେକ୍ଷା କରି ବସିଥିଲେ । ନ କରିବେ କେମିତି । କେତେବେଳେ କେଉଁ କଥା । ନାରୀର ସର୍ବସ୍ୱ ସ୍ୱାମୀ, ଧନ, ଯୌବନ, ମାନ, ଅଭିମାନ, ଦିଅଁ, ଦେବତା ସବୁ ତ ସ୍ୱାମୀଙ୍କ ଲାଗି । ସାପ ଜାତିରେ ନୃଶଂସ, ବିଶ୍ୱାସ କରିବ କିଏ ?

 

ରାମାନନ୍ଦେ ବି ସୁମି-ମାଙ୍କୁ ଉଚ୍ଚସ୍ୱରରେ କଥା କହିବା ଏଇ ପ୍ରଥମ କରି ଶୁଣିଲେ । ନଇଲେ ସଦାବେଳେ ଧୀର, ଠିକ୍‌ ଚାଲିପରି ଭଙ୍ଗିଳ ଓ ଅଧର ପରି ନରମ, ଚିତ୍ତ ଉଲ୍ଲାସକାରୀ । ଫଁ ଫଁ କରି କଥା କହିବା କହୁଁ କହୁଁ କା’ଘର ଝିଅ ଭଳି ‘ଖଡ଼ୁ ଉଞ୍ଚେଇ ହୁମୁ ହୁମୁ ହୋଇ ପେଲି ଆସିବା ପରି ବ୍ୟବହାର ନନ୍ଦେ କେବେହେଲେ ସୁମି-ମାଙ୍କଠାରୁ ପାଇ ନାହାନ୍ତି, ପାଇବେ ନାହିଁ ବୋଲି ବିଶ୍ୱାସ ।

 

ନନ୍ଦେ ସୁମି ମା କଥାରେ ଅଟକି ଗଲେ । ଠେଙ୍ଗା କାନ୍ଧରେ ଥାଏ । ଦେହରୁ ନିଗିଡ଼ି ପଡ଼ୁଥାଏ ପାଣି । ପିନ୍ଧିଲା ଲୁଗା ଓଦା, ଜୁଡ଼ୁବୁଡ଼ୁ । ପ୍ରଥମେ ସାପକୁ ବାହାର କରବା ଦର୍କାର । ନଇଲେ, ଛୁଆପିଲାଙ୍କୁ ନେଇ ଚଳି ହେବ ନାଇଁ । ବନ୍ୟାରେ କାହୁଁ କାହୁଁ ବାଇଜା ଅଜାତିଆ ସାପ ଭାସି ଆସନ୍ତି, ତାର ସୀମା ରହେନାଇଁ ।

 

ଏ ବନ୍ୟା ପ୍ରକୃତିର ପ୍ରଳୟଙ୍କରୀ ଭୈରବୀ ମୂର୍ତ୍ତି । ସମସ୍ତ ଜୀବାତ୍ମାର ବିନାଶ ତାହାର ଲକ୍ଷ୍ୟ । ସମସ୍ତଙ୍କ ଘର ଭାଙ୍ଗିଚି, ଭାଙ୍ଗିବ, ଭାଙ୍ଗୁଥିବ । ‘ସାପ’ଟା ନିହାତି ନଗଣ୍ୟ । ମନୁଷ୍ୟ ଜାତିଠାରୁ ବୁଦ୍ଧିରେ ବଳରେ ଅସ୍ତ୍ର ପ୍ରୟୋଗ କୌଶଳରେ କେତେ କମ୍‌ । ମନୁଷ୍ୟର ଆସନ ଯେତେବେଳେ ବିଚଳିତ, ସାପ କଥା ପଚାରେ କିଏ ? ସଭିଏଁ ହୁଅନ୍ତି ଗୃହହୀନ, ଠିକ୍‌ ଏ ସାପଟି ଭଳି । ଦେଶେ ଦେଶେ କୋଣେ କୋଣେ ମାଟିର ସନ୍ଧାନରେ ବୁଲନ୍ତି, ଆଶ୍ରା ଲୋଡ଼ନ୍ତି । ଆଶ୍ରା ପାଇଲେ ଆଦରି ରହିଯାନ୍ତି । ଏ ସାପ କେଉଁ ବଣର, କେଉଁ ଗାଁର ନଈ ସୁଅ ତାକୁ କେଉଁଠୁ ଭସେଇ ଆଣିଚି କିଏ ଜାଣେ ? ତଥାପି ଏଇଟି ଶେଷ ଆଶ୍ରା ନେଇଚି ଏମାନଙ୍କ ଘରେ, ତାଙ୍କରି ଦାଣ୍ଡଘରେ ଯେଉଁ ଘରଟା କି ତାଙ୍କର କ୍ୱଚିତ୍‌ କାର୍ଯ୍ୟରେ ଲାଗେ । ତାକୁ କଣ ଘଉଡ଼େଇ ଦେବା ଉଚିତ୍‌ ?

 

ଉପାୟ ନାଇଁ । ସେ ଯେ ବିଷଧର । ବିଷଧର ସହିତ ବନ୍ଧୁତା କେବଳ ଶିବ କରିପାରନ୍ତି, ରାମାନନ୍ଦେ ପାରିବେ ନାଇଁ ।

 

ସାପଟି ତିନିହାତ ଲମ୍ବ । ଚେକାମାଡ଼ି ଆଲମାରୀ କଡ଼କୁ ପଶିଚି । ନିଜକୁ ଲୁଚେଇବାକୁ ସେ ଯଥାସାଧ୍ୟ ଚେଷ୍ଟା କରିଚି । ରାମବାବୁଙ୍କ ମନେହେଲା ସାପ ଯେମିତି ବିନୟ ହୋଇ କହୁଚି–ମୋତେ ମାର ନାଇଁ, ମାର ନାଇଁ; ମୁଁ କ୍ଷତି କରିବି ନାହିଁ । ମୋର ଘର ଭାସି ଯାଇଚି, ପୁଅ ସ୍ତ୍ରୀଙ୍କଠୁଁ ମୁଁ ବିଚ୍ଛିନ୍ନ । ସାଥିହରା ଆଶ୍ରୟ ଭିକ୍ଷା କରୁଚି । ବଢ଼ି ଚାଡ଼ିଲେ ମୁଁ ଆପେ ଆପେ ଚାଲିଯିବି ଯେ । ମଣିଷଜାତି ଉନ୍ନତ, ପ୍ରକୃତିକି ଜୟ କଲାଣି । ସୃଷ୍ଟିର ଅନ୍ୟ ଜୀବଗୁଡ଼ିକୁ ସ୍ନେହ ଦେଖାଇବା ତାର କର୍ତ୍ତବ୍ୟ ନୁହେଁ କି ?

 

ରାମବାବୁ ଅଟକି ଗଲେ ।

 

ସୁମି-ମା ଘର ଭିତର ଦରଜା ଅଧାମେଲା କରି କହିଲେ–କିହୋ, ଦେଖୁଚ କଣ ? କଣ ମାରିବାକୁ ଦୟା ଲାଗୁଚି କି ? ଶୀଘ୍ର ତାକୁ ବାହାର କରିଦେଇ ଆସ, ଭାତ ବହୁତ ବେଳୁ ହେଲାଣି-। କିନ୍ତୁ, ଭାରି ସାବଧାନ, ମୂଲିଆଟା ଆସିଥାନ୍ତା ହେଲେ ।

 

ରାମାନନ୍ଦେ ସ୍ତ୍ରୀଙ୍କ ଆଶଙ୍କାପୂର୍ଣ୍ଣ ଆଖିକୁ ଚାହିଁଲେ । ବିପଦର ଆଶଙ୍କା କରିବା ସ୍ୱାଭାବିକ । ମଣିଷ ଯେ ସବୁବେଳେ ଜୟ କରିବ ଏହାର କିଛି ଅର୍ଥ ନାହିଁ । ଅନେକ ସମୟରେ ସାମାନ୍ୟ ଏକ ବଲୁରୀ କି ମହୁମାଛି ଆଘାତରେ ମଣିଷ ମରିଯାଉଚି । ତା’ଛଡ଼ା ଅବଳା ସବୁବେଳେ ଦୁର୍ବଳା । ତାଠେଇଁ ପୁରୁଷର ସାହସ ନଥାଏ; ଯଦିଓ, ପୁରୁଷକୁ ପ୍ରେରଣା ଦେବାର ଶକ୍ତି ବହୁ ପରିମାଣରେ ଜମାଟ ବାନ୍ଧିଥାଏ ସେମାନଙ୍କର ଅନ୍ତରରେ । ନାରୀ ପ୍ରରୋଚନାରେ ଜଗନ୍ନାଥ ଖଣ୍ଡିଆ ଯେମିତି, ତାଜମହଲର ନିର୍ମିତ ସେମିତି । କାହାକୁ ଅସ୍ୱୀକାର କରିବ ପୁରୁଷ ?

 

Unknown

ରାମାନନ୍ଦେ ଠେଙ୍ଗା ଅଗରେ ସାପ ଦେହକୁ ଖେଞ୍ଚି ଦେଲେ । ସାପ ଏଥର ସ-ସ-ସ ହେଲା, କିନ୍ତୁ ପଦାକୁ ବାହାରିଲା ନାଇଁ । ସାପ ଯେମିତି ସତର୍କ କରିଦେଲା–ଦେଖ ମୁଁ ଭୋକିଲା । ଅନେକ ଦିନ ହେଲା ଖାଇ ନାଇଁ । ପେଟ ଯାଇଁ ପିଠିରେ ଲାଗିଲାଣି ।

 

ରାମ ବାବୁ ଏଥର ଭୟ ପାଇଲେ । କ୍ଷୁଧା ନୈତିକ ବିବେକକୁ ଅସ୍ୱୀକାର କରେ; ବିଶ୍ୱାସରେ ବିଷ ଭରେ । କ୍ଷୁଧିତ ସହିତ ବନ୍ଧୁତା ସବୁକ୍ଷେତ୍ରରେ ପରିହର୍ତ୍ତବ୍ୟ । ସାପ ଯେ କ୍ଷୁଧିତ ।

 

ସେ ସାପର ଆଖିକୁ ଚାହିଁଲେ–ଲେଲିହାନି ଶିଖାରେ ଅଗ୍ନି ସେଇଠି ଜଳୁଚି । ନା–ସେ ଅଗ୍ନିର ନିର୍ବାପନ ପ୍ରୟୋଜନ । ନଇଲେ ନନ୍ଦଙ୍କର ଘର ଗୋଟାକ ସେଇ ବୁଭୁକ୍ଷାର ଅଗ୍ନିଶିଖାରେ ଜଳିଯିବା ବିଚିତ୍ର ନୁହେଁ । ସେ ସାପଟାକୁ ଠେଙ୍ଗାରେ ପରିଷ୍କାର ଆଲୁଅ ସ୍ଥାନକୁ ଟାଣି ଆଣିଲେ । ସୁମି ମା କବାଟ କଣରୁ ଚାହିଁଥାନ୍ତି, ଆଉ ଗରୁଡ଼ ଗରୁଡ଼ ଭଜି ହେଉଥାନ୍ତି । ସୁମିକୁ କୁଣ୍ଢାଇ ଧରିଥାନ୍ତି । ଦଶାଦିଆ ସାପଟା କାହୁଁ ଅଇଲା ।

 

ଅନ୍ୟ ଉପାୟ ନ ଦେଖି ହତାଶରେ ସାପଟି ଯୁଦ୍ଧକ୍ଷେତ୍ରକୁ ବାହାରି ଆସିଲା । ବିଷ ଜର୍ଜରିତ ଫଣା ତାର ଏକମାତ୍ର ପ୍ରକୃତିଗତ ଅସ୍ତ୍ର । ମନୁଷ୍ୟର ସିନା ପ୍ରଧାନ ଅସ୍ତ୍ର ବୁଦ୍ଧି–ବୁଦ୍ଧି ବଳରେ ସେ ବାଉଁଶ କାଟି ଠେଙ୍ଗା ବନେଇଚି । ନଇଲେ ଯୁଦ୍ଧକ୍ଷେତ୍ରକୁ ସାହସ କରି ରାମାନନ୍ଦେ ଯାଇଥାନ୍ତେ କି ନା ସନ୍ଦେହ ।

 

ସାପ ଫଣା ଟେକିଲା । ସେ ବୀର ପରି ଯୁଦ୍ଧକରି ମରିବାକୁ ପସନ୍ଦ କରେ । ଶେଷ ସଂଗ୍ରାମ, ଜୀବନର ଶେଷ ସଂଗ୍ରାମ; କାହାର ? ନନ୍ଦଙ୍କର ? ନନ୍ଦେ ଚମକି ପଡ଼ିଲେ । ସୁମି ମା ଭୟରେ ଆଖି ବୁଜି ପକେଇଲେ । ସୁମି ମାଙ୍କ ଭୟାର୍ତ୍ତ ମୁଖକୁ ସାନ୍ତ୍ୱନା ଦେବାକୁ ରାମାନନ୍ଦଙ୍କର ଅବସର ନଥିଲା । ସେ ସୁମିମାଙ୍କ ଆଡ଼କୁ ମୁହଁ ବୁଲେଇ ପାରିଲେ ନାଇଁ । ପାଞ୍ଚହାତ ଦୂରରେ ରହି ବି ଲମ୍ବା ସାପଟାକୁ ମାରି ଶୁଆଇ ଦେଲେ ।

 

ସ୍ୱାମୀଙ୍କ ବିଜୟ ଗୌରବରେ କାନ୍ଦି ପକେଇଲେ ସୁମି ମା । ସୁମି ପାଖରେ ନଥିଲେ ସେ ନିଶ୍ଚୟ ସେଇ ବୀର ବକ୍ଷରେ ଲୋଟି ପଡ଼ିଥାନ୍ତେ ।

 

(୧୧)

 

ନାଳୁଆମୁହଁ ଇଟା ଦେଇ ବନ୍ଦ । ତେବେ ବି ବଢ଼ିପାଣି ଆସି ଅଗଣାରେ ଆସର ଜମେଇଲାଣି । ମାଟି ଘର ତ । କାନ୍ଥର ଅଧାଯାଏଁ ସନ୍ତେଇ ଯାଇଚି । ଘରେ ଓଦା ଚପର ଚପର । ପିଢ଼ା ନ ପକେଇ ବସିଲେ ଲୁଗାରେ କାଦୁଅ ଲାଗିଯିବ । କେବଳ ହାଣ୍ଡିଶାଳର ଚୁଲି ମୁଣ୍ଡଟି ଶୁଖିଲା-

 

ରାମାନନ୍ଦେ କାନ୍ଥଗୁଡ଼ିକର ଆୟୁ ବିଷୟରେ ଚିନ୍ତା କରୁଥିଲେ । ଆଉ କେତେଦିନ । ଗାଁରେ ଘଟିଥିବା ଭୟାବହ ଅବସ୍ଥା ଦେଖି ନନ୍ଦଙ୍କର ଅନ୍ତର ଆତ୍ମା ଭୟରେ ଥରୁଥିଲା । ସୁମି ମା କି ସୁମି ତାହା ସେମାନଙ୍କ ଲକ୍ଷ୍ୟ କରିପାରି ନାହାନ୍ତି । କାରଣ ବହିର୍ଜଗତ ସହିତ ସେମାନେ ଅସଂପୃକ୍ତ, ବିଚ୍ଛିନ୍ନ । ଦୁର୍ଘଟଣାର କାହାଣୀ ଶୁଣାଇ ତାଙ୍କ ମନରେ ବିଷାଦର ମାଟି ଲେପି ଦେବା ଠିକ୍‌ ନୁହେଁ । ସେମାନଙ୍କର ଉଜ୍ଜ୍ୱଳ ମୁଖ ରାମବାବୁଙ୍କୁ ବିପଦରେ ସାନ୍ତ୍ୱନା ଦେବ, ପ୍ରେରଣା ଦେବ । ମନ କଥା ମନରେ ଲୁଚେଇ ସେ କାନ୍ଥ ଉପରେ ହାତ ଲଗାଇଲେ ଭାବ ବିହ୍ୱଳ ହୋଇ । ମଜବୁତ ଅଛୁ ତ ? କାନ୍ଥ ଉତ୍ତର ଦେଲା ନାଇଁ । କେମିତି ଦେବ ଯେ ? ବନ୍ୟାର ବିଷ ଜ୍ୱାଳାରେ କାନ୍ଥ ବାକ୍‌ଶକ୍ତି ହରାଇଚି; ବନ୍ୟାର ଦାନ୍ତ ଯେ ତୀକ୍ଷ୍‍ଣତମ ଏବଂ କାନ୍ଥର ଚିରଶତ୍ରୁ ।

 

ତଥାପି, କାନ୍ଥ ତାଙ୍କର ରାମବାବୁଙ୍କ ପରି ଶକ୍ତ, ସବଳ । ତିନିହାତ ତଳୁ ମୂଳଦୁଆ ଉଠିଛି–କେବେ ଭାଙ୍ଗି ଯାଇ ପାରେନା । ନା.... ନା.... । ନିଜ ଜୀବନ ବିନିମୟରେ ସେ ଘରକୁ ରକ୍ଷା କରିବା ଲାଗି ଚେଷ୍ଟା କରିବେ । ନନ୍ଦଙ୍କର ଦୃଢ଼ ପ୍ରତିଜ୍ଞା ଦେଖି ଏତେ ଉଚ୍ଚା କାନ୍ଥଟା ଦୋହଲି ଉଠିଲା । ଭୁସ୍‌କିନା କାନ୍ଥରୁ ମାଟି ଟେଳା ଖଣ୍ଡେ ପଡ଼ିଗଲା ଓଳି ତଳର ବଢ଼ିପାଣି ସୁଅରେ । ସେ ଚମକି ପଡ଼ିଲେ । ତାଙ୍କ ମଜ୍‌ବୁତ ମନରୁ ଖଣ୍ଡେ ଭାଙ୍ଗି ବନ୍ୟାରେ ଭାସିଗଲା । ମାଂସପେଶୀର ସହସ୍ର ସହସ୍ର ଆଖି ଭୟାତୁର ହୋଇ ଚାରିକାନ୍ଥକୁ ଅନାଇ ରହିଲେ ।

 

ବୈତରଣୀର ବିଷ ଫଣାର ଉତ୍ତୋଳିତ ଭୀମତାକୁ ସେ ପରିଷ୍କାର ତାଣ୍ଡବ କରୁଥିବାର ଦେଖିପାରୁଥାନ୍ତି ।

 

(୧୨)

 

ଦିନ ଦି-ପହର । ମା’ ପାଖରେ ସୁମି ବସି ଦାଣ୍ଡର ପାଣିକୁ ଚାହିଁଥାଏ । ବଢ଼ିପାଣିରେ ବୁଲିବାକୁ ଖେଳିବାକୁ ତାର ମୋଟେ ମନନାଇଁ । ଏତିକିବେଳେ ଗାଁର ସାନ, ସାନ ଟୋକାମାନେ ଯଥା–ରଙ୍କବାଇଆ, ନୀର, ଝିଣ୍ଟ, ରଘୁଆ ମଣିଆ, ଡେଙ୍ଗା, ପୁନିଆ ଗୋଟାଏ କଦଳୀ ଭେଳା ତିଆରି କରି ବାହି ବାହି ସେଇବାଟେ ଆସିଲେ । ତାଙ୍କ ଖୁସିରେ ଇୟତ୍ତା ନାଇଁ, ମାପନାଇଁ । ସେମାନଙ୍କ ଆନନ୍ଦର ବର୍ଣ୍ଣନା ଅସମ୍ଭବ । ମଝିରେ ମଝିରେ ହରିବୋଲ ଦେଉଥାନ୍ତି । ଛ-ସାତ ହାତର ବାଉଁଶ କିଳା ଖଣ୍ଡେ ଲେଖାଁ ତାଙ୍କରି କାତ । ସୁମିର ମନେଅଛି–ଥରେ କଦଳୀ ଭେଳାରେ ଚଢ଼ିଗଲା । ସେତେବେଳେ ପାଣି ଥିଲା ଖୁବ୍‌ କମ୍‌ । ଏତେ ଜୋରରେ ଭେଳା ଚାଲିଲା ଯେ, ସୁମି ହାଉଳି ଖାଇଲା, ଆଉମାନେ ସାଙ୍ଗେ ସାଙ୍ଗେ ତାକୁ ଓହ୍ଲେଇ ଦେଲେ ।

 

ଏବେ ବି ତାର ଇଚ୍ଛା ନାହିଁ । ଯଦି ଖସିପଡ଼େ ? କିମ୍ବା ସେଇ କାଣ୍ଡନଳ ସାପଟା ଯଦି ତାରି ଗୋଡ଼ରେ ଗୁଡ଼େଇ ହୋଇଯାଏ ?

 

ବ୍ରାହ୍ମଣ ସାଇରେ ଲାଗି-ଲାଗିକା ଘର । ସୁମି ଏକା ଏକା ଟୁନୀ ଘରକୁ ଏତେ ଟିକେ ନଡରି ଚାଲିଯାଏ । କିନ୍ତୁ ବଢ଼ିପାଣି ଆଜି ଘର ଘର ଭିତରେ ବ୍ୟବଧାନ ସୃଷ୍ଟି କରିଚି । ଆଜି, ତାକୁ ମା’ ଖେଳିବାକୁ ଯାଚିହେଇ କି ପଠେଇଲେ ବି ସେ ବଢ଼ିପାଣିକୁ କିମ୍ବା ଟୁନୀ ଘରକୁ ଏକା ଏକା ଯିବ ନାଇଁ ।

 

ଟିକିଏ ଦୂରରେ ଜାମୁକୋଳି ଗଛ । ସେ ଗଛରୁ ଟପ୍ କରି କୋଳିଟାଏ ଖସିଲେ ସୁମି ଦଉଡ଼ି ଯାଇ ମାଡ଼ି ବସେ; ସେ ପାଖରୁ ବି ଦଉଡ଼ି ଆସେ ଟୁନୀ । ସୁମି କହେ ମୁଁ ଆଗ, ଟୁନୀ କହେ ମୁଁ । ବେଳେବେଳେ ଦୁହେଁ ଏପରି ସାନ ସାନ କଥାରେ କଳି କରନ୍ତି । ସୁମିର ମନେଅଛି–ଥରେ ସେ ସାନ ନାଲି ଟୋକଲିଟିରେ ଜାମୁକୋଳି ପୂରେଇ ରଖିଥିଲା । ପାଣିରେ ଦୁଇଥର ଧୋଇ, ଲୁଣ ଗୋଳେଇ ଖରାରେ ଶୁଖେଇ ଘଣ୍ଟେ ପର୍ଯ୍ୟନ୍ତ ଥୟ ଧରିବସି ସବୁବେଳେ ପ୍ରାୟ ଲକ୍ଷ୍ୟ ରଖିଥାଏ ଶୁଖୁଥିବା କୋଳି ଉପରେ । କୋଳିଗୁଡାକ ବଡ଼ ବଡ଼ କଳା ମଚ ମଚ । ସୁମି ମା’ ସ୍ଥିର ରହି ନପାରି ସୁମିକୁ ଲୁଚେଇ ଦୁଇ ଚାରିଟା ଚାଖି ଦିଅନ୍ତି । କାରଣ ସୁମି ଜାଣିଲେ ହଇରାଣ କରିଦେବ । କି ମା’ଟେ ଲୋ, ଛୁଆଙ୍କ ଜିନିଷ ଉପରେ ଲୋଭ ରଖିଚି–ଏଇ ନିନ୍ଦାକୁ ସବୁ ମା’ଙ୍କର ଭୟ । ସୁମି ମା’ଙ୍କର ବି । ଯଥାର୍ଥ ମାତୃତ୍ୱର ପରିଚୟ ଦେବା ପାଇଁ ବେଳେବେଳେ ଅନେକ କିଛି ଲୁଚେଇବାକୁ ପଡ଼େ । ଯେମିତି ଏକୁଟିଆ ବେଳେ ଦୁଧ-ସର ଖିଆ କଥା, ଜାମୁକୋଳି ଖିଆ କଥା ସୁମି-ମା’ ବହୁବାର ଲୁଚେଇ ଦେଇଚନ୍ତି । ଯେତେ ସାଙ୍ଗ ହେଉପଛେ ସୁମି କୋଳି କାହାରିକୁ ଦିଏ ନାହିଁ । କେତେ କଷ୍ଟ କରିଚି ସିଏ–ଅନ୍ୟଙ୍କୁ କାହିଁକି ଦେବ ? ସେମାନେ ଖୁଣ୍ଟିଥିଲେ କି ତା’ ଲାଗି ? ସେ ଥରକ ଟୁନୀ ଆସି ସୁମି ଶୁଖେଇଥିବା ଜାମୁକୋଳି ଟକ୍‌ କରି ପାଟିରେ ଦୁଇଟା ପକେଇ ଦେଲା ସୁମି ନଥିଲା ବୋଲି । ସୁମି ଚିହ୍ନ ରଖି ଯାଇଥିଲା ବୋଲି ତା’ର ଧାରଣା ନଥିଲା । ତା’ ମନେ ମନେ ଏତେଗୁଡ଼େ କୋଳି ଭିତରୁ ଦୁଇଟା ଗଲେ କ’ଣ ଜଣାପଡ଼ିବ । କିନ୍ତୁ ସୁମି ପହଞ୍ଚିଲା ବେଳକୁ ଟୁନୀ ପାଟିରୁ କୋଳି ସରି ନଥାଏ, ଜିଭ ବି ବାଇଗଣି ପଡ଼ିଯାଇଥାଏ । ତଳପାଟି ଚାଲିବାକୁ ବାଧ୍ୟ, କ’ଣ କରିବ ? ସୁମି ସେଇଦିନ ଦେଇଥିଲା ଟୁନୀ ଗାଲକୁ ଦୁଇ ଖୁନ୍ଦା, ‘ଭାରି ଖାଇଲାବାଲା, କରିଥିଲୁ କି ଲୋ, ପେଚୀ ।’ ଟୁନୀ କାନ୍ଦି କାନ୍ଦି ଘରକୁ ଫେରିଗଲା । ଗଲାବେଳକୁ ସୁଲୁକା ପବନରେ ଖସିପଡ଼ିଥିଲା ଦୁଇଟା ଜାମୁକୋଳି ଗଛ ଅଗରୁ । ଟୁନୀ ଲୁହ ପୋଛି ଜାମୁକୋଳି ଖାଇ ଖାଇ ପଳେଇଥିଲା । ସେ ଥର ଟୁନୀ ସୁମି ସହିତ ଦୁଇଦିନ ଧରି କଥା କହି ନଥିଲା ।

 

ସେଇ ଜାମୁଗଛ ମୂଳେ ଏରେ ଅଥଳ ପାଣି । ଭଉଁରୀ ଖେଳୁଛି । କଳ କଳ ଶବ୍ଦ । ଟପ୍‌ ଟପ୍‌ କରି ଖସୁଚି ଜାମୁ । ବୁଡ଼ିଯାଇ ପୁଣି ଉଠୁଚନ୍ତି ଓ ଭାସି ଯାଉଛନ୍ତି । ସୁମି କିନ୍ତୁ ନିରୁପାୟ.... ।

 

ବାଁ ପଟ ବାଡ଼ିରେ ଖଜୁରୀକୋଳି ଗଛ । ଜ୍ୟେଷ୍ଠ ମାସରେ ଏଥର ଖୁବ୍‌ ମାଆଁସିଆ କୋଳି ଧରିଥିଲା । ଭାରି ମିଠା । ଗାଁଟା ଯାକର ଛୁଆଙ୍କ ପାଟି ସେଇଠିକି ଲୋଭେଇଥାଏ । ନ୍ୟାୟତଃ ସୁମି ଗଛର ମାଲିକାଣୀ । କାହାରିକୁ ଦେବାର କଥା ନୁହେଁ । ହେଲେ ଏଥର ହରିଜନ ସାଇ ଛୁଆମାନେ ଦି’ପହର ବେଳେ ଗଛ ହଲେଇ ନେଇଗଲେ । କେତେ ଜଗିବ ସୁମି ? ଖାଲି ଜାଣିପାରି କାନ୍ଦିଲା ସିନା, କିନ୍ତୁ ବାପା କି ମା’ କେହି ସହାନୁଭୂତି ଜଣେଇଲେ ନାହିଁ । ଗଛ ତା’ର ଭାରି ପ୍ରିୟ, କୋଳି ଦିଏ କିନା ! ସେଇଟି ପିଠି ବଙ୍କେଇଲାଣି । ଆଉ ଟିକକରେ ଉପୁଡ଼ି ପଡ଼ିବ କି କ’ଣ ?

 

(୧୩)

 

ରାମନନ୍ଦଙ୍କୁ ଅବସର ନାହିଁ । ଗୁହାଳରେ ଗୁହାଳେ ଗୋରୁ । ଚରିବାକୁ ଯାଇ ନାହାନ୍ତି । ଯାଆନ୍ତେ କୁଆଡ଼େ । ସବୁଆଡ଼େ ତ ପାଣି । ପ୍ରତିଦିନ ଯେ ଘାସ ଆଣିଦିଏ, ତା’ର ବି ସକାଳପହରୁ ଦେଖା ନାହିଁ । ସେ ବିଚରା ବା କରିବ କ’ଣ ? ଘରେ ପାଣି । ତାହା ଜୀବନରେ ଥଳକୂଳ ବାରି ହେଉ ନଥିବ । ସତ କଥା, ମଣିଷ ଅସୁବିଧାରେ ପଡ଼ି କର୍ତ୍ତବ୍ୟ ଭୁଲିଥାଏ, ବିଶ୍ୱାସ ହରେଇଥାଏ । ସେମାନଙ୍କୁ କ୍ଷମା ଦେବାହିଁ ମାନବିକତାର ଲକ୍ଷଣ । ନନ୍ଦେ ମଣିଷ ସାଜି ଘାସବାଲାକୁ କ୍ଷମା ଦେଲେ ।

 

ସକାଳୁ ସକାଳୁ କୁରୁଚି ରାନ୍ଧି ଦେଇଥିଲେ ବି ଡେଙ୍ଗା ନାଲି ବଳଦଟା ଗୁହାଳଘରର ଛପରକୁ ହାତେ ଲମ୍ବର କାଳିଆ ଜିଭ ବଢ଼ଉଚି । ବେକରେ ପଘା ନଥିଲେ ପୂରା ଘରଟାକୁ ଓଲାରି ପକାନ୍ତା । ବିଡ଼େ ବିଡ଼େ ଛଣ ନ ପକେଇଲେ ସେ ଆଉ ଥୟ ହେବ ନାଇଁ । ରାମାନନ୍ଦେ ଛଣ ଆଣି ସମସ୍ତଙ୍କୁ କିଛି କିଛି ରୋମନ୍ଥନର ସାମଗ୍ରୀ ଯୋଗାଇ ଦେଲେ ।

 

କାଲି ସଂଧ୍ୟାରେ ଦୋକାନ ବନ୍ଦ କଲାବେଳେ ନନ୍ଦେ ଠିକ୍‌ କରି ଆସିଥିଲେ ଆଜି ସଅଳ ଯିବା ଲାଗି । ଦୁଇ ଦୁଇଟା ଫ୍ରକ୍‍ ଦରସିଲାଇ ହୋଇ ପଡ଼ିଚି । ଶେଷ ହେବା ଦର୍କାର । କିନ୍ତୁ ଦୋବଲ ଶିରିଆପୁରକୁ ପୂରା ତିନି ମାଇଲ । ରାସ୍ତା ଏବେ ଜଳପୂର୍ଣ୍ଣ ଥିବ । ଯିବା ଅସମ୍ଭବ । ତା’ଛଡ଼ା ଏପରି ଅବସ୍ଥାରେ ଘରକୁ କାହାକୁ ଜଗେଇଦେଇ ଯାଆନ୍ତେ ସେ ? ଚାକର ମୂଲିଆ କେହି ଆସିନାହାନ୍ତି । ବନ୍ୟା ସମସ୍ତଙ୍କୁ ବିପଦରେ ପକେଇଛି । ଗଗନ ଓ ନିଜ ଘରର ଦାୟିତ୍ୱ ବିରାଟ ବୋଝ ଭଳି ହେଲେ ବି ଆଉ ତ ଫୋପାଡ଼ି ଦେଇ ପାରିବେ ନାହିଁ । ଦୋକାନକୁ ଯାଇଥିଲେ କିଛି କାମ କରିଥାନ୍ତେ । ଜଣକୁ କମିଜ ଦେବାଲାଗି କଥା ଦେଇଛନ୍ତି ଆଜି । ସବୁ ଶେଷ ହୋଇଚି । ଯାହା କେବଳ କେଇଟା ବୋତାମ ଘର ସିଲେଇ ହେବ । ସେତିକି ମାତ୍ର ପାଞ୍ଚମିନିଟର କାମ । ଲୋକଟି ଆଜି ନିଶ୍ଚୟ ବାରଟା ବେଳେ ଆସିଥିବ । ଦୋକାନ ବନ୍ଦ ଦେଖି ଫେରିଯାଇଥିବ । ମନେ ମନେ ଗାଳି ଦେଇଥିବ–‘ନନ୍ଦ ଦରଜି ଭାରି ଠକ’ । ହେଲେ ନନ୍ଦେ ଇଚ୍ଛା କରି ଠକେଇ ନାହାନ୍ତି, ନିରୁପାୟ ହୋଇ ।

 

(୧୪)

 

ସନ୍ଧ୍ୟା ଆସିଲାକୁ ପ୍ରତିଚୀ ଆକାଶରେ ତା’ର ଅଞ୍ଚଳଟା ବେଶ୍‌ ଦେଖାଗଲା । ବଢ଼ିଆ ରଙ୍ଗ । କଳା ବଉଦର ଛବି ହୋଇଚି; ଧାର ଧଡ଼ିରେ ଲାଗିଛି ସୁନେଲି ଜରି । ଡୁବିଲା ସୂର୍ଯ୍ୟର ପ୍ରତିଫଳିତ ଅଙ୍ଗ-ପେଣ୍ଡୁ ଦିଶୁଚି ଆକାଶର ମଥାମଣି ଭଳି, ସିନ୍ଦୂର ଟୋପା ପରି ଗୋଲାକାର ।

 

ଅଳ୍ପ ବଣୁଆ ସ୍ଥାନମାନଙ୍କୁ ଗ୍ରାସ କରି ସୁମି ଘର ଦାଣ୍ଡରେ ଅନ୍ଧକାର ପାଦ ପକେଇଲା ବେଳକୁ ସୁମି ଦଉଡ଼ି ପକେଇଲା ମା’ ପାଖକୁ । ମା’ଲୋ, ସଞ୍ଜ ଦେବୁ ନାହିଁ କି ?

 

ସୁମି ମା ସଞ୍ଜ ସଳିତା ଆଗରୁ ବଳି ରଖିଥିଲେ ।

 

ଚଉରାମୂଳେ ସଞ୍ଜ ଦେବାକୁ ଠା ନାହିଁ । ସେ ବୃନ୍ଦାବତୀଙ୍କୁ ସ୍ମରଣ କରି ପିଣ୍ଡା ଉପରେ ସଞ୍ଜ ଜାଳି ଦେଲେ । ବେକରେ ପଣତ କାନିଟାକୁ ଗୁଡ଼େଇ ଜୁହାର ହେବାପାଇଁ ମୁଣ୍ଡ ନଇଁଲେ । କେଉଁଠି ଲୁଚିକି ବସିଥିଲାକି କଣ ଦମକାଏ ପବନ ଆସି ସଞ୍ଜଠାରୁ ଶିଖା କାଢ଼ି ନେଲା । ସୁମି-ମା ଆଶ୍ଚର୍ଯ୍ୟ ହେଲେ ଓ ଭୟ ପାଇଲେ । ଠାକୁରଘରେ ଲଗା ହୋଇଥିବା ଦୀପ ବି ଲିଭି ଯାଇଚି । ହାଣ୍ଡିଶାଳର ଡିବାଟା ବି ଦିଆସିଲିରେ କାଠି ସରି ଯାଇଥିଲା । ଲଣ୍ଠନ ଲଗା ହେବା ପୂର୍ବରୁ ଡିବିଟା ଯେ ଅନ୍ଧାର ମାଡ଼ରେ ମରିଯିବ–ଏ ଧାରଣା ତାଙ୍କର ନଥିଲା । ସୁମି-ମା ନନ୍ଦଙ୍କ ଟର୍ଚ୍ଚ ଖୋଜି ଆଣିବାକୁ ଭିତର ଘରକୁ ଗଲେ । ରାମାନନ୍ଦେ ଗଗନ ଗୁଡ଼ିଆ ଘରକୁ ଯିବାପାଇଁ ବାହାରିଥିଲେ, କ୍ଷଣକପାଇଁ ଅଟକି ଗଲେ ।

 

ତା ପରେ ଆଇଲା ବତାସି, ପବନ, ଝଞ୍ଜା । ରାତି ଯେମିତି ଅନ୍ଧକାର ସହିତ ପ୍ରଳୟ ନେଇ ଆସିଥାଏ । ମେଘ ସବୁ କେଉଁଠି ବଣ-ପାହାଡ଼ ସନ୍ଧିରେ ଛପିଥିଲେ କେଜାଣି ସାଙ୍ଗେ ସାଙ୍ଗେ ଖଣ୍ଡା ତରୁଆଲ ଧରି ଆକାଶ କ୍ଷେତ୍ରକୁ ମାଡ଼ି ଆସିଲେ । ଦଳକୁ ଦଳ, ତା’ପଛକୁ ତା’ପଛକୁ ଅଗଣନ, ଅକଳନ । ହେଲା ଯୁଦ୍ଧ । ଫୁଟିଲା ବାଣ, ଆଗ୍ନେୟାସ୍ତ୍ର ଫଟାକ୍‌ ଫଟାକ୍‌ ଢୋ । ସାରା ପୃଥିବୀ ସେ ଅଗ୍ନିରେ ଜଳିଯିବ ଯେମିତି । ବସା ଛାଡ଼ି କୁଆ, କୋଇଲି, ବଡ଼ ସାନ ପକ୍ଷୀଗଣ ମେଳା ମେଳା ହୋଇ ବିକଟ ଚିତ୍କାର କରି ଆକାଶକୁ ଉଠିଲେ । କାହାର କାହାପ୍ରଅତି ଭୟ ନାହିଁ । ସଭିଙ୍କର ଭୟ ଏକା ସେଇ ମେଘପନ୍ତିର ଦନ୍ତରାଜି । ରାମାନନ୍ଦେ ଚାହିଁଥାନ୍ତି–ଠାକୁର ଘର ଚାଳରୁ ଏକା ଧମସରେ ଛଣ ସବୁ ଶିମୁଳି ତୁଳା ଭଳି ଉଡ଼ିଗଲେ । ଖାଲି ବତା ଓ କାଠର କଙ୍କାଳ ଛପର ଦନ୍ତା ରାକ୍ଷସ ପରି ଦିଶୁଥାଏ । ଟପ-ଟପ-ଗତିରେ ଧାଇଁ ଆସିଲା ବର୍ଷା । କଦଳୀ ପତ୍ରର ଚଉଡ଼ା ଛାତି ଗୁଡାକ ତାର ପଦାଘାତରେ ଫାଟି ଗଲେ ।

 

ଗତି ଓ ଶକ୍ତି ପ୍ରଖର ଏବଂ ପ୍ରବଳ । ଯେମିତି କ୍ରୁଦ୍ଧ ରାକ୍ଷସର ବାରୁଣାସ୍ତ୍ର । ଶିରିଆପୁର ଗାଁ ଯେମିତି ବାରୁଣାବନ୍ତ ନଗରୀ । ଇନ୍ଦ୍ର ଅବା ଉଦ୍ଧତ ବୃତ୍ରାସୁରକୁ ମାରିବାଲାଗି ସୈନ୍ୟ ସଜେଇ ବୋମା ପକାଉଛି, ଯାହା ଜାପାନୀ ବୋମା ପରି ବିଷାକ୍ତ-। ଶିରିଆପୁର ଗାଁରେ ଯେମିତି ବୃତ୍ରାସୁର ଆସି ଲୁଚିଛି, ଆଉ ଇନ୍ଦ୍ର ପାଇଛି ତା’ର ସନ୍ଧାନ ।

 

ଆଉ ଦୁଇଟା ଶକ୍ତିଶାଳୀ ଝଞ୍ଜା ବୃଷ୍ଟିରେ ରାମାନନ୍ଦଙ୍କ ଅନ୍ୟ ଘରଗୁଡାକ ଛପରହୀନ ହୋଇଗଲେ । ଘର ଭିତରକୁ ଗଳି ପଡ଼ିଲା ଅଜସ୍ର ବର୍ଷାଧାରା । କେତେକ କାନ୍ଥ ସହି ନ ପାରି ଢଳିଲେ–ଭୁସ୍‌, ଦୁଲ୍‌ ଦାଲ୍‌ ।

 

ସୁମି-ମା’ଙ୍କ କାନ ମୁଣ୍ଡ ଝାଁ ଝାଁ ହୋଇଯାଉଥାଏ । ସେ ସୁମିକୁ କୁଣ୍ଢାଇ ଧରି ସାନ-ଢାଗୁଆ ଘରକୁ ଗଲେ । ଟର୍ଚ୍ଚ ଖଣ୍ଡି ରାମବାବୁ ଧରି ତାଟଙ୍ଗା ହୋଇ ଚାହିଁଥାଏ । ତାଙ୍କ ମୁଣ୍ଡ ବାଳକେରାକ ଉଡ଼ିଯିବା ଉପରେ ।

 

ଅଧଘଣ୍ଟେ ଗଲା, ଘଣ୍ଟେ ଗଲା । ପବନ, ବର୍ଷା ପାଦରେ କ୍ଳାନ୍ତି ନାହିଁ । କାନ୍ଥ ଆସ୍ତେ ଆସ୍ତେ ମିଳାଇ ଯାଉଛନ୍ତି । ବାହାରର ବଢ଼ିପାଣି ପଶି ଆସୁଛି ଘର ଭିତରକୁ । ଅଟକେଇବାକୁ ରାମବାବୁଙ୍କର କ୍ଷମତା ନାହିଁ । ଗୁହାଳଟା ଭାଙ୍ଗିଯାଇ ଗୋରୁଙ୍କ ଉପରେ ପଡ଼ିଯାଇଛି । ଚିତ୍କାର କରୁଚି ନାଲି ବଳଦଟା । ଗାଈଟାର ପାଟି ଶୁଭୁ ନାହିଁ । ମରିଗଲାନି ତ ? ଗୋ-ହତ୍ୟା ଅପରାଧ, ମହା ଅପରାଧ । ରକ୍ଷା ନାହିଁ ! ରାମବାବୁ ଦଉଡ଼ିଲେ ଗୁହାଳକୁ । ନାଲି ବଳଦର ପିଠି ଉପରୁ ବରଡ଼ା ତାଟିଟା ଓ ଚାଳ ଖଣ୍ଡିକ ଉଠାଇବାର ଚେଷ୍ଟା କଲେ । ଏକା ପାରିବା କେବେ କ’ଣ ସମ୍ଭବ-? ଅଧଘଣ୍ଟାଏ ଲାଗି ସେ ଉଠେଇଲେ ନାଲି ବଳଦକୁ । ତା’ ବେକରୁ ପଘା ଫିଟେଇଦେଲେ-। ଯା, ଯା, ତୁ ଯା, ତୋ ବାଟ ତୁ ଦେଖ । କୁଆଡ଼େ ଯିବ ସେ ? ଯେତେବେଳେ ସେ ଚାହୁଁଥିଲା ମୁକ୍ତି–ସେତେବେଳେ ତୁମେ ତାକୁ ବାନ୍ଧି ରଖିଲ । ମାରି ପିଟି କାମ ଆଦାୟ କଲ । ସାମାନ୍ୟ ବୋଇତିକଖାରୁ ଫୁଲ ଦୁଇଟା ଖାଇ ଦେଲା ବୋଲି କେତେ ପାଞ୍ଚଣ ପାହାର ନ ଖାଇଛି । ଏବେ କାହିଁକି ଦେଉଚ ମୁକ୍ତି । ସବୁ ତ ବନ୍ୟାରେ ପ୍ଳାବିତ–ବୋଇତିକଖାରୁ ଗଛ ନାହିଁକି, ବାଇଗଣ କିଆରୀ ନାହିଁ କି କୋଶଳା ଶାଗ ନାହିଁ । ନାଲି ବଳଦ ଯେମିତି କହୁଚି–‘ତୁମେ ଆମକୁ ସମ୍ପଦରେ ରଖିଥିଲ ଯେମିତି, ବିପଦରେ ରଖିବ ବି ସେମିତି । କାମ କରାଅ ବା ନ କରାଅ । ଆମେ ଚାହୁଁ ଶୁଖିଲା ଘର, ଖାଦ୍ୟ । ଆମର ଦାବୀ, ଆମକୁ ଦିଅ ।’ ବର୍ଷାରେ ତିନ୍ତି ଠିଆ ହୋଇଥିବା ନାଲି ବଳଦକୁ ଚାହିଁ ରାମ ନନ୍ଦେ ନିଜକୁ ଅପରାଦୀ ମନେ କଲେ । ଗାଈଟା ମରିଯାଇଛି । ଉଠେଇବାକୁ ଚେଷ୍ଟା କରି ସେ ବିଫଳ ହେଲେ ।

 

ରାମବାବୁ ଫେରିଲେ ।

 

ବିନା ଡାକରାରେ, ବିନା ପଘାରେ ବି ଦୁଷ୍ଟ ନାଲି ବଳଦଟା ଶାନ୍ତ ହୋଇ ତାଙ୍କ ପଛେ ପଛେ ଆସୁଥାଏ । ରାମ ନନ୍ଦେ ନାଲିକୁ ନେଇ ରଖିବେ କେଉଁଠି ? ଦାଣ୍ଡଘର ମେଲାକୁ ନେଇଗଲେ, ତାହା ବି ନିରାପଦ ନୁହେଁ । ଘଳ ଘଳ ହୋଇ ପାଣି ପଶି ଆସୁଚି । ନାଲି ବଳଦ ସେଇ ପାଣିରେ ଠିଆ ହେଲା ।

 

ନନ୍ଦେ ସାନ-ଢାଗୁଆ ଘରକୁ ଟର୍ଚ୍ଚ ମାରି ମାରି ଫେରିଲେ । ଉପରେ ବର୍ଷା, ତଳେ ବନ୍ୟା । ସେମାନେ ଆଗରୁ ମନ୍ତ୍ରଣା କରି ଏକତାବଦ୍ଧ ଭାବରେ ନନ୍ଦଙ୍କ ଉପରେ ଦାଉ ସାଧୁଛନ୍ତି ଯେମିତି !

 

ସବୁଆଡ଼ୁ ଟେଳା ଟେଳା ହୋଇ କାନ୍ଥ ଶୋଇବା ପଡ଼ିବା ଆରମ୍ଭ କରିଛି । ଖାଲି କାଠ ଖୁଣ୍ଟଗୁଡାକ କେତେ ସମୟ ବା ସମ୍ଭାଳିବ ? ଛପରର ଓଜନ ବି କମ୍‌ ନୁହେଁ । ମୋଟା ମୋଟା କାଠର ଭାରା, ଶେଣି ଲଗା ହୋଇଛି । ଆଟୁଘର ଆଟୁ ଫାଟି ପାଣି ଗଳୁଛି । ପୁଳା ପୁଳା ମାଟି ଖସୁଛି । ରାମାନନ୍ଦେ ଛାତ ତଳକୁ ଟର୍ଚ୍ଚ ମାରିଲେ । ସମୁଦାୟ ଆଟୁଟା ହେଇ ପଡ଼ିବ ଆଖିରେ ଚାହିଁଛି । ଆଉ ରହି ହେବ ନାହିଁ । ସେ ସୁମିକୁ କୁଣ୍ଢାଇ, ସୁମି ମା’ଙ୍କ ହାତ ଧରି ଭୂତ ଲାଗିଲା ଭଳି ବାହାରି ପଡ଼ିଲେ ପଦାକୁ । ପଛେ ପଛେ ଆଟୁଘରଟା ଶୋଇ ପଡ଼ିଲା କଞ୍ଚା ଗଛ କାଟିଲା ପରି, ଭୂମିକମ୍ପର ଶବ୍ଦ ଭଳି ହେଲା । ସେଇ ଶବ୍ଦରେ ଦାଣ୍ଡ ମେଲାଟା ଶୋଇ ପଡ଼ିଲା । ନନ୍ଦେ ଆତ୍ମରକ୍ଷା ଉପାୟରେ ଅସ୍ଥିର ହୋଇ ନାଲିବଳଦର ଅବସ୍ଥା ସମ୍ପର୍କରେ ଚିନ୍ତା କରିପାରିଲେ ନାହିଁ ।

 

ଭଗ୍ନ-ପଞ୍ଜର ଗୃହ, ଫଣା ଟେକି ବଢ଼ିପାଣି ପଶି ଯାଉଚି ତା’ ଉପର ଭିତର ସନ୍ଧିକୁ । କୁଟାଖିଏ ବି ଉଦ୍ଧାର କରା ହୋଇ ପାରିଲା ନାଇଁ ।

 

ଉପରୁ କୁଢ଼େଇ ହୋଇ ପଡ଼ୁଚି ଆକାଶର ଅଭିଶାପ । ଛତା ବୋଲି ଖଣ୍ଡେ । ସୁମି-ମା ଓ ସୁମି ଛତା ଭିତରେ ବାଳ ନ ତିନ୍ତେଇବାର ଚେଷ୍ଟା କଲେ । ରାମ ନନ୍ଦେ ପୂରା ଓଦା । ବାସୁକୀ ନାଗର ସୁ ସୁ ନିଃଶ୍ୱାସରେ କାନମୁଣ୍ଡ ଝାଁ ଝାଁ । ବାପା-ମାଙ୍କ ନିକଟରେ ନ ଥିଲେ ସୁମି ନିଶ୍ଚୟ ଉଡ଼ି ଯାଇଥାନ୍ତା ।

 

ଦୁର୍ଗ ଟଳି ପଡ଼ିଛି ଏକ ଚିରନ୍ତନ ଶତ୍ରୁର ଆକ୍ରମଣର ବାତ୍ୟାରେ । ରାଜା, ରାଣୀ, ରାଜଜେମା ବାହାରେ । ନିଜର ମଖମଲି ଉଆସର ସ୍ୱପ୍ନ ଆଉ ନାହିଁ । ରହି ରହି ଦାନ୍ତ ଦେଖାଉଛି ବିଜୁଳି । ସୁମି ଚମକି ପଡ଼ୁଚି । ତା’ର ଦେହ ହାତ ଗୋଡ଼ ମୁଣ୍ଡ ଥରି ଉଠିଲାଣି । ଆଉ କ୍ଷଣକରେ ରକ୍ତ ଯେମିତି ଜମାଟ ବାନ୍ଧିଯିବ । କାହାରି ମୁହଁରେ କଥା ନାହିଁ । ଏ ସହସା ଧୂମକେତୁର ପୁଚ୍ଛ-ବାଣ ସମସ୍ତଙ୍କୁ କରିଛି ନିର୍ବାକ ।

 

ଡଙ୍ଗା କାହିଁ ? କାହାନ୍ତି ବା ନାଉରିଆ ? ଦୁଇ କୂଳ ଖାଇ ସମସ୍ୟା ଦୋହଲୁଚି । କିଏ ପାରି କରିବ ? ଏଇ ବର୍ଷାରେ କ’ଣ ସେମାନେ ସାରାରାତି ଠିଆ ହୋଇଥିବେ । ବର୍ଷା ବନ୍ଦ ହେବାର ଆକାର ପ୍ରକାର ମାଲୁମ ହେଉନି । ରାମନନ୍ଦଙ୍କର ପିଠି ବର୍ଷା ମାଡ଼ରେ ବଥା । ବାଦୁଡ଼ି କି ଚିଲପରି ତାଙ୍କର ତ ପକ୍ଷ ନାହିଁ; ବର୍ଷାଘାତ ସହିବେ କିପରି ?

 

ଛତା ଖଣ୍ଡି ଅବିରାମ ଆଘାତରେ ଛିଣ୍ଡିଯିବା ଉପରେ । ଗୋଡ଼ ଦୁଇଟା ସମସ୍ତଙ୍କର ବଢ଼ିପାଣି ଭିତରେ । ସର୍ବାଙ୍ଗ ଜଳସିକ୍ତ ।

 

ନନ୍ଦେ ଏଥର ଉପାୟ ଚିନ୍ତା କଲେ–ଅନ୍ଧାରି ଆକାଶ ତାଙ୍କୁ ଆହୁରି ଅନ୍ଧକାର ଦିଶୁଥିଲା-। ଗଗନ ଗୁଡ଼ିଆ ଘର ଯାଇଁ ବହୁତ ଦୂର । ବାଟ ନାଳରେ ଅଚଳ ଥଳ ପାଣି ହୋଇଯିବନି । ସୁମି-ମା ଓ ସୁମିକୁ ନେଇ ସେଠିକି ଯିବା ସମ୍ଭବ ନୁହେଁ । ସେ ନିଜେ ବର୍ଷା ପାଇଁ ଦେହକୁ ଶାଳଗ୍ରାମ ପରି ଜଡ଼ କରି ଦେଇ ପାରନ୍ତି, କିନ୍ତୁ ତାହା ତ ସୁମି-ମା କି ସୁମି ପାରିବେ ନାଇଁ-। ସେମାନଙ୍କ ପାଇଁ ଦର୍କାର ଗୃହ, ଆଶ୍ରୟସ୍ଥଳ । ଦିନକ ପାଇଁ ରାତିକ ପାଇଁ ନୁହଁ–ନନ୍ଦଙ୍କ ନୂଆ କାନ୍ଥ ଉଠିଲାଯାଏଁ । କିଏ ଦେବ ଆଶ୍ରୟ ? ନାଲୁମିଶ୍ର ? ଦେଖି, ନାଲୁମିଶ୍ର ଯଦି ରକ୍ଷା କରିପାରନ୍ତି-

 

ଅନ୍ଧାରର ବଣେ ବଣେ ସାମାନ୍ୟ ଏକ ଟର୍ଚ୍ଚ ମିଞ୍ଜି ମିଞ୍ଜି ହେଉଛି । ପ୍ରକୃତି ତାହାରି ପାଖରେ ପରାଜିତ । ସେ କଢ଼ାଇନେଉଛି ଆଗକୁ, ଆଗକୁ । ପଥ ପରିଚିତ, ଅତ୍ୟନ୍ତ ପରିଚିତ–ଯିବା କଷ୍ଟ ହୋଇ ନ ଥାନ୍ତା କିନ୍ତୁ, ତାଙ୍କର ଆତ୍ମରକ୍ଷାର ପଥ ନିଶ୍ଚିହ୍ନ ହୋଇଗଲା ଯେତେବେଳେ ନନ୍ଦେ ଭେଟିଲେ ନାଲୁମିଶ୍ରଙ୍କର ଛାୟାକୁ । ଉଭୟେ ରାଜ୍ୟହୀନ; ପ୍ରକୃତି ପରାସ୍ତ କରି ସବୁ ଛଡ଼େଇ ନେଇଚି । ଆଶ୍ରୟସ୍ଥଳ ଏକା ସେଇ ଅରଣ୍ୟ ।

 

ବର୍ଷା ୟା’ କଲା । ବର୍ଷା ନ ହେଲେ ମଣିଷ କାନ୍ଦେ ବର୍ଷା ହେଲେ କାନ୍ଦେ । ବର୍ଷା ଦିଲ୍ଲିୀକା ଲଡ଼୍‌ଡ଼ୁ ।

 

ନାଲୁମିଶ୍ରଙ୍କ ମୁହଁକୁ ଚାହିଁ ରାମବାବୁଙ୍କୁ ଝୋଲା ମାରି ନେଇଗଲା । ସେ ‘ନାଲୁଆନା’ ବୋଲି କହି କରି ମିଶ୍ରଙ୍କୁ କୁଣ୍ଢାଇ ଧରି କାନ୍ଦିବାକୁ ଲାଗିଲେ । ଏଡ଼େ ବଡ଼ ମରଦଟା, ସେ ପୁଣି ଏମିତି କାନ୍ଦେ । ସୁମି-ମା, ସୁମି କେହି ବାଦ୍‌ ଗଲେ ନାହିଁ; ଟୁନୀ ବୁଲୁ ଆଶ୍ଚର୍ଯ୍ୟ, କେବଳ–ସମସ୍ତଙ୍କ ଅବସ୍ଥା କ’ଣ ଆମ ଭଳି ।

 

ସେମାନେ ବି କାନ୍ଦିଲେ–ବର୍ଷାର ପ୍ରଳୟଧାରା ଆଖିର ଅଶ୍ରୁ ସହ ବଢ଼ିପାଣିରେ ମିଶିଗଲା ।

 

ବିଜୁଳି ଏତିକିବେଳେ ଛକ୍‌ କରି ବୁଲେଇ ନେଲା ଦୈବାତ୍‌ କାହାରି ବେକରେ ବାଜିଲା ନାଇଁ । ସୁମି ବିରାଟ ଖଣ୍ଡାର ଧାରୁଆ ଜିହ୍ୱାକୁ ଖୁବ୍‌ ନିକଟରେ ଦେଖି ପାରିଛି । ଖଣ୍ଡାର ତୀକ୍ଷ୍‌ଣ ମୁନ ଡେଙ୍ଗା ତାଳଗଛ ମୁଣ୍ଡରେ ଭେଟିଲା ବୋଧହୁଏ । ତାଳଗଛ ଅଗଟା ଆପଣାଛାଏଁ ଅଗ୍ନି ଉଦ୍‌ଗାରି ପକାଉଚି । କି ଭୟଙ୍କର ତା’ର ରୂପ । ଏଡ଼େ ବର୍ଷା, ଅଥଚ ସେ ଅଗ୍ନି ଲିଭି ନାଇଁ । ସୁମି ତାଟଙ୍ଗା ହୋଇଗଲା । ରାମାନନ୍ଦେ ସୁମିକୁ କାନ୍ଧ କରି ଟର୍ଚ୍ଚ ମାରିଲେ ଆଗକୁ–ଆଗକୁ ।

 

ଯିବେ କୁଆଡ଼େ ?

 

ସବୁଆଡ଼େ ବୈତରଣୀ ନଈ ଲକ୍ଷ ଲକ୍ଷ ମୃତ୍ୟୁ କୀଟଙ୍କୁ ସଶସ୍ତ୍ର ଜଗେଇଚି । ବୈତରଣୀ.... !! ହାୟ । ୟେ’ ପୁଣି ପବିତ୍ର ନଦୀ । ଗଙ୍ଗାଠାରୁ ବାର ବର୍ଷ ବଡ଼ । ୟା’ ଜଳରେ ସ୍ନାନ କରି ଲୋକେ ପାପ ମୁକ୍ତ ହୁଅନ୍ତି । ତାଙ୍କର ପୂରା ଖିଆଲ ଅଛି–ବୈତରଣୀ ବାଲିରେ ପୋଡ଼ା ହେବାକୁ ବୁଢ଼ୀମା ତାଙ୍କର କେତେ ଅଭିଳାଷ କରିଥିଲେ । ଆଉ ସେଇଥିପାଇଁ ଶେଷକାଳକୁ ବାପଘରକୁ ମୋଟେ ଗଲାନାଇଁ । ତାର ବାପଘର ପଶି, ମପସଲ । ନଈ ସେଠି ସପନ । କାଳେ ମରିଯିବ ସେଇ ପଶିରେ–ସେଇଥିଲାଗି ତାର ଭୟ । ସେଇ ବୈତରଣୀ ନଈ ପୁଣି ଏଡ଼ିକି ଭୟଙ୍କର, ଏଡ଼ିକି ନିର୍ଦ୍ଦୟା !

 

ସ୍ରଷ୍ଟା ଯେତେବେଳେ ସଂହାରକର୍ତ୍ତା, ରକ୍ଷା କରିବା ସାଧ୍ୟ କାହାର ?

 

ସୁମି-ମା ଭାବିଲେ–ଏଥର ନିଶ୍ଚୟ ପ୍ରଳୟ ହେବ । ବହୁତ ପାପ ହେଲାରୁ ଜଗନ୍ନାଥ କଳକି ଅବତାର ଧରିଲେ କି କଣ ଗୋହିରାଟିକିରୀ ସେଇ ନିକଟରେ । ବଡ଼ ପଡ଼ିଆଟା ସେ । ଓଡ଼ିଶାର କେଉଁ ରାଜା ସେଇଠି ଯୁଦ୍ଧରେ ହାଣ ଖାଇଥିଲେ । ସେଇଦିନୁ ସତ୍ୟଯୁଗ ସରିଚି । କଳି ଚାଲିଚି । ପଠାଣ, ଯବନମାନେ ରାଜୁତି କରୁଛନ୍ତି । ମାଳିକାରେ ପରା ଅଛି–ସେଇ ଗୋହିରାଟିକିରୀ ଯୁଦ୍ଧ ପଡ଼ିଆରୁ ବାରହାତ ଖଣ୍ଡା ବାହାରିବ । ଜଗନ୍ନାଥ ବଳଭଦ୍ର କଳା-ଧଳା ଘୋଡ଼ାରେ ବସି ମ୍ଳେଛ ସଂହାର କରିବେ ।

 

ଏଇ ମ୍ଳେଛ କିଏ ?

 

ସୁମି-ମା କଣ ନିଜେ ??

 

ସୁମି-ମା ପିଲାଟି ଦନରୁ ବାହା ହୋଇ ଆସିଛନ୍ତି । ଛୁଆଦିନେ ବାପା-ମାଙ୍କର ଭାରି ବାଧ୍ୟ ଥିଲେ । କାହା ସାଙ୍ଗରେ ଅଝଟ, କଳି କରି ନାହାନ୍ତି । ଶାଶୁଘରେ ସୁନା-ପ୍ରତିମା ପରି । ଲକ୍ଷ୍ମୀନାରାୟଣଙ୍କ ଠାରେ ତାଙ୍କର ଏବେ ଭାରି ଭକ୍ତି । ପତି ତାଙ୍କର ଗୁରୁ । ଆଜିଯାଏଁ ମନ ଅମେଳ ହୋଇନାଇଁ । ତେବେ ସୁମି-ମା କି ଦୋଷ କଲେ ? କଣ, ଥରେ ଅଧେ ଦୁଧ ସର ଚୋରେଇ ଖାଇଚନ୍ତି ବୋଲି ଦୋଷୀ । ହେଇଥିବ–ଚୋରି ତ ପାପ । ସାନ ବଡ଼ରେ ଅଛି କଣ ?

 

ସୁମିର ଚିନ୍ତାଶକ୍ତି ସ୍ଥବିର । ନିଜେ ସେ ବଢ଼ିକୁ ଡାକିହାକି ଆଣିଚି ଅଲକ୍ଷଣୀଟାଏ ସେ; ତାରି ଯୋଗୁଁ ଆଜି ଗାଁ-ଗୋଟାକ ହୁଲି ଡଙ୍ଗା ପରି ବୁଡ଼ି ଯାଇଚି ସିନା !

 

ନାଲୁମିଶ୍ରଙ୍କର ନିଜ ଜୀବନପ୍ରତି ଲୋଭନାଇଁ । ସେ ଖାଲି ଭାବୁଚନ୍ତି ଟୁନୀ ଓ ବୁଲୁ କଥା-। ମା ଛେଉଣ୍ଡ ପୁଅ ଝିଅ ଦୁଇଟା–ତାଙ୍କର କଣ ହେବ ? ବଡ଼ପୁଅ କଟକରେ । ସେ କେଜାଣି ସୁବିଧାରେ ଥିବ । ତାର ବୋଧେ ଏଇଠୁ ପଢ଼ା ବନ୍ଦ । ଟଙ୍କା ଆଉ ଆସିବ କାହୁଁ । କାଗଜରୁ ବଢ଼ି କଥା ଜାଣି ସେ ବି ଧାଇଁ ଆସିବ ।

 

ରାମନନ୍ଦଙ୍କର ପିଲାଦିନ କଥା ମନେ ଅଛି । ଥରେ ନଈକୁ ଦେଖେଇ ତାଙ୍କର ବୁଢ଼ାବାପା କହୁଥିଲେ–ନଈ କାଳେ ଭାରି ଗଭୀର ଥିଲା । ବାଲି ଯାଇଁ କେଉଁ ପାତାଳରେ ପଡ଼ିଥିଲା-। ଯାହା କହନ୍ତି–ନଈକୁ ନାଆ ସୁନ୍ଦର । ନେଳିଆ ନେଳିଆ ପାଣି ଉପରେ କି ଶୀତ କି ବର୍ଷା ସବୁଦିନେ ଚାଲୁଥିଲା ନାଆ । ଚାନ୍ଦବାଲି ବନ୍ଦରରୁ ନାଆ ଆସେ ଆଉ ଯାଏ । ଚାଉଳ, ଶିଳ, ଶିଳ-ପୁଆ, ଲୁଣ, ଶୁଖୁଆ ଆଦି ଭଳି ବ୍ୟବହାରର ପଦାର୍ଥ ନାଆରେ ବୋଝେଇ ହୋଇ ନଈଏ ନଈଏ ବିକ୍ରି ଆସେ । ଲଙ୍ଗରପକାଇ ଗାଁ-ତୁଠରେ ନାଆ ଦିନେ ଦୁଇଦିନ ବିଶ୍ରାମ ନିଏ । ଲୋକେ ଖବର ପାଇ ଜିନିଷ କିଣି ଆସନ୍ତି । ଦୂର ଦୂର ଗ୍ରାମରୁ ବି ଅଣ୍ଟାରେ ଟଙ୍କା ଖୋଷି ମୂଲିଆ ଧରି ଗାଁ ଦୋକାନୀମାନେ ଆସନ୍ତି । କିଣା ବିକା ହୁଏ । କିଏ ବଦଳରେ ଦିଅନ୍ତି ଟଙ୍କା କିଏ ବା ସୋରିଷ, ବିରି, ଚାଉଳ ଆଦି ଶସ୍ୟ । ତେଲି କିଣେ ଚାଉଳ, ବିରି, ମୁଗ, ଶୁଖୁଆ । ନା-ଆସିବା ଦିନଗୁଡାକ ଗାଁରେ ଗାଁରେ ଏକ ରକମର ଚହଳ ପକାଇ ଦିଏ । ସମସ୍ତେ ଏକ ଅଜଣା ଉତ୍ସାହରେ ପୁଲକି ଉଠନ୍ତି । ସେ ଦିନ ଆଉ ନାହିଁ । ନନ୍ଦଙ୍କ ଘର ନିଜର ବି ଖଣ୍ଡେ ନାଆ ଥିଲା । କେଉଟଙ୍କୁ ସେମାନେ ଭଡ଼ା ଦେଇଥିଲେ । କେଉଟମାନେ ବିଦେଶ କରିଯାଆନ୍ତି, ବ୍ୟବସାୟ କରନ୍ତି, ଲାଭରୁ କିଛି ଅଂଶ ଦିଅନ୍ତି ମାଲିକଙ୍କୁ । ତା’ଛଡ଼ା ଖାଇବା ଲାଗି ଶୁଖୁଆ, ମାଛ, ସୁନିଆରେ ଭେଟି ପାନ, ଗୁଆ ଇତ୍ୟାଦି ଇତ୍ୟାଦି ନଈ ପୋତି ହୋଇ ପଡ଼ିଲାକୁ ନାଆ ଚଳିଲା ନାହିଁ । ଉପାର୍ଜିତ ଧନ ଯଥେଷ୍ଟ ନ ହେବାରୁ ସେମାନେ ଆଉ ନାଆ ଭଡ଼ା ଧରିଲେ ନାଇଁ । ପଡ଼ି ରହିଲା ନାଆ । କୈବର୍ତ୍ତମାନେ ନିଜ ବୃତ୍ତି ଛାଡ଼ି କଲିକତା ଗଲେ; ସେଠି ମୋଟ ବୋହି, କୁଲି ସାଜି ପେଟ ପୋଷିଲେ । ଗାଁ ତୁଠରେ ନାଆ ଖଣ୍ଡେ ନାଇଁ । ଡଙ୍ଗା ଦୁଇଖଣ୍ଡରେ ଘାଟ ଚଳୁଛି । ନିଜ ଘର ନାଆରେ ରାମାନନ୍ଦେ ବି ଥରେ ଦୁଇଥର ଯାଜପୁର ଦୁର୍ଗାପୂଜା ଦେଖି ଯାଇଛନ୍ତି । ଘର ପରି ଭିତର । ଖିଆପିଆ, ରୋଷେଇବାସ, ଶୁଆ ଉଠା ସବୁ ହୁଏ ତାରି ଭିତରେ । ମଙ୍ଗୁଆଳ ସାଙ୍ଗକୁ ଦୁଇ ଚାରିଜଣ ବାହୁଆ ଦର୍କାର ଉଠାଣି ଲାଗି । ଗଡ଼ାଣି ବେଳେ ଦୁଇ ଜଣରେ ଯଥେଷ୍ଟ ହୁଏ । ଦୁଇଧାର ହୋଇଯାଏ ପାଣି–ଆଗକୁ ନାଆ ଚାଲେ-। ବର୍ଷା ହେଲେ କିଛି କ୍ଷତି ହୁଏନାଇଁ । ଲଙ୍ଗର ପକାଇଦେଇ ସମସ୍ତେ ରହିଯାନ୍ତି ଭିତରେ । ଖଣ୍ଡେ ନାଆ ଥିଲେ ରାମନନ୍ଦଙ୍କ ପରିବାର ଆଜି କଷ୍ଟ ସହନ୍ତେ ନାଇଁ । ନାଆଟା ଖାଲି ତାଙ୍କର ପଡ଼ି ପଡ଼ି ଫୁଟିଗଲା । ତାକୁ ମରାମତି କଲାଭଳି ‘ହଜାରିକିଆ’ ମୁଣ୍ଡ ନଥିଲା ନନ୍ଦଙ୍କର ! କୁଆଡ଼ୁ କୁଆଡ଼ୁ ବାଲି ଆସି ନଈଟା ବର୍ଷା ଦିନ ଗଲାକ୍ଷଣି ଶୁଖି ଯାଉଛି । ଗଭୀରତା ନାହିଁ । ଉପର ମୁଣ୍ଡରେ ବର୍ଷା ହେଲାକ୍ଷଣି ଉଛୁଳି ପ୍ରତିବର୍ଷ ବନ୍ୟା; ବିପଦ– ନଈକୂଳିଆଙ୍କର ବିପଦ ଲାଗି । ରହିଚି । ଶୀତ ଦିନେ ନଈଟା ଶୁଖିଲା ଠକ୍‌-ଠାକ୍‌ । ଖାଲି ବାଲି । ପାଣି ଯାଇ କେଉଁ ଧାରରେ–ଚର୍‌ଚରା ପଡ଼ିଲା ଭଳି ।

 

ରାମାନନ୍ଦେ ଭାବିଲେ–ତାଙ୍କ ଗାଁ ଲୋକେ ମିଶି ନଈଟା କଣ ଖୋଳି ପାରିବେ ନାହିଁ ।

 

ହୁଁ, ପାଗଳ–। ଗାଁ ଲୋକଙ୍କର କେତେ ବା ଶକ୍ତି ? ଦେଶ ଲୋକେ ଓ ସରକାରଙ୍କର ଯଦି ଦୃଷ୍ଟି ପଡ଼େ ତ କେଜାଣି ସମୟ ହୋଇପାରେ । ଆଜିକାଲି କତେ ପ୍ରକାରର ବିଜ୍ଞାନଯନ୍ତ୍ର ବାହାରିଲାଣି । ଯଦି ବୁଦ୍ଧିର ସାହାଯ୍ୟ ନିଆଯାଏ, ତେବେ ହୁଏତ ହୋଇପାରେ ।

 

ଗୋଟାଏ ଟର୍ଚ୍ଚ ଉପରେ ବିଶ୍ୱାସ ରଖି ସମସ୍ତେ ପାଣି ଭିତରେ ଟାଣି ହୋଇ ଆଗକୁ ଚାଲିଲେ । ବହୁ ବାଟ ଗଲାପରେ–ଆଖି ସାମ୍ନାରେ କୁଦଟାଏ ପଡ଼ିଲା । ସେଇଟା ଶଙ୍କରା ଢିଅ । ବହୁ ଉଚ୍ଚରେ କରିଥିଲା । ବଂଶ ବୁଡ଼ିଗଲା ସିନା ଢିଅଟାକୁ କେହି ବୁଡ଼େଇ ପାରି ନାହାନ୍ତି । କୁଦଟି ଛୋଟ–ସେଇଠି ସମସ୍ତେ ଠିଆ ହେଲେ । ‘ହେଇ ବୁଡ଼େଇଲି’ ଧମକ ଦେଇ ଚାରିପାଖରେ ବଢ଼ିପାଣି ପହରା ଦେଉଚି । ସୁମି ଛୋଟ ହାତ ଦୁଇଟି ଟେକି ବଢ଼ିପାଣିକୁ ଜୁହାର କଲା ।

 

(୧୫)

 

ବର୍ଷାର ପ୍ରକୋପ କମି ଆସିଲାବେଳକୁ ରାତିଯାଇଁ ଶେଷ ପହରରେ ପହଞ୍ଚିଲାଣି । ସୁମିକୁ ଜୋର୍‌ ଶୀତ । ଶୁଖିଲା ଲୁଗାନାହିଁ । ସମସ୍ତେ ତିନ୍ତିଛନ୍ତି । ରାମନନ୍ଦଙ୍କର ଚାରା କଣ ? ଜୀବନ ଭୟରେ ଆସିଥିବାରୁ କିଛି ଉଦ୍ଧାର କରିପାରି ନାହାନ୍ତି । ଜିନିଷପତ୍ର ଉପରେ ଆଣ୍ଠୁଏ ବହଳର କାନ୍ଥ-ମାଟି ପଡ଼ିଥିବ; ବଢ଼ିପାଣିର ନାଗଶିଶୁ ସର୍‌ ସର୍‌କି ଖେଳୁଥିବ । ଏବେ ଶୁଖିଲା ଲୁଗା ଆସିବ କେଉଁଠୁ ? ଆକାଶ ପୃଥିବୀ ହାତ ମିଳାଇ ତାଙ୍କୁ ହଇରାଣ କରିଛନ୍ତି । ନନ୍ଦେ ଅଣ୍ଟା ଗାମୁଛା ଖଣ୍ଡି ଛତା ତଳେ ଚିପୁଡ଼ି ସୁମି ଦିହ ହାତରୁ ପାଣି ପୋଛି-ପାଛି ପକେଇଲେ କେବଳ ।

 

ବିଜୁଳି ମାରିଲାବେଳେ ସୁମି ଟୁନୀ ଓ ବୁଲୁକୁ ଚାହେଁ । ସମସ୍ତଙ୍କ ଅବସ୍ଥା ତାରି ଭଳି । ଦେହ ହାତ ଥଣ୍ଡା । ଶୀତରେ କମ୍ପୁଛନ୍ତି । ଉପାୟ ନାହିଁ ।

 

ଚାରିଆଡ଼େ ସାଗରର ସୁ-ସୁ ଗର୍ଜନ । ଗୋଟାଏ ନିର୍ଜ୍ଜନ ଦ୍ୱୀପରେ ସେମାନେ ଜୀବନ ରକ୍ଷାର ଚେଷ୍ଟା କରିଛନ୍ତି । ସେମାନେ ପଶୁ ନୁହନ୍ତି । ବର୍ଷା-ପାଣି ସହିବାର ଧୈର୍ଯ୍ୟ ସବୁଠୁଁ କମ୍‌ ମଣିଷର । ତା’ ଦେହରେ ଭାଲୁ ସମାନ ଲୋମ ନାହିଁ, କୁଆର ପର ନାହିଁ କି, କି ସାପର ନିଗଡ଼ା କାତି ନାହିଁ । ସେ ସୁନ୍ଦର, କୋମଳ ଛନଛନ ଲୋଭନୀୟ ତାର ଚର୍ମ । ଏଥିପାଇଁ ବାଘ ଭାଲୁ ଲୋଭେଇ ଯାଆନ୍ତି । ଡାଆଣି ଚିରଗୁଣିଙ୍କ ପାଟିରୁ ଲାଳ ବହେ । ମଣିଷ ସବୁଠାରୁ ସୁଖାଦ୍ୟ । କେତେ ବୁଢ଼ୀ ଅସୁରୁଣୀ ଗଳ୍ପରେ ଏଇକଥା କୁହାଯାଇଚି । ପଥରକୁ ଯେଉଁଠି ନାଇଁ ସେଠି ପକେଇଲେ ପଥରର କିଛି ଯାଏ କି ଆସେନା । ସେ ଜଡ଼, ଅନୁଭବର ଶକ୍ତି ତାହାର ନାଇଁ । କିନ୍ତୁ ପାଣିରୁ ଅଲଗା ହୋଇଗଲେ ମାଛ ଛଟ୍‌ପଟ ହୁଏ । ଘରୁ ବାହାରିଲେ ମଣିଷ ହଇରାଣ ହୁଏ । ଶାରୀରିକ ଦୃଷ୍ଟିରୁ ମଣିଷ ସବୁଠୁଁ ଦୁର୍ବଳ । ସେଇହେତୁରୁ ନିଜର ବସନ ଓ ରହଣୀ ପାଇଁ ନେଇଛି ଜ୍ଞାନର ସାହାଯ୍ୟ । ତାହା ତାର ପ୍ରଧାନ ଅସ୍ତ୍ର । ବୁଦ୍ଧି ବୃତ୍ତି ଓ ଚିତ୍ତବୃତ୍ତି ଲୋପ ପାଇଲେ ମଣିଷ ପଶୁ ହୋଇଯିବ । ସେତେବେଳେ ଖରା ବର୍ଷା ଆଉ ତାକୁ ବାଧିବ ନାହିଁ । କିନ୍ତୁ ବେଶୀ ବାଧିବ ଅନ୍ୟମାନଙ୍କର ଅତ୍ୟାଚାର–ଯେଉଁ ଅତ୍ୟାଚାର ସବଳ ପ୍ରାଣୀ ଦୁର୍ବଳ ଉପରେ ଆହାର ପାଇଁ କରି ଆସୁଛନ୍ତି ।

 

ଶିରିଆପୁର ମଫସଲ । ସେଠି ବୈଜ୍ଞାନିକ ଯନ୍ତ୍ରର ଅଭାବ । ମୋଟର ଲଞ୍ଚଟାଏ ମିଳିଥିଲେ ସେମାନେ ପାର ହୋଇ ଝୁମ୍ପୁରି ଚାଲିଯାଆନ୍ତେ । ସେଠି ସାନ ସାନ ହୋଟେଲ ଅଛି, ଚିହ୍ନାଜଣା ଲୋକ ଅଛନ୍ତି । ରହିଯାନ୍ତେ । ସୁମି ମୋଟର ଲଞ୍ଚ ଦେଖିଚି । ଗତବର୍ଷ ବଢ଼ି ଦେଖିବା ଲାଗି ନଈଏ ନଈଏ ଯାଜପୁରରୁ ବାବୁ ସବୁ ଆସିଥିଲେ । ଫଟ୍‌ ଫଟ୍‌ କରି ଚାଲେ । ଗାଁ ଘାଟରେ ରହିଥିଲା । ପୁଣି ନଈଏ ନଈଏ କୁମ୍ଭୀର ପରି ଚାଲିଗଲା । ନିମିଷକରେ କେତେ ବାଟ ଚାଲିଯାଏ । ପାଣିକୁ ମୋଟେ ଡରେନା ।

 

ଘାଟ ଡଙ୍ଗା ଯାଇଁ ମାଇଲିଏ ତଳେ ଡାଙ୍ଗୁଆ ପାଟଣା ଘାଟରେ ଲାଗିଥିବ । ଅନ୍ଧାର । ବଢ଼ିରେ ସମସ୍ତେ ବିପନ୍ନ । ଏତେବେଳେ ନାଆ କିଏ କାହିଁକି ଖୋଲିବ । ନାଉରି ହେଲେ ବି ନଈର ବିଷଦାନ୍ତକୁ କିଏ ନଡରେ ?

 

(୧୬)

 

ଦୋବଲ ବଜାର ଉପରେ ରାମନନ୍ଦଙ୍କର ଦରଜୀ ଦୋକାନ । ଏକମାତ୍ର ସିଲେଇ ମେସିନ । ରାମାନନ୍ଦେ ନିଜେ ପରିଚାଳକ ଓ ସିଲେଇକାର ସବୁ । ଗୋଟିଏ ବାର ଚଉଦ ବର୍ଷର ବାଳକ ତାଙ୍କର ସହକର୍ମୀ । ସେ ବୋତାମଘର ତିଆରି କରି ସିଲେଇ କରେ । ସେଠି ରାମନନ୍ଦଙ୍କୁ ଦିନ ଆଠଟାରୁ ରାତି ଆଠଟା ଯାଏଁ ଖଟିବାକୁ ହୁଏ । ସେମିଜି, ସାୟା, ସାର୍ଟ, ପ୍ୟାଣ୍ଟ, ଫୁଲପ୍ୟାଣ୍ଟ୍‌ ସବୁ ସେ କାଟି ପାରନ୍ତି । ସେଥିପାଇଁ ଦୋବଲ ପାଖରେ ଶିକ୍ଷିତ ଲୋକେ ପଢ଼ୁଆ ଟୋକାଏ ବେଶି ଆସନ୍ତି ତାଙ୍କରି ଦୋକାନକୁ । ସେଠି ରାମନନ୍ଦଙ୍କର ଆଦର ଅଛି । ଦୋବଲ ଗଲେ ସେ ଦୋକାନ ଖୋଲି ପିଲା-ଛୁଆଙ୍କୁ ଧରି କିଛିଦିନ ରହି ଯାଇପାରିବେ । କିନ୍ତୁ ବର୍ତ୍ତମାନ ବୋଧହୁଏ ଅସମ୍ଭବ । ଚାରିଆଡ଼େ ଶତ୍ରୁ । ବାଟ ଜଳପୂର୍ଣ୍ଣ । ପାଖଆଖରେ ନୁହେଁ–ପୂରା ତିନିମାଇଲ ରାସ୍ତା । ସେ ଏକା ହୁଏତ ଚାଲି ଯାଇପାରିବେ–କିନ୍ତୁ ଏଇ ସୁମି-ମା, ସୁମି, ବୁଲୁ ?

 

(୧୭)

 

ଆକାଶରେ ପୂର୍ବପରି ମେଘର ବିକଟ ଚକ୍ଷୁ ଖାଇବ ବୋଲି ଚାହିଁଥାଏ । କେବଳ ବନ୍ଦ ହୋଇଛି ଧାରା । ସୁମି ପାଖକୁ ଟୁନୀ ଲାଗି ଆସିଲା । ଫୁଙ୍ଗୁଳା ଦେହ । ଫ୍ରକ୍ ଖଣ୍ଡି ତିନ୍ତିଯିବାରୁ ସେ କାଢ଼ି ପକେଇଚି । ଟୁନୀ ଡାକିଲା–‘ସୁମି ! ସୁମି ! ’

 

ସୁମି ଉତ୍ତର ଦେଲାନାଇଁ । ଟୁନୀ ଅଭିମାନରେ ଫୁଲି ଫୁଲି ଉଠୁଥାଏ । କିନ୍ତୁ କାହିଁକି ଅଭିମାନ କରିବ । ଦେହରେ ଥଣ୍ଡା ଲାଗିଚି ବୋଲି ସୁମି କଥା କହି ପାରୁନାଇଁ । ଦୋଷ କଣ ? ଦୁଇଜଣଯାକ ନିମନ୍ତ୍ରଣ କରି ବନ୍ୟା ଅଣେଇଛନ୍ତି । ଭୋଗିବା ଭାଗ୍ୟରେ ଲେଖାଅଛି । ଶୁଖିଲା ବାଲିଖେଳ କେଡ଼େ ସୁନ୍ଦର ହେଉଥିଲା । ବଢ଼ିପାଣିରେ ଚପର ଚପର ହୁଅନ୍ତି ବୋଲି ବଢ଼ି ତାଙ୍କୁ ସୁଖ ଲାଗେ ଆଉ ସେଇଥିପାଇଁ ହକର ହକର ହେଉଥିଲେ ବଢ଼ି ଲାଗି । କିନ୍ତୁ ଏବେ ? କିଏ ଜାଣିଥିଲା ଲୋ ମା ଏତେକଥା ଘଟିବ ବୋଲି । ଟୁନୀ ଦେଖିଲା ବୁଲୁ ନନାକୁ । ସେ କାଠଟି ପରି ବସିଚି । ଚୈତ୍ରମାସର ସଂଧ୍ୟା ବେଳ କଥା ଟୁନୀର ମନେଅଛି । ଦିନ ସାରା ତାତି ପବନ ତାଙ୍କ ଝରକା ବାଟଦେଇ ଭଳ ଭଳ କରି ପଶିଆସେ । ବେଶି ତାତି ଅବଶ୍ୟ ବୈଶାଖ ମାସ ଖରାବେଳେ, ପଦାକୁ ବାହାରି ହୁଏ ନାଇଁ । ଉପରଓଳି ଟୁନୀ, ସୁମି ଓ ବୁଲୁ ନଈବାଲିକୁ ଯାଆନ୍ତି । ଆହୁରି କେତେ ଲୋକଙ୍କର ସେଠି ଆଖଡ଼ା ବସିଥାଏ । ଗାଁ ଯାକର ମାଇପେ, ବୋହୂଏ, ଭୁଆସୁଣୀଏ ଲୁଗାଧୋଇ ଆସନ୍ତି । ବୁଢ଼ା ବୁଢ଼ୀମାନେ ରାତି ଦୁଇପହର ଯାଏ ବସି ଗପ କରନ୍ତି । ଅଭେଡ଼ା ଟୋକାମାନେ ଅନେକ ସମୟରେ ସାରା ରାତି ନଈବାଲିରେ ଶୋଇ ଯାଆନ୍ତି । ସୁମି ଓ ଟୁନୀ ବାଲିଘର ଭାଙ୍ଗି ସଂଧ୍ୟା ପୂର୍ବରୁ ପଳେଇ ଆସନ୍ତି । ସୂର୍ଯ୍ୟ ବୁଡ଼ିଲାବେଳର ଲାଲକିରଣରେ ନଈବାଲି ଖୁବ୍‌ ଚମତ୍କାର ଦିଶେ । ବୁଲୁ ସବୁବେଳେ ତାଙ୍କ ସହିତ ମିଶେନାହିଁ । ସୁମିକୁ ବୁଲୁ ସାଥୀରେ ଖେଳିବାକୁ ଭାରି ଭଲଲାଗେ । ଟୁନୀ ସମୟ ସମୟରେ ଏକା ପଡ଼ିଯାଏ । ଟୁନୀ ଖୋଜେ ବୁଲୁ ନନାଟା ପଳାନ୍ତା କି ? ସତକୁ ସତ ବୁଲୁ ବି ପଳାଏ ବାଗୁଡ଼ି ଖେଳ ପାଖକୁ । ସେଠିକି ସୁମି କି ଟୁନୀ କେହିଯାଆନ୍ତି ନାହିଁ । ଥରେ ଦଳେ ଟୋକା ‘‘କାଇଲିରେ କୋଲ, ବତିଘରେ ଶୋଲ । ବତି ଜଳୁଜଳୁ ପାହିଗଲା ରାତି । କୁଆ ନେଇଗଲା କଜଳର ପାଲି ।’’–ରାହାଦେଇ ଗୋଡ଼ା ଗୋଡ଼ି ହୋଇ ହୋଇ ସୁମି ଓ ଟୁନୀଙ୍କ ବାଲିଘର ଭାଙ୍ଗି ଦେଇଥିଲେ । ସେଇଦିନରୁ ଟୁନୀର ରାଗ ଏଇ ‘ବୋଉ ବାଗୁଡ଼ି’, ‘କାଇଲିରେ କୋଲ’, ବାଗୁଡ଼ି ଆଦି ଅଣ୍ଡିରିଆ ଖେଳ ଉପରେ । ନଈବାଲିରେ ଲୁଚକାଳି ଖେଳି ହୁଏ ନାହିଁ । ସେଠି ଲୁଚିବାକୁ ଜାଗା ନଥାଏ । ଲୁଚକାଳି ଖେଳ ଜହ୍ନ ରାତିରେ ସୁମିଘର ଦାଣ୍ଡରେ ଭଲ ହୁଏ । ଆଉ ଆଉ ଛୁଆମାନେ ଯୋଗଦିଅନ୍ତି । ସୁମି ଓ ବୁଲୁନନା ସାଙ୍ଗ ହୋଇ ଲୁଚିଯାନ୍ତି । ଟୁନୀ ସେମାନଙ୍କ ଲୁଚିବା ଜାଗାଟା ଠଉରାଇନିଏ ଅକ୍ଳେଶରେ ପଟ୍‌କରି ଧରି ପକାଏ ।

 

ସେଇକଥା ନଭାବିବା ହିଁ ଭଲ । ଘର ଭାଙ୍ଗିଚି, ନଈବାଲି ବୁଡ଼ିଯାଇଚି, ପୁଣି ମେଘୁଆ ରାତି ।

 

ସୁମି ମନର ଆଗ ଚପଳତା ଆଉ ନାହିଁ । ଟୁନୀ ଓ ବୁଲୁଙ୍କ ନିକଟରେ ବସିଥିଲେ ବି ସେ କାହାସାଙ୍ଗରେ କଥା ହୋଇ ପାରୁନାଇଁ । ସମସ୍ତେ ଯେମିତି ତାକୁ ଥଟ୍ଟା କରିବାଲାଗି ଏଜକୁଟ ହୋଇ ବସିଛନ୍ତି । ‘ବଢ଼ିପାଣି ଚାହୁଁଥିଲୁ ଯେ ? ଏବେ ଯାଉନୁ ଖେଳିବୁ ।’

 

ବଢ଼ିପାଣିରେ ଖେଳିବ ସୁମି ? ନାନା....ନା-ନା । କାଣ୍ଡନଳ ସାପଗୁଡାକ ବିଜି ବିଜି ହେଉଛନ୍ତି । ଟିକକରେ ଗୋଡ଼ରେ ଗୁଡ଼େଇ ହୋଇଯିବେ । ସେ ଆଉ ଜମା ବଢ଼ିପାଣିକୁ ପଶିବ ନାଇଁ । ସେଇ ଭାସିଲା ତାଳ ଧରିବାକୁ ଯାଇ ତାର ଏତେ ଅବସ୍ଥା । ପିଣ୍ଡା ଉପରେ ବସି ତଳକୁ ସେ ହାତ ବଢ଼ଉଥିଲା; ଯଦି ସେତେବେଳେ ଖସିପଡ଼ିଥାନ୍ତା ? ଇସ୍‌..... ସୁମି ଆଉ ଚିନ୍ତାକରି ପାରିଲା ନାଇଁ । ସୁମି-ମାଙ୍କ ଓଦାକୋଳ ଭିତରେ ଭଲକରି ମୁଣ୍ଡ ଗୁଞ୍ଜିଦେଲା । ତାର ମୁଣ୍ଡ ଉପରେ ଡାଆଣୀ କଳାରାତି ତାଣ୍ଡବ ନୃତ୍ୟ ଦେଖାଉଥାଏ ।

 

(୧୮)

 

ସକାଳ ହେଲା । ବର୍ଷାର ଧାରା ବନ୍ଦ । ଆକାଶ କିନ୍ତୁ ମେଘ ଢଙ୍କା । ପଶ୍ଚିମପଟ ମେଘ ପୂର୍ବପଟକୁ ସଦଳବଳେ ଦଉଡ଼ିଛି । ଆକାଶରେ ପିମ୍ପୁଡ଼ି ଗଳିବାକୁ ବାଟ ନାହିଁ । କେତେବେଳରୁ ସୂର୍ଯ୍ୟଙ୍କ ନିଦ ଭାଙ୍ଗିଥିଲେ ବି କଳା-ମେଘର କମ୍ବଳ ଭିତରୁ ମୁହଁପଦାକୁ ବାହାର କରୁନାହାନ୍ତି ।

 

ସୁମିକୁ ଭୋକ ହେଲାଣି ।

 

ଟୁନୀ ବାପା ପାଖରେ ଦୁଇଥର କହିସାରିଲାଣି–‘ବାପା, ଭୋକ ।’

 

ବୁଲୁ ଚୁପ୍‌ ।

 

ସୁମି-ମା ଟୁନୀ ଓ ସୁମିଙ୍କ ଅଲରା ବାଳ ଉପରେ କେବଳ ହାତର ପାନିଆ ଚଳଉଥାଆନ୍ତି । ଆଖିରୁ ଟୋପେ ହେଲେ ଲୁହ ଝରୁ ନଥାଏ । ରାମନନ୍ଦ ଚାହିଁଥାନ୍ତି ଦିଗନ୍ତକୁ–ବଢ଼ିପାଣିର ଜନ୍ମସ୍ଥଳୀ ସେଇଠି ।

 

କାଲିର ସଂଧ୍ୟା ଆଗରୁ ଯିଏ ଯାହା ଖାଇଥିଲେ–ବାସ୍‌ ସେତିକି । ସଂଧ୍ୟାପରେ ତ ଏମିତି ହେଲା । ଏ ଯାଏଁ ଆଉ ପାଟିରେ କିଛିହେଲେ ବାଜିନାଇଁ । ଭୋକ ନହେବ କେମିତି ? କେଉଁ ପହରରୁ ସକାଳ ହେଲାଣି । ଏତେବେଳକୁ ସୁମି ପଖାଳ ପିଠା ଖାଇ ସାରନ୍ତାଣି । ସୁମି-ମା ଭାବିଲେ–କଣ କେଉଁଠୁ ଆଣି ସେ ଦେବେ ସୁମିକୁ ?

 

ନନ୍ଦେ ଛୁଆଙ୍କ ଆଡ଼େ ଥରେ ଆଖି ବୁଲେଇଆଣି ନାଲୁମିଶ୍ରଙ୍କ ଆଡ଼େ ଚାହିଁଲେ । ନାଲୁମିଶ୍ରେ ବେକଭାଙ୍ଗି ମୁଣ୍ଡକୁ ଆଣ୍ଠୁ-ସନ୍ଧିରେ ପୂରେଇ ବସିଚନ୍ତି । ଖାଲି ଖୋଷଣୀଟାଏ । ଗୋଟାଏ ବଡ଼ ତମ୍ବା ପଇସା ବ୍ୟତୀତ ଆଉ କିଛି ନାହିଁ । ନନ୍ଦେ ପାଣି ଭିତରକୁ ଗୋଡ଼ ବଢ଼େଇଲାରୁ ନାଲୁମିଶ୍ରେ ମୁଣ୍ଡ ଉଠେଇଲେ–ରାମ ! କୁଆଡ଼େ ଯାଉଚୁ ?

 

–‘‘ଛୁଆମାନଙ୍କ ଲାଗି କିଛି ଯୋଗାଡ଼ କରିବାକୁ ମିଶ୍ରେ ବାଧାଦେଲେ ନାହିଁ । ସୁମି-ମା ଭାବିଥିଲେ ମନା କରିବାକୁ କିନ୍ତୁ ତାଙ୍କର ବି ଜିଭ ଲେଉଟିଲା ନାହିଁ ।

 

(୧୯)

 

ରାମନନ୍ଦଙ୍କ ଗତି ସଳଖ । ଗଛ ପରେ ଗଛ ପାରହୋଇ ଚାଲିଛନ୍ତି । ପାଣି କେଉଁଠି ଅଣ୍ଟେ, କେଉଁଠି ବେକେ ବା ଛାତିଏ, କେଉଁଠ ବା ଥଳ ନାହିଁ । ପହଁରିବାକୁ ପଡ଼ୁଚି । ରାସ୍ତା ଅରାସ୍ତା ସବୁ ଏକାକାର । ଖାଲି ନନ୍ଦଘର ମିଶ୍ରଘର ନୁହେଁ–ସମସ୍ତଙ୍କର ଅବସ୍ଥା ସମାନ । ଘର ନାହିଁ । କିଏ ବସିଚି ଗଛ ଉପରେ କିଏବା ଅଣ୍ଟାଭାଙ୍ଗି ପଡ଼ିଥିବା ଚାଳ ଉପରେ । ଗାଈଗୋରୁ ନିଶୂନ୍‌ । ସବୁ କଣ ଭାସି ଯାଇଛନ୍ତି ? ଗଗନ ଗୁଡ଼ିଆ ଘର ବିଷୟ ଚିନ୍ତା କଲାକ୍ଷଣି ନନ୍ଦଙ୍କର କୋହ ଉଠିଲା । ଇସ୍....କେଡ଼େ ପାପୀ ସେ ? କଥାଦେଇ ବିପଦବେଳେ ସାହାଯ୍ୟ କରିପାରିଲେ ନାଇଁ । କିଏ ତାଙ୍କୁ କ୍ଷମା କରିବ ?

 

ଗୋଟିଏ ଗଛକୁ ଆଉଜି କିଛିକ୍ଷର ସେ ଠିଆ ହୋଇ ରହିଲେ । ପହଁରି ପହଁରି ବାହା ଦୁଇଟା ତାଙ୍କର କ୍ଳାନ୍ତ ହୋଇପଡ଼ିଲେଣି । ଦୋକାନ ଘର କଣ ଏ ବିପଦରୁ ରକ୍ଷା ପାଇଚି ? କିଏ କହିବ ? ତଥାପି ଭାଗ୍ୟ ପରୀକ୍ଷା ନିତାନ୍ତ ପ୍ରୟୋଜନ । କିଛି ନହେଲେ ସୁମି, ଟୁନୀ ଓ ବୁଲୁ ପାଇଁ । ବାକି ଦେବ ଯେ ? ହଁ, ଦେବନାହିଁ କାହିଁକି । ନନ୍ଦେ ସର୍ବଥା କଥା ରଖିଛନ୍ତି । ଦୋକାନୀ ପୁଅଲାଗି ବିନା ଖର୍ଚ୍ଚରେ ଜାମାକରି ଦେଇଛନ୍ତି । ତାଙ୍କୁ ବାକୀ ମିଳିବ ନାହିଁ ତ ମିଳିବ କାହାକୁ ? କିଛି ବିଳାସ କରିବାଲାଗି ନୁହେଁ । ବିପଦ ପଡ଼ିଚି । ଛୁଆପିଲା ମରିଯାଉଛନ୍ତି । ସେଥିଲାଗି କେବଳ ସେ ପରଦୁଆରରେ ହାତ ପତେଇବାକୁ ଆସିଛନ୍ତି । ଗୋଟେ ମାସ ଭିତରେ ଶୁଝିଦେବେ ।

 

ନନ୍ଦେ ପୁଣି ପହଁରିଲେ ।

 

ଦୋକାନଘର କାହିଁ ? ଭସ୍‌ ଭସ୍‌ ହୋଇ ପାଣି ତା’ ଭିତରେ ବାଟ ସଫା କରୁଚି । ପାଖ ପୁଣ୍ଟିଆ ଗଛଟା ଉପୁଡ଼ି ଚାଳକୁ ମଝିରୁ ଦୁଇଭାଗ କରିଦେଇଚି । ଶିରିଆପୁର ଗାଁର ସେଇ ଏକମାତ୍ର ଦୋକାନ । ଗାଁ ଲୋକଙ୍କର ନିତିଦିନିଆ ଗୁଜରାଣ ମେଣ୍ଟାଏ ।

 

କଣ ଗୋଟାଏ ପଚିଯାଇ ଦୁର୍ଗନ୍ଧ ହେଉଚି । ନନ୍ଦେ ଅନିଷା କଲେ–ସ୍ତ୍ରୀ ଲୋକଟିଏ । ଦେହରେ ଲୁଗାପଟା ନାହିଁ । ବାଳ ମୁକୁଳା । କାହୁଁ ଭାସି ଆସି ଏଠି ଲାଗିଲା ? ଶିରିଆପୁର ଗାଁରେ ଦେଖିଲା ଭଳି ମନେ ହେଉନାଇଁ । ଅନ୍ୟ ଗାଁ କଣ ଶିରିଆପୁର ପରି ସଂକଟାପନ୍ନ । ସ୍ତ୍ରୀ ଲୋକଟିର ହାତରେ ମୋଟା ମୋଟା ରୂପାଖଡ଼ୁ । ଗୋଡ଼ରେ ବାଙ୍କିଆ । ବେକରେ ରୂପା ହାର । ଯୌବନ ଅଛି-। ପେଟଟା ଫୁଲିଚି ବୋଧହୁଏ ପାଣି ପଶି । ପଚାଗନ୍ଧରେ ଠିଆ ହୋଇ ରହିବା କଷ୍ଟ । ନନ୍ଦେ ସ୍ତ୍ରୀଲୋକଟି ଲାଗି କାନ୍ଦିବାର ଅବସର ପାଇଲେ ନାହିଁ । ସୁମି-ମା ଭାଗ୍ୟରେ ଯଦି ଏପରି ଘଟିଥାନ୍ତା ? ନା... ନା । ସେ ଫେରିଲେ । କିନ୍ତୁ ଖାଦ୍ୟ ନ ନେଇ ଫେରିବେ କିପରି । କଣ, ମୁହଁ ଦେଖାଇବା ଲାଗି ? ଦୋବଲ ଏକମାତ୍ର ଜାଗା । ଆଉ କେଉଁଠି କିଛି ମିଳିବ ନାଇଁ । ସୁମି ଭୋକ ଭୋକ ହେଉଥିବ । ଛୁଆଟାର ପେଟ ଯାଇ ପିଠି ଭିତରେ ଲାଗିବଣି । ସେ ସାହସ ବାନ୍ଧିଲେ । ଯେତେ ଡେରି ହେଉନା କାହିଁକି ସେ ଦୋବଲ ଯିବେ । ସୁମି ପାଇଁ ଆଣିବେ ବଞ୍ଚିବାର ଔଷଧ ।

 

ହଠାତ୍‌ ଆକାଶର ମେଘ ଫାଟିଯାଇ ମେଞ୍ଚାଏ ଧଳା କିରଣ ଗଳି ପଡ଼ିଲା । ସୂର୍ଯ୍ୟ ଦେବତା–ନନ୍ଦେ ନମସ୍କାର କଲେ ।

 

ନନ୍ଦେ ଠିଆ ପହଁରା ଦେଇ ଘାଇ ମୁଖ ପାର ହେଲା ପରେ ନଈବନ୍ଧ ଧରିଲେ । ଗାଁ-ଯାକର ଅଧ ଲୋକ ସେଠି ଜମା ହୋଇଛନ୍ତି । ଯିବାକୁ ରାସ୍ତା ନାହିଁ । କାନ୍ଦଣାର ଗଗନ ଉଠା ଧ୍ୱନି, ଭୋକର ଚିତ୍କାରରେ ସ୍ଥାନଟି ମୁଖରିତ । ନନ୍ଦେ ଆଖି ବୁଜିଲେ । ହାତେ ଚଉଡ଼ାର ନଈବନ୍ଧ । ମିନିଟ ମିନିଟକୁ ଅତଡ଼ା ଖସୁଚି । ନିରାପଦ ନୁହେଁ ! ତଥାପି ସୁମି ଲାଗି ଖାଇବା ପଦାର୍ଥ ଦର୍କାର । ସେ ଆଗେଇଲେ ।

 

ପାଗଳଙ୍କ ଭଳି ରାମାନନ୍ଦେ ଧାଇଁବାକୁ ଆରମ୍ଭ କରିଦେଲେ । ତାଙ୍କୁ ପାଗଳ ବୋଲି ଭାବିବାକୁ ଗାଁ ଲୋକଙ୍କର ଅବସର ନ ଥିଲା । ଭେଣ୍ଡା ଭେଣ୍ଡାମାନେ ଟଳି ପଡ଼ି ପଥର ପରି ବନ୍ଧ ଉପରେ ବସିଛନ୍ତି । ନଈ ଭିତରେ କେତେ ଚାଳ, କେତେ ହାଣ୍ଡି, କେତେ ମସିଣା ଭାସି ଯାଉଚି । ଉଦ୍ଧାର କରିବାର କ୍ଷମତା କାହାରି ହେଲେ ନାଇଁ ।

 

(୨୦)

 

ସୁମି କହିଲା–ମା, ବାପା କେତେବେଳେ ଫେରିବେ ।

–ଏଇ ଆସୁଥିବେ ବୋଧହୁଏ । ସୁମି-ମା ଧୀର ଗଳାରେ ଉତ୍ତର ଦେଲେ ।

ନାଲୁମିଶ୍ରେ କହିଲେ–ହଁ ଦୋକାନରେ ସକାଳେ ସକାଳେ ଭାରି ଭିଡ଼ ହୁଏ । କେତେ ଲୋକ କେତେ ଦରବ କିଣିବା ଲାଗି ଆସନ୍ତି । ପୁଣି ଆମର ବାକୀ । ଟିକିଏ ଡେରି ହେବ । ଏଇ ଅଇଲା ଭଳି ।

ସୁମି ଚୁପ୍‌ ହେଲା । ଟୁନୀ କିଛି କହିଲା ନାଇଁ । ବୁଲୁ ଅପେକ୍ଷା କଲା ।

ପାଣି ଖରା ମୁଣ୍ଡ ଫଟେଇ ଦେଉଥାଏ । ଆକାଶକୁ ଚାହିଁ ହେଉ ନାହିଁ । ନାଲୁମିଶ୍ରଙ୍କ ପିଠି ଖରାରେ ତାତି ଗଲାଣି ।

ଟୁନୀ ପଚାରିଲା–ବାପା, ଆମେ ଆଉ କଣ ଗାଁକୁ ଫେରିବା ନାହିଁ ।

ହଁ ଲୋ ମା, ବଢ଼ି ଛାଡ଼ିଲେ ଯିବା ।

କାହିଁକି ଯିବାନି । ଘର ସିନା ନାହିଁ । ଢିଅ ତ ଅଛି । ଖନା ପ୍ରଧାନ ପାଖରେ ଗୁଣ୍ଠେ ଜମି ବନ୍ଧକ ଦେଇ ସେ ଘର ତିଆରି କରି ନେବା । ବଢ଼ି କେଡ଼େ ସୁନ୍ଦର ପଟୁ ପକେଇଥିବ । କିନ୍ତୁ ବର୍ତ୍ତମାନ ବଞ୍ଚିବାର ଉପାୟ ?

 

ରାମ ଫେରୁ ।

 

ନାଲୁମିଶ୍ରେ ଗାଁ ଭିତରକୁ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁଲେ । କଳା ମୁଣ୍ଡଟାଏ ସେଇ ଆଡ଼କୁ ଆସିଲା ପରି ଜଣା ଯାଉଚି । ବୋଧହୁଏ ରାମ ପହଁରି ପହଁରି ଆସୁଚି । ସମସ୍ତେ ଆଗ୍ରହରେ ଚାହିଁଲେ ।

 

ସୁମି ଠିଆ ହୋଇପଡ଼ିଲା ।

 

ଟୁନୀ ବି ।

 

ବୁଲୁ ଠିଆ ହୋଇ ପାଣି କୂଳ ପର୍ଯ୍ୟନ୍ତ ଚାଲିଗଲା । ନାଲୁମିଶ୍ରେ ସମସ୍ତଙ୍କ ଓଠରେ ଏକ ଛୋଟିଆ ହସର ପ୍ରବହମାନ ରେଖାର ଆବିର୍ଭାବ ଅନୁଭବ କଲେ । ସୁମି-ମା କାନି ଝାଡ଼ି ଅଳସ ଭାଙ୍ଗିଲେ । ଦୀର୍ଘ ନିଶ୍ୱାସଟାଏ ବି କେଉଁ ପେଟ ଗହୀରରୁ ବାହାରି ଆସି ଆକାଶରେ ମିଳେଇ ଗଲା-

 

କଳା ପଦାର୍ଥଟି ପାଖେଇ ଆସିଲା ।

 

ଏଁ–ଏ ତ ଆଟିକାଟାଏ । ରାମ କାହିଁ ?

 

ନାଲୁମିଶ୍ରେ ଲଜ୍ଜିତ ହେଲେ ।

 

ଏତିକିବେଳେ ହରରଙ୍ଗିଆ ଉଡ଼ାଜାହାଜଟାଏ ଘଁ-ଘଁ କରି ଗୋଟାଏ ଚକର ମାରିଦେଲା-। ନଡ଼ିଆଗଛ ଉପରେ ଠିଆ ହୋଇ ହାତ ବଢ଼େଇଲେ ବାଜିଥାନ୍ତା । ସୁମି ଏତେ ନିକଟରେ ଉଡ଼ାଜାହାଜ କେବେ ହେଲେ ଦେଖି ନ ଥିଲା । ଗତ ବର୍ଷ ବଢ଼ି ବେଳେ ସରକାରୀ ଲୋକେ ଉଡ଼ାଜାହାଜରୁ ଲୋକଙ୍କ ଦୁର୍ଦ୍ଦଶା ଦେଖି ଯାଇଥିଲେ । ବହୁ ସ୍ଥାନରେ ରୁଟି ବସ୍ତାମାନ ଆକାଶରୁ ଖସେଇ ଥିଲେ । ସେ ବଢ଼ିରେ ନାଲୁମିଶ୍ରଙ୍କ ପିଣ୍ଡା ଉପରକୁ ବି ପାଣି ଉଠି ନ ଥିଲା । ଯାଜପୁର, ଝୁମ୍ପୁରି, ଦଶରଥପୁର ଆଦି ଅଞ୍ଚଳରୁ ସ୍କୁଲ କଲେଜ ପିଲାଏ; ବହୁ ଅଫିସର ସ୍ୱେଚ୍ଛାକସେବକ ସାଜି ଡଙ୍ଗାରେ, କେହି ବା ଲଞ୍ଚରେ ଆସି ରିଲିଫ୍ ବାଣ୍ଟିଥିଲେ । କିଏ ଦେଇଥିଲା ଚାଉଳ, କିଏ ଦୁଧ, କିଏ ରୁଟି–କିଏ ବା ଚୁଡ଼ା । ରିଲିଫ୍‌ ନେବା ଏକ ଅପମାନ ବୋଲି ନାଲୁମିଶ୍ରେ ନେଇ ନ ଥିଲେ । ଧନ ସମ୍ପତ୍ତି ତାଙ୍କର କଣ ନ ଥିଲା ଯେ ? ଏ ବର୍ଷ ଉଡ଼ାଜାହାଜ ଆସିଲାଣି, ଚକର୍‌ ମାରିଲାଣି । ରୁଟି ପକେଇବ । ବସ୍ତାଏ ରୁଟି ମିଳିଗଲେ ଏଇ କେଇ ଘଣ୍ଟାର ଭୋକଟା ରହିଯାଆନ୍ତା ।

 

ଉଡ଼ାଜାହାଜ କେଉଁ ଦିଗ୍‌ବଳୟରେ ଲୁଚିଗଲା । ନାଲୁମିଶ୍ରେ ତଥାପି ସମସ୍ତଙ୍କୁ କହି ରଖିଲେ–ଉଡ଼ାଜାହାଜ ଉଡ଼ିଲାଣି ଏଥର ସର୍କାର ରୁଟି ପକେଇବେ ।

 

ପିଲାଏ ଆନନ୍ଦ ହେଲେ । ସୁମି ଉଡ଼ାଜାହାଜ ଶବ୍ଦକୁ କାନେଇ ରହିଲା । ଉଡ଼ାଜାହାଜ କଣ ସତରେ ସେ ବାଟ ଦେଇ ଫେରିବ ଆଉ ।

 

(୨୧)

 

ବୈତରଣୀ-ଦୋବଲ ମାଟି ସଡ଼କଟି ଭାଙ୍ଗି ଛିନ୍ନ ଛତ୍ର ହୋଇଯାଇଚି । ରାସ୍ତା ଉପରେ ସୁଅ, ଅଣ୍ଟେ ବେଳେ–ଛାତିଏ ପାଣି । ସ୍ଥାନେ ସ୍ଥାନେ ଦୁଇ ପୁରୁଷ ଗଭୀର । ଡଙ୍ଗା ବା ପକେଇବ କିଏ । ନନ୍ଦେ ସେତେବେଳକୁ କ୍ଳାନ୍ତ ହୋଇଗଲେଣି । ଆଗରେ ଗୋଟାଏ ମୋଡ଼ି’ ପାରି ହେବାକୁ ସାହସ ହେଲା ନାଇଁ । ଏତିକିବେଳେ ଗୋଟିଏ କାଠଗଡ଼ ଭାସି ଆସିଲା । ରାମାନନ୍ଦେ ଗୋଟାଏ ଲମ୍ଫ ଦେଇ କାଠଗଡ଼ଟିକୁ ଧରିଲେ । ଆଶ୍ରା ପାଇବାରୁ ମନରେ ଯଥେଷ୍ଟ ସାହସ ହେଲା । କାଠ ଗଡ଼ଟି ସୁଅ ମୁହଁରେ ଅନୁକୂଳ ଗତିରେ ଚାଲିଛି । ଗତି ତାର ଦୋବଲ ଆଡ଼କୁ । ରାମାନନ୍ଦେ ଆନନ୍ଦ ହେଲେ । କିଛି ବାଟ ଗଲା ପରେ ହଠାତ୍‌ ସୁଅ ଗତି ବଦଳି ଗଲା–ରାମାନନ୍ଦେ ବାଧ୍ୟ ହୋଇ କାଠ ଗଡ଼ଟିକୁ ଛାଡ଼ି ସୁଅ କଟା ପହଁରା ଦେଲେ । ସ୍ଥାନେ ସ୍ଥାନେ ଚାଲିବାକୁ ସୁବିଧା ମିଳୁଥାଏ ।

 

(୨୨)

 

ରାମନନ୍ଦଙ୍କ ପରିଧେୟ ଏକ ମଳିଆ, ଓଦା ଲୁଗା । ଉପରେ ଗାମୁଛାଟାଏ ଗୁଡ଼ା ହୋଇଚି । ତାଙ୍କର ଏ ଅବସ୍ଥା ଦେଖି ଦୋବଲ ବଜାରର ଜନତା ବିସ୍ମୟରେ ଘେରିଗଲେ । ସାଙ୍ଗେ ସାଙ୍ଗେ ପଡ଼ିଗଲା ଏକ ‘ହୋ’ ଚହଳ । ବଢ଼ି–ବଢ଼ି–ନନ୍ଦଙ୍କ ଗାଁ, ଘର ଭାସି ଯାଇଚି । ସମସ୍ତେ କାବା-। ଏପରି କି ବଢ଼ି ହେଲା କି ?

 

ସାଙ୍ଗେ ସାଙ୍ଗେ ବଢ଼ି ଦେଖିଯିବା ଲାଗି ଲୋକେ ବାହାରି ପଡ଼ିଲେ । ସାଇକେଲ ଦୋକାନର କେତେକ ସାଇକେଲ ଭଡ଼ା ଲାଗିଗଲା । ଘଣ୍ଟାକୁ ଚାରିଅଣା–ତିନିଅଣା କରି । ଜନତା ମନରେ ଏକପ୍ରକାର ଉତ୍ସାହ ଅର୍ନ୍ତସ୍ରୋତା ଆନନ୍ଦର ଧାରା ଉପରକୁ ଦୁଃଖ–ଆହା, ଆହା, ଚ....ଚ ଇତ୍ୟାଦି । କେତେକଙ୍କର ରିଲିଫ୍‌ ବାଣ୍ଟି ଲୋକଙ୍କୁ ଉଦ୍ଧାର କରି ବାହାବା ନେବାର ସୁଯୋଗ ପାଇବା ବେଳ । କେତେକ ଦେଖିବେ ବଢ଼ିର ସ୍ୱରୂପ– ଯେଉଁମାନେ ଜନ୍ମରୁ ବଢ଼ି ଦେଖି ନାହାନ୍ତି । ସମବେଦନାରୁ ପୁଳାଏ ଧରି ନନ୍ଦଙ୍କ ସାମ୍ନାରେ ଆସି ପହଞ୍ଚିଲା ଚନ୍ଦ୍ର । ତାଙ୍କର ବନ୍ଧୁ । ପାନ-ବିଡ଼ି ଗୁଡ଼ାଖୁ ବିକେ । ଆରସୀ-ପାନିଆ ଆଦି ମନୋହରୀ ପଦାର୍ଥ ବି ରଖିଚି । ବାସନା ତେଲ, ସାବୁନ ମଧ୍ୟ । ନନ୍ଦଙ୍କର କାଲିରୁ ଉପାସ । ଘର ନାହିଁ । ଚନ୍ଦ୍ର ଛାତି ଭିତରଟା ଗୋଳେଇ ହୋଇଗଲା । ବନ୍ଧୁର ଦୁଇଟି ହାତ ଧରି ସେ ସାଙ୍ଗେ ସାଙ୍ଗେ ଟାଣି ନେଇଗଲା ଗୁଡ଼ିଆ ଦୋକାନକୁ, ରାମାନନ୍ଦେ କ୍ଳାନ୍ତି ମେଣ୍ଟାଇଲେ । ପୁରୀ-ବିରିବରା-ଆଳୁଦମ୍‌ । ‘‘–ଖା ନନ୍ଦ, ଖା-ଖା, କାଲିରୁ ଉପାସ ରହିଚୁ ଯେ-। ମୋ କଥାମାନ ନନ୍ଦ, କଥା ରଖ । ମୁଁ ତୋର ପିଲା ଛୁଆଙ୍କ ଲାଗି ବ୍ୟବସ୍ଥା କରି ଦେଉଚି ।’’ ଚନ୍ଦ୍ର ଜିଦ୍ଦି,–ସେ ଖାଇବହିଁ ଖୋଇବ । ଆରେ ତୁ ନ ଖାଇବୁ କିଆଁ ?’’ ତୁ ପହିଲେ ବଞ୍ଚିଲେ ତ ସେମାନେ ବଞ୍ଚିବେ । ଚନ୍ଦ୍ର ଠିକ୍‌ କଥା କହୁଚି । ହେଲେ, ସୁମି ଖାଇନି କାଲିରୁ । ତାର ପ୍ରଥମେ ଖାଇବା ଦର୍କାର-। ନନ୍ଦଙ୍କଠାରୁ ବେଶି ଭୋକିଲା ସୁମି-ଟୁନୀ-ବୁଲୁ ।

 

(୨୩)

 

ମା’ ଭୋକ । ବାପା ଏତେବେଳଯାଏଁ ଆସୁନାହାନ୍ତି କାହିଁକି ମା ? ଆମକୁ ଏଠି ଛାଡ଼ିଦେଇ ସେ କଣ ଭୁଲିଗଲେ ।

 

ଆସିବେ ଲୋ ଆସିବେ । ଆଉ ଟିକେ ରହ । ମୋ ମା’ଟା ପରା । ଅସୁବିଧା ବାଟ ପରା ।

 

ଖାଲି ସାନ୍ତ୍ୱନା । ମା’ ମାନେ ଭାରି ଭୁଲେଇ ଜାଣନ୍ତି ।

 

(୨୪)

 

ନନ୍ଦେ ଚନ୍ଦ୍ରର ହାତ ଧରି ପକେଇ କହିଲେ–ମୋର ଛୁଆ ପିଲାଙ୍କୁ ଟିକିଏ ଆଶ୍ରୟ ଦେବୁ ଚନ୍ଦ୍ର । ଯେତେ ଛୋଟ ହେଉ ପଛେ ତୋର ଘର । ଖାଲି ଦୁଇମାସ ଭିତରେ ମୋର ଘରଟା ଉଠେଇ ନେବି ।

 

ଚନ୍ଦ୍ର ହସି ହସି କହିଲା–ସବୁ କରିବି ତୁ ଯା । ଆଜିରେ ଏଠିକି ପଳେଇ ଆସିବୁ । ବୁଝିଲୁ ।

 

ଚନ୍ଦ୍ର ଆଉ ଏକ ଗାମୁଛାରେ ସେ ଚୁଡ଼ା-ମିଠେଇ ଆଦି ବାନ୍ଧିଦେଲା ।

 

ନନ୍ଦେ ଫେରିଲେ ।

 

ବେଳ ଆସି ତିନିଟା ହେଲାଣି । ସୁମି ଏତେ ସମୟ ଧରି କେବେ ହେଲେ ଉପାସ ରହିନାଇଁ । ତାଙ୍କର ଆଖି ସାମ୍ନାରେ ନାଚିଗଲା ସୁମିର କାନ୍ଦ କାନ୍ଦ ମୁହଁ । ସେ ଚାଲୁ ଚାଲୁ ଦଉଡ଼ିବା ଆରମ୍ଭ କରିଦେଲେ । ଲୋକେ ତାଙ୍କୁ ପାଗଳ ଭାବିଲେ ଭାବନ୍ତୁ । ସୁମିର ଡାକ ଏଡ଼ିଦେବା ତାଙ୍କ ପକ୍ଷରେ କଷ୍ଟ ।

 

ଧୂଳି ପଡ଼ିଲା । ରାସ୍ତା ପାଖରେ ବୁଲା କୁକୁରମାନେ ଭୁକି ଉଠିଲେ –କେହି କେହି କିଛିବାଟ ପିଛା ଧରିଲେ ବି । ବାଟୋଇ କ୍ଷଣେ ଠିଆ ହୋଇ ଅନେଇଲେ । ନନ୍ଦଙ୍କର କାହାରି ପ୍ରତି ଭ୍ରୂକ୍ଷେପ ନାହିଁ । ସେ ପାହୁଣ୍ଡ ପରେ ପାହୁଣ୍ଡ ପକେଇ ଦଉଡ଼ୁଥାନ୍ତି । କାନ୍ଧରେ ଚନ୍ଦ୍ର ଦେଇଥିବା ଖାଦ୍ୟର ବୁଜୁଳିଟା ଜୋର୍‌ କରି ଚାପି ଧରିଥାନ୍ତି । ଦଉଡ଼ି ଦଉଡ଼ି ଶୁଖିଲା ରାସ୍ତାତକ ପାର ହୋଇ ଯିବାକୁ ତାଙ୍କର ସଂକଳ୍ପ । କେତେ ବଡ଼ ବଡ଼ ବଟଗଛ ପଛରେ ରହିଗଲେଣି ।

 

ପଚାଶ ହାତ ଦୂରରେ କେହି ଜଣେ ଆଗମୁହାଁ ହୋଇ ଚାଲିଛି । ଟ୍ରେନ୍‌ ଧରିବା ଲାଗି ଦୃଢ଼ପ୍ରତିଜ୍ଞ ଯାତ୍ରୀ ପରି ।

 

ଆରେ,ଏ ତ ଗଗନ । ହଁ ହଁ ଗଗନ । ପଛଆଡ଼ୁ ହେଲେ ବି ନନ୍ଦେ ପରିଷ୍କାର ଚିହ୍ନି ପାରିଲେ । ସେ ସହସା ଅଟକିଗଲେ । ଦ୍ରୁତଗାମୀ ମୋଟରରେ ଦୁର୍ଘଟଣା ଭୟରେ ହଠାତ୍‌ ବ୍ରେକ୍‌ ଚାପା ଦେଲେ ଯାତ୍ରୀ ଯେପରି ଆଗକୁ ଝୁଙ୍କି ପଡ଼େ, ରାମନନ୍ଦଙ୍କର ଦେହଟା ସେଇପରି ଗୋଡ଼ ସହିତ ତାଳ ନ ରଖି ପାରି ଆଗେଇ ଗଲା । ସେ ପଡ଼ି ଯାଇଥାନ୍ତେ–କିନ୍ତୁ ସମ୍ଭାଳି ଗଲେ ।

 

ଗଗନ କଲିକତାରେ ଓଡ଼ିଶା ବଢ଼ି ଖବର ପାଇଚି । ଭଲହେଲା । ଗଗନର କେହି ସାଙ୍ଗ ନାହିଁ, ଏକା । ହାତରେ ସୁଟକେଶ ଖଣ୍ଡିଏ–ଛତାଟାଏ । ହେଲେ, ନନ୍ଦେ ଗଗନ ପାଖରେ ମୁହଁ ଦେଖେଇବେ କିପରି ? ତାର ଘରପ୍ରତି ସେ ଅବହେଳା କରିଛନ୍ତି । କଥା ଦେଇ ଅସତ୍ୟ ହୋଇଛନ୍ତି । ସେ ଦୋଷୀ ପାପୀ, ଗଗନ ନିକଟରେ ଏବେ ସେ ଠିଆ ହୋଇ ପାରିବେ ନାଇଁ । ଗଗନ ନିଜଘର ସ୍ତ୍ରୀ-ପୁଅ ବିଷୟ ପଚାରିଲେ ଉତ୍ତର ଦେବାର ଉପାଦାନ ତାଙ୍କ ନିକଟରେ କିଛି ହେଲେ ନାହିଁ । କିନ୍ତୁ ଏପରି ପଛେ ପଛେ ଲୁଚି ଲୁଚି ଗଲେ ସେ ଆଗ ପହଞ୍ଚିବେ କେମିତି ? ତାଙ୍କର ଚଞ୍ଚଳ ଶିରିଆପୁର ପହଞ୍ଚିବା କର୍ତ୍ତବ୍ୟ । ହଁ–କର୍ତ୍ତବ୍ୟ; ପିତା ଜୀବନର, ଗୃହସ୍ଥ ଜୀବନର ପ୍ରତି ପୁରୁଷ ଜୀବନର ଶ୍ରେଷ୍ଠ କର୍ତ୍ତବ୍ୟ । ନିଜ ଭୋଗରୁ ସୁମିକୁ ଜନ୍ମ ଦେଇଛନ୍ତି–ଯଥାର୍ଥ ପାଳନ ନ କଲେ ସେ ଭଗବାନଙ୍କ ନିକଟରେ ଅପରାଧୀ ଭାବେ ଗଣ୍ୟ ହେବେ । ନନ୍ଦେ ନିଜର ସମସ୍ତ ଶକ୍ତିକୁ ଏକଜୁଟ୍‌ କରି ଧାଇଁଲେ ଏବଂ ବିଜୁଳି ବେଗରେ ଅତିକ୍ରମ କରିଗଲେ ଗଗନକୁ । ଗଗନ ଛଟ୍‌ କରି ଚମକି ପଡ଼ିଲା; ଏଁ ରାମ ସାଆନ୍ତେ ସେ ହୁରି ପକେଇଲା–ଖଣ୍ଡି ଦଉଡ଼ା ଦେଇ । ‘ରାମ ସାଆନ୍ତେ, ରାମ ସାଆନ୍ତେ–ଶୁଣ, ଶୁଣ–ମୁଁ ଗଗନ, ମୁଁ ଗଗନ । ରାମ ସାଆନ୍ତେ, ଟିମା କେମିତି ଅଛି ? ମୋ ଘର ? ସାଆନ୍ତେ ଟିକେ ଭଲା ।’ ନନ୍ଦେ ଶୁଣିଲେ ନାଇଁ । ଗତି ବଢ଼ାଇ ଦେଲେ–ଜୋରରେ, ଆହୁରି ଜୋରରେ ।

 

ଗଗନକୁ ଏବେ ସେ କୌଣସି ଖବର ଦେଇପାରିବେ ନାହିଁ । ସେ ନିଜେ ଧୈର୍ଯ୍ୟହରା । ଆଉ ଜଣଙ୍କୁ ହଠାତ୍‌ ଜଳଧିକୁ ଠେଲି ଦେଇ ପାରିବେ ନାଇଁ । ଗଗନ ନିଜ ଅନ୍ତରଗତ ଅଜସ୍ର ସମସ୍ୟା ଉଠେଇ ଉଠେଇ ଭାଙ୍ଗି ଭାଙ୍ଗି, ସଜାଡ଼ି ସଜାଡ଼ି, କୌତୂହଳ ଚମକ, କଳ୍ପନା ଭିତର ଦେଇ ଗତି କରି କରି ଆସୁ, ଆସିଲେ ଦେଖିବ, ଭଲକରି ବୁଝିବ–କଳ୍ପନା ସତହୁଏ, ପୁଣି ମିଥ୍ୟାହୁଏ । ପଥର ଛାତି ଭାଙ୍ଗିଯାଏ । ସେଇ ଶିରିଆପୁରର ନିର୍ଜ୍ଜନ କୁଦ ଉପରେ ତା ସହିତ ସାକ୍ଷାତ ହେବ ।

 

ଗଗନ ପଛଆଡ଼ୁ ତେବେ ବି ଡାକୁଥାଏ–‘‘ରାମ ସାଆନ୍ତେ, ହେ ରାମ ସାଆନ୍ତେ, ଟିକେ ଶୁଣ ଭଲା ।’’ ତାର ଡାକ ନନ୍ଦଙ୍କ ପିଠିରେ ଧକ୍‌କା ଖାଇ ସେଇ ଗତିରେ ଫେରି ଯାଉଥାଏ ଗଗନ ପାଖକୁ । ବଡ଼ ଅଜବ ଲୋକ ତ ରାମ ସାଆନ୍ତେ !

 

(୨୫)

 

‘କାହିଁ, ଉଡ଼ାଜାହାଜ ତ ଫେରିଲା ନାହିଁ ଦଦେଇ–ସୁମି ପଚାରିଲା । ନାଲୁମିଶ୍ରଙ୍କ ମୁହଁକୁ ସମସ୍ତେ ଚାହିଁଲେ ଉତ୍ତର ଶୁଣିବା ପାଇଁ ।

 

ମିଶ୍ରେ କହୁଛନ୍ତି । କଣ ବା ସେ କହିବେ ? ଉଡ଼ାଜାହାଜ କଣ ତାଙ୍କ ହାତରେ ଅଛି । ରିଲିଫବାଲାମାନେ ହେଲେ ଆସନ୍ତେ ଛୁଆଙ୍କ ଲାଗି ଖଣ୍ଡେ ଖଣ୍ଡେ ରୁଟିହେଲେ ଚଳିଯାନ୍ତା । ଗତବର୍ଷ ସିନା ଆତ୍ମସମ୍ମାନ ଦୃଷ୍ଟିରୁ ରିଲିଫ ଲାଗି ହାତ ପତେଇ ନଥିଲେ । କାରଣ ରିଲିଫ ଯାହା ଛତ୍ର ତାହା । ଛତରରେ ପଶିଲେ ଲୋକେ ଅଜାତି ହୋଇଯାନ୍ତି । ଥରେ କୁଆଡ଼େ ଭଦ୍ରଖଆଡ଼େ ଯୁଦ୍ଧ ହୋଇଥିଲା । ସେ ପ୍ରାୟ କୋଡ଼ିଏ ତିରିଶ ବର୍ଷ ତଳର କଥା । କଂଟ୍ରୋଲ ଚାଉଳ ମିଳିଲା ନାଇଁ । ଲୋକେ କଂସା, ବାସନ ବନ୍ଧା ପକେଇଲେ । ଶେଷକୁ ଛତରରେ ପଶିଲେ । କିଏ ଗଲା କାଳିମାଟି, କିଏ ବା କଲିକତା, ରେଙ୍ଗୁନ । କିନ୍ତୁ ମିଶ୍ରଘର ସବୁବେଳେ ଆଲୁଅ ଥିଲା । କେଡ଼େ କେଡ଼େ ଦୁର୍ଭିକ୍ଷ, ବଢ଼ି–ମରୁଡ଼ିରେ ସେ ଦୀପ ଲିଭି ନଥିଲା । ଏତେଦିନର ଗର୍ବ ଯାହା ଏଇ ବଢ଼ି ଚୂନା କଲା । ଖାଲି ବଞ୍ଚିବା ଦର୍କାର । ଚିନୁ-ମାର ଶେଷକଥା;–ଚିନୁ ବୁଲୁ ଟୁନୀ ରହିଲେ–ସେ ତୁମର–ମୁଁ ଚାଲିଲି । ହଁ ଖାଲି ତାଙ୍କରି ଲାଗି ସେ ବସିରହିବେ ।

 

ସୂର୍ଯ୍ୟଦେବତା ପଶ୍ଚିମ ଆକାଶକୁ ଢଳିଲେଣି । କୁଆଡ଼େ ଗଲା ଏହି ରାମ ?

 

(୨୬)

 

ଯିବାକୁ ବାଟ କାହିଁ । ଏଇ ବାଟରେ ଗଲେ କେତେ କେତେ ଭୋକିଲା ଲୋକଙ୍କ ସହିତ ଭେଟ ହେବ । ପେଟର ପ୍ରବର୍ତ୍ତନାରେ ମଣିଷ କିଛି ନବୁଝି ନସୁଝି ପାପ କରିବାକୁ ପ୍ରସ୍ତୁତ ହୁଏ । ରାମାନନ୍ଦେ ଦେଖିଲେ–ମିଟିଂ ପଡ଼ିଆର ଯାତ୍ରାପିଣ୍ଡି ଉପରେ ତ ଲୋକ ଜମା ହୋଇଛନ୍ତି । ସେଇଠି ଗାଁର ସଭା ହୁଏ । ଯାତ୍ରା, ତାମସା, ଥିଏଟର ସବୁହୁଏ । ଏବେ ସଭା ହେଉନାହିଁ–ଯଦିଓ ଲୋକଭିଡ଼ । ପହଁରିବାକୁ ପଡ଼ିଥିଲା ବୋଲି ସେ ପିଠିରେ ଗାମୁଛା ସହିତ ଖାଇବା ଜିନିଷତକ ବୁଜୁଳି କରି ବାନ୍ଧିଦେଇଚନ୍ତି କାଳେ କେହି ଜାଣିପାରି ଆସି ବଳାତ୍କାରରେ ନେଇଯିବ ? ଏକା କଣ କରିବେ ସେ ? ଯୋଡ଼ାକୁ ତ ଘୋଡ଼ା ପାରେନାଇଁ । ପୁଣି, ବୁଭୁକ୍ଷିତଂ କିଂ ନ କରୋତି ପାପମ୍‌ ସେ ଗତି ବଦଳେଇ ପୁଣି ଉଠିଲେ ବନ୍ଧ ଉପରକୁ । ବନ୍ଧେ ବନ୍ଧେ ଯାଇ ଘାଇ ପାର ହେଲାପରେ–କିଛି ବାଟ ପାଣିରେ ପାଣିରେ ଯିବେ–ତା’ପରେ ଲକ୍ଷ୍ୟସ୍ଥଳ ସେଇ କୁଦ । ଏକ ଯୋଜନା ମନେ ମନେ ଠିକ୍‌କରି ନନ୍ଦେ ଚାଲିଲେ ! ଯାତ୍ରାପିଣ୍ଡିଟା ବାମପଟେ ଲୁଚିଗଲା । ଗାଁ-ଟୋକାଏ ଆଜିକାଲି ଆଧୁନିକ କାଇଦାରେ ବାଆଁଶ ଖୁଞ୍ଚପୋତି, ସିନ୍‌ବାନ୍ଧ ପାଲ ଟାଙ୍ଗି ସେଇଠି ଅଭିନୟ ଦେଖାନ୍ତି । ସେଇଟା ଉଚ୍ଚସ୍ଥାନ ବୋଲି ବୁଡ଼ିନାଇଁ କେବଳ ସ୍ଥଳରେ ରହିଲେ କି ବଞ୍ଚିବେ ? ଅମାର ଧାନ ନଷ୍ଟ–ସାଇତା, ସମ୍ପତ୍ତି ଧ୍ୱଂସ–ଆଉ ବଞ୍ଚିବାର ଉପାୟ ନାହିଁ ? ଏ ବଞ୍ଚିବା ମରିବାଠାରୁ ହୀନ । ଭୋକର ଅତ୍ୟାଚାର ଅତି ଅସହ୍ୟ ।

 

(୨୭)

 

ନାଲୁମିଶ୍ରେ ଭାବୁଥିଲେ–ନିଜକଥା, ଗାଁ କଥା, ଦେଶ କଥା । ସ୍ୱାଧୀନ ହେଲାପରେ ସତେ କଣ ଅବସ୍ଥା ବଦଳିଚି ? ବଦଳିଚି, ବଦଳିଚି । ପାଖ ଆଖରେ ପୋଷ୍ଟ ଅଫିସ ନଥିଲା, ଖଣ୍ଡେ ହେଲାଣି । ସୁବିଧା ଅସୁବିଧାରେ ପ୍ରବାସୀବନ୍ଦୁ ଦୂରବାନ୍ଧବଙ୍କ ନିକଟକୁ ଚିଠିଖଣ୍ଡେ ଲେଖିବା ପାଇଁ ତାଙ୍କୁ ପାଞ୍ଚମାଇଲ ଯିବାକୁ ହେଉଥିଲା । ଗାଁରେ କଥା କହିଲାବାଲା ବେଶି ହେଲେଣି । ମାମଲତକାର, ରାଜନୀତି, ଦେଶନୀତି ବୁଝିଲା ଭଳି ଲୋକ ହେଲେଣି । କଥା କଥାକରେ ବିଧାନସଭା ରାଜ୍ୟସଭା କଥା ପଡ଼ି ଯାଉଚି । ଲୋକେ ମନ୍ତ୍ରୀମାନଙ୍କ ଉଦାହରଣ ଦେଉଚନ୍ତି । ଏସବୁ ପ୍ରଗତିର ଲକ୍ଷଣ । କିନ୍ତୁ–ବଦଳିଲା ନାଇଁ ଏକା ଏଇ ବଢ଼ି ତାର ଘରଖିଆ, ମଣିଷ–ଗୋରୁଗାଈ ଖିଆ ଜମି–ଜମା ଖିଆ ପ୍ରକୃତି ସବୁ ଆଗଭଳି ଅପରିବର୍ତ୍ତିତ ରହିଚି । ପ୍ରକୃତ୍ତି କେବେ ବଦଳେ ? ପ୍ରତିବର୍ଷ କାହାର ନା କାହାର ଘରନଷ୍ଟ । ମାଣମାଣ ଜମି ଉପରେ ବାଲିଚରି ନଷ୍ଟହୋଇ ଯାଉଚି । ନାଲୁମିଶ୍ରଙ୍କର ଦୁଇମାଣ ଜମି ଯାଇଥିଲା–ଏଥର କେତେ ଯିବ କଳନା ନାହିଁ-। ଜୀବନ ସାରା ଶ୍ରମକରି ନାଲୁମିଶ୍ରେ ଆଉ ଉଠି ପାରିବେ କି ନା ସନ୍ଦେହ । ମେରୁଦଣ୍ଡ ଥରେ ଭାଙ୍ଗିଲେ ଗୋଟେ ଜନ୍ମ ଆଉ ସଳଖେ ନାହିଁ । ସାରା ଦେଶଟା ଅବସ୍ଥା ହୋଇଥିବ ଏଇପରି । ବଡ଼ି–ମରୁଡ଼ି–ପୋଡ଼ି ମୁଖରୁ ଓଡ଼ିଶାର ନିସ୍ତାର ନାହିଁ । କେଉଁ କାଳରେ କେଉଁ ରଜାଥିଲେ, ନାଁ ମର୍କତକେଶରୀ । ବଡ଼ ବଡ଼ ପଣ୍ଡିତେ ତାଙ୍କରି ନାମ କୁହନ୍ତି । କାଠଯୋଡ଼ି ନଈରେ ସେ ଯେଉଁ ପଥର ବନ୍ଧ କରିଯାଇଛନ୍ତି ତାର ତୁଳନା ନାହିଁ । ଓଡ଼ିଶା ପଥରର ଦେଶ । ଏ ଦେଶର ସ୍ଥାପତ୍ୟ, କଳା, ବୀରତ୍ୱର କାହାଣୀ ସବୁ ପଥର ପିଠିରେ ଅଙ୍କିତ । ପଥରର ଅଭାବ ଏ ଦେଶରେ ନାହିଁ । ଏଇ ଓଡ଼ିଶାରୁ ପଥରନେଇ କେତେ ଦେଶରେ କେତେ କଣ ନ ହେଉଚି । ହେଲେ, ଓଡ଼ିଆ ଶିଳ୍ପୀ ପଥର ନିକଟରୁ ଫେରି ଆସିଲାଣି । ତାର ନିହାଣ ମୁନ ପଥର ସ୍ପର୍ଶ କରିବାକୁ ଭୟ ପାଉଛି । ଏମାନେ କାପୁରୁଷ । ପଥର ଛାତି ଘେନି କେହି ପୁଅ ଓଡ଼ିଶାରେ ଜନ୍ମ ନେଉନାହାନ୍ତି । ଥିଲେ, ଥିଲେ ଯାଇଁ କେଉଁ ଅତୀତରେ । ସେତେବେଳେ ବହୁଲୋକଙ୍କର ଥିଲା ପଥରର ପିଣ୍ଡା, ପଥର ଚାନ୍ଦିନୀ, ପଥର ଘର, ଦେଉଳ, ପଥର ମୂର୍ତ୍ତି । ନାଲୁମିଶ୍ରଙ୍କର ଠିକ୍‍ ମନେଅଛି, ତାଙ୍କରି ଘର ଆଗରେ ଥିଲା ଏକ ବିରାଟ ପଥର ମଣ୍ଡପ । ପ୍ରତିଦିନ ସଂଧ୍ୟାରେ ତାଙ୍କର ବୁଢ଼ାବାପା ସେଇଠି ବସୁଥିଲେ । ଆଉ ଆଉ ବୁଢ଼ାମାନେ ବି ଯୋଗ ଦେଉଥିଲେ ବୁଢ଼ାବାପାଙ୍କ ଚିନ୍ତାରେ । ସଂସ୍କୃତ ଚର୍ଚ୍ଚା ହେଉଥିଲା । କିଏ କହେ ହରିବଂଶର ଦର୍ଶନ, କିଏ କହେ କାଳିଦାସଙ୍କର ସରସ କବିତା, କିଏ ଉଦ୍ଧୃତି ଦିଏ ଜଗନ୍ନାଥ ଦାସଙ୍କ ଭାଗବତରୁ । ସେମାନଙ୍କର କଥୋପକଥନ ଭରାଥିଲା ବିସ୍ମୟଜନକ ପ୍ରାଣ ପ୍ରାଚୁର୍ଯ୍ୟରେ । ଏବେ ନାହିଁ, ସବୁ ଅତୀତ । କୋଣାର୍କ କଥା କାହାକୁ ଅଜଣା । ଜାହାଜରେ ବଡ଼ ବଡ଼ ପଥର ଆଣି ସମୁଦ୍ର ପୋତିଚି ଏଇଜାତି । ଯୁଗ ଯୁଗ ଲାଗି କରିଚି ପଥର–ମୂର୍ତ୍ତି । ଦେଉଳ, କି ସୁନ୍ଦର ! ନାଲୁମିଶ୍ରଙ୍କ ଯୌବନର କବିତା ପରି, ସେଇ ପଥର ଅଙ୍ଗରୁ, ଆଜି ବି, ସରଳ–ତରଳ–ଚପଳ ମନର ରାଗିଣୀର ରେଣୁ ଝରି ପଡ଼ୁଚି ।

 

ଶିରିଆପୁର ଗାଁଟା ବି କମ୍‌ ନ ଥିଲା ଶିଳ୍ପ ଦିଗରେ । ଏଇ ଗାଁର ସାଧବଗଣ, ସୁନାରୀଗଣ କେଡ଼େ ସୁନ୍ଦର ଦଣ୍ଡିଗୁଣା ନୋଥ ଗଢ଼ୁଥିଲେ । ହାର ପଦକ, ପଥର ସଜେଇ ମୁଦିଗଢ଼ି ବିକୁଥିଲେ । ଗାଁ ପଇସା ଗାଁରେ ରହୁଥିଲା । ବାଣିଆଏ ଏବେ କର୍ମ ଭୁଲିଲେଣି । ସୁନା କାମ ଛାଡ଼ି ଗଲେଣି କଲିକତା, ନକଲି ସୁନାର ଗୋଦାମରେ ଭୃତ୍ୟ ହେବାକୁ । କଳା ଲୋପ ପାଉଚି, ପାଉଚି; ଶେଷରେ ଏଜାତି ବାଧ୍ୟହେବ ବିଶୁ ମହାରଣାକୁ ଅସ୍ୱୀକାର କରିବାକୁ । ଶିରିଆପୁରର ଭେଣ୍ଡାମାନେ ବି ବୋଇତ ଯାତ୍ରା କରୁଥିଲେ–ଜାଭା ବୋର୍ଣ୍ଣିଓ, ବାଲି କାହିଁ କାହିଁ ସାତ ସମୁଦ୍ର ତେରନଈ ଅନ୍ତେ । ସେଠି ଓଡ଼ିଆ କଳାର ଆଦରଥିଲା । ହେଲେ ଏଜାତି ମୃତ । ଉଠିବା ଭଳି ଶୋଇନାହିଁ । କେହି ନାହାନ୍ତି ଖାଲି ଗୁଡ଼ାଏ ସାପ, ବେଙ୍ଗ, କୋକିଶିଆଳ ବସି ପହରା ଦେଉଚି ।

 

ଓଡ଼ିଆ ଛାତିରୁ ରକ୍ତ ନିଗାଡ଼ି ନେଇଗଲେ କିଏ ? କେମିତି ନେଲେ ? କାହିଁକି ନେଇଗଲେ ? ତାହା କଣ ଓଡ଼ିଆର ଦୁର୍ବଳତା ନୁହେଁ ? ଶତ୍ରୁର ରକ୍ତ ଶୋଷିବାକୁ ଓଡ଼ିଆଏ ଅକ୍ଷମ ହେଲେ କାହିଁକି ? ସେଇ ଭୁଲ୍‍ର କୁଫଳ ଭୋଗର ଶେଷ ନାହିଁ । ଅଭାବ, ଖାଲି ଅଭାବ । ଅଭାବରୁ ସ୍ୱଭାବ ନଷ୍ଟ । ବଢ଼ିଲା ଦ୍ୱାଚୋରୀ ଅବିଶ୍ୱାସ, ଧପ୍‌ପାବାଜି, ଟାଉଟରୀ ସବୁକିଛି । ଘୁସ୍‌ ଦେବା ବିନା କାର୍ଯ୍ୟସିଦ୍ଧି ନାଇଁ । ପ୍ରସ୍ତାବିତ କାର୍ଯ୍ୟକ୍ରମ ସଂପାଦିତ ହୋଇପାରୁ ନାଇଁ । ତା ସାଥକୁ ଏ ବଢ଼ି ଥରକୁ ଥର ଆସୁଚି । ଏ ଜାତିର ପ୍ରାଣ ଉପରେ ଖାଲି ଜମେଇ ଦେଉଛି ବାଲି, ବିରାଟ ଶୁଷ୍କବାଲି । ବାଲିର କି ପ୍ରାଣଖୋଲା ହସ ଅଛି । ସେ ଖାଲି ଖରାରେ ତାତେ, ଶୀତରେ ହେମାଳେ, ଆଉ ବର୍ଷାରେ ବୁଡ଼ି ରହେ । ପ୍ରତିରୋଧ କରି ପାରେନା ।

 

ସେ ଦିନର ପଥର ଓଡ଼ିଶା ଆଉ ନାହିଁ । ଆଜି ଓଡ଼ିଶା ଏକ ନିର୍ଲ୍ଲଜ ମହାନଦୀ ବାଲିର ଦେଶ ।

 

ନାଲୁମିଶ୍ରେ–ବ୍ୟସ୍ତ ହୋଇ ପଡ଼ିଲେ । ତାଙ୍କ ଛାତି ଭିତରୁ ଦୁଇଟା କରୁଣ ନିଃଶ୍ୱାସ ବାହାରିଗଲା ।

 

ସଂଧ୍ୟା ହୋଇ ଆସିଲାଣି । ଆଉ ଟିକକ ପରେ ହୁଏତ ପୁଣି ଏ ସୂର୍ଯ୍ୟ ବୁଡ଼ିଯିବେ । ପୁଣି ଆସିବ ଅନ୍ଧାର, ସେଇ ଘନ ଅଙ୍ଗାର ପରି ରାତି ।

 

ସୁମି କହିଲା–ମା’ ଭୋକ ।

 

ଟୁନୀ କହିଲା ବାପା, ଖାଇବାକୁ ଦିଅ । ଭୋକର ହାହାକାର ଅଗ୍ନି କୁହୁଳି ଉଠିଲା ।

 

ସୁମି-ମା, ବୁଲୁ, ନାଲୁମିଶ୍ର ସମସ୍ତଙ୍କୁ ଭୋକ । ବୁଭୁକ୍ଷାର କରାଳ ନଟୀନୀ ତାଣ୍ଡବ ଭଙ୍ଗୀରେ ନାଚୁଛି । ପୁଣି, ଖରାର ପ୍ରକୋପ । ସୁମି-ମା, ନିରୁପାୟ । ନାଲୁମିଶ୍ରଙ୍କର ବୁଦ୍ଧି ଅଟକି ଯାଇଛି । ସେ ଅବା ଦୋକାନଆଡ଼େ ଚାଲିଯିବେ କି ? ରାମଟାର ଯଦି କିଛି ହୋଇଯାଇଥାଏ ? ନା ନା ରାମର ହେବ କ’ଣ–ସେ ନିଶ୍ଚୟ ଯୋଗାଡ଼ କରି ଆସିବ । ତା’ଛଡ଼ା ଛୁଆପିଲାଙ୍କୁ ଛାଡ଼ି ନାଲୁମିଶ୍ରେ ବା ଯିବେ କୁଆଡ଼େ ? ଉଡ଼ାଜାହାଜଟା ହେଲେ ଆସନ୍ତା । ଅନିଶ୍ଚିତ ତା’ର ଆସିବା । ଅନିଶ୍ଚିତ ଉପରେ ବିଶ୍ୱାସ ରଖିଲେ ଅତି କମରେ ଅଳ୍ପକ୍ଷଣପାଇଁ ମିଳେ ଆନନ୍ଦ । ଆଶା ତାଙ୍କୁ ହାତଠାରି ବଞ୍ଚିବାର ନିର୍ଦ୍ଦେଶ ଦେଲା ।

 

ଉଡ଼ାଜାହାଜ ଆସିବ ।

 

ରାମ ଫେରିବ ।

 

(୨୮)

 

ରାମାନନ୍ଦେ । ଏକମୁହାଁ ହୋଇ ବନ୍ଧ ଉପରେ ଛୁଟିଛନ୍ତି । ବନ୍ଧ ଉପର ରାସ୍ତା, ନିହାତି ସଂକୀର୍ଣ୍ଣ । ମାପିଲେ ଦୁଇ ଚାଖଣ୍ଡ ହେବ କି ନାହିଁ । ଏ କଡ଼ରେ ଆବର୍ଜ୍ଜନା, ସେ କଡ଼ରେ ନଈର ଅତଳାନ୍ତିକ ଜଳସ୍ରୋତ । ବାମରେ ବୈତରଣୀ, ଡାହାଣରେ ଜଳପ୍ଳାବିତ ଶିରିଆପୁର ଦୁହିଙ୍କର ସୀମାରେଖା ଏଇ ବନ୍ଧ । ଦୁହିଙ୍କର ସଂଯୋଗସ୍ଥଳ ହେଉଚି ଠାକୁରାଣୀ ଘାଇ, ଆହୁରି ଦୂରରେ ଅଛି-

 

ଯେଉଁ ବାଟକୁ ସେ ଦୁଇ ମିନିଟରେ ପାର ହୁଅନ୍ତି, ତାହା ଆଜି ଦୁଇଘଣ୍ଟାର ବାଟ ହୋଇଯାଉଛି ।

 

ରାମାନନ୍ଦେ ଭାବିଲେ–ଆଉ ମାତ୍ର ପନ୍ଦର ମିନିଟ୍‌ ଭିତରେ ସେ କୁଦ ପାଖରେ ପହଞ୍ଚିଯିବେ ।

 

ବନ୍ଧ ଉପରେ ସେ ଦେଖିଲେ ଏକ ପରିବାର । ମାଇକିନାଟେ ଛୁଆ ଦି’ଟା । ଗୋଟିଏ କଞ୍ଚା ବୋଇତିକଖାରୁକୁ ଦୁଇ ହାତରେ ଜାବୁଡ଼ି ଧରି ଜଣେ ଖାଉଛି । ଆରଜଣକ ନିର୍ବଳ । ଖାଲି କାନ୍ଦୁଛି । ମା’ ବେଳେବେଳେ ଖଣ୍ଡେ ଖଣ୍ଡେ ଭାଙ୍ଗି ନେଉଛି ଲୁଚେଇ କରି । କାହିଁକି ନେଲୁ ବୋଲି କହି ଖାଉଥିବା ଛୁଆଟି ମା’ ପିଠିରେ ବିଧା ଉପରେ ବିଧା ଲଦି ଦେଉଛି । ଆର ଛୁଆଟି ଧୂଳିରେ ଗଡ଼ୁଚି ମା’ ତାହାର କେବଳ ଗୋଡ଼ଟା ଉପରେ ହାତ ରଖି ଧରିଚି । କାଳେ, ନଈକୁ ଗଡ଼ିଯିବ ?

 

ନନ୍ଦଙ୍କ ମନ ପରଦାରେ ଭାସି ଉଠିଲେ ସୁମି-ମା’ । ସୁମି-ମା’ ବିରକ୍ତିମିଶା ଗଳାରେ କହୁଛନ୍ତି–କ’ଣ କରୁଛ ଏତେବେଳଯାଏଁ । ସକାଳପହରୁ ଗଲଣି; ସାଙ୍ଗେ ସାଙ୍ଗେ ଆସିବ ବୋଲି ଆସି ଛାଇ ଲେଉଟିଲା, କି କଥା ଏ ତମର ? ଛୁଆଟା ଏଣେ ଅଝଟ ହୋଇ ଧୂଳିରେ ଗଡ଼ି ଯାଉଚି, ଲୁହ ସରସର ହୋଇ କାନ୍ଦୁଛି ସେଥିକି ତମର ଖିଆଲ ରହୁନାଇଁ କାହିଁକି ? ତମର ଟିକିଏ ହେଲେ ହୃଦୟ ନାହିଁ । କିଏ ତମକୁ ବାପ କଲାମଁ ?’’

 

ନନ୍ଦେ ଅସ୍ଥିର ହୋଇ ଉଠିଲେ–ସୁମି-ମା, ଅପମାନ ଦିଅ ନାଇଁ । ପୁରୁଷ ହେଲେ ବି ପ୍ରକୃତିକୁ ଜୟ କରିବାର ସାଧ୍ୟ କ’ଣ ମୋର ଅଛି ? ନା–ନା, ସୁମି-ମା ଠିକ୍‌ କହିଚ–ବାପ ହେବାର ଯୋଗ୍ୟ ମୁଁ ନୁହେଁ । ଛୁଆକୁ ନ ଦେଇ କେହି କ’ଣ ଆଗେ ଆଗେ ଖାଇଦିଏ । ପକ୍ଷୀ ସମାଜଠାରୁ ଏତକ ବି ଶିଖିବାର ଅଛି । କ’ଣ ନ କରନ୍ତି ସେମାନେ ? କେଉଁ ଦୂରଦୂରାନ୍ତରୁ ଉଡ଼ି ଉଡ଼ି ଥଣ୍ଟରେ ଫଳ ନେଇ ଆସନ୍ତି ଶିଶୁ ବିହଗଟି ଲାଗି–ବାପ, ମା କେଡ଼େ ଆନନ୍ଦରେ ଖୁଆଇ ନ ଦିଅନ୍ତି ଛୁଆଙ୍କୁ-?

 

ତାଙ୍କର ରାଗ ହେଲା ଚନ୍ଦ୍ର ଉପରେ । ସେଇ ତାଙ୍କୁ ଜବରଦସ୍ତି ଖୋଇ ଦେଇଚି । ସେଇଗୁଡ଼ିକ ଏବେ ବିଷ ହୋଇଗଲାଣି ପେଟରେ । କେଡ଼େ ଅଧର୍ମୀ ଜୀବ ସେ ? ସବୁଦିନେ କି ରାତି କି ଦିନ ସେ ତ ଆଗ ଖାଉଛନ୍ତି । ରାତିରେ ଦୋବଲରୁ ଫେରିବା ଯାଏଁ ବି ସୁମି ମା ଚାହିଁଥାନ୍ତି-। ସୁମି ଶୋଇ ପଡ଼ିଥାଏ । ସୁମି-ମା ନ ଖାଇ ସେଇମିତି ଚାହିଁଥାନ୍ତି ତାଙ୍କରି ଆସିବା ପଥକୁ । ସେ ଫେରିଲେ, ଖାଇସାରିଲେ ପାନ ଭାଙ୍ଗିଦିଏ ସୁମି-ମା । ନନ୍ଦଙ୍କୁ ଅଧା ନିଦ ଲାଗି ଆସିଲାବେଳେ ସୁମି-ମା ଭାତ ଖାଉଥାନ୍ତି । ସ୍ତ୍ରୀ ବୋଲି, ହାତ ଧରିଚି ବୋଲି ସ୍ୱାମୀପାଇଁ କି ତ୍ୟାଗ ନ କରୁଛି ଏଇ ନାରୀ । ହୁଏତ ରାମାନନ୍ଦେ ଦିନେ ହେଲେ କହି ନାହାନ୍ତି–ଆସ ସାଙ୍ଗରେ ଖାଇବା । ମୁଁ ତୁମର ପ୍ରିୟ ହେଲେ, ତୁମେ ମୋର ପ୍ରିୟା । ସାନ କିଏ ବଡ଼ କିଏ ମୁଁ ଜାଣେ ନାଇଁ । ସୃଷ୍ଟିକୁ ଦୁଇଜଣଙ୍କର ଦାନ ସମାନ । ତେବେ, କାହିଁକି ଜଣେ ଅନ୍ୟ ଜଣଙ୍କର ଦାସୀ ହେବ ? ସେବା କରିବା ବେଳେ ସ୍ତ୍ରୀର କର୍ତ୍ତବ୍ୟ ନୁହେଁ, ସ୍ୱାମୀର ବି । ଉଭୟେ ଉଭୟଙ୍କର ସେବକ । ଜଣେ ଦେହ ହେଲେ ଆଉ ଜଣେ ଦେହରେ ଜୀବନ । ଜଣେ ସ୍ତନ ହେଲେ ଆଉ ଜଣେ ସ୍ତନ୍ୟ । ଜଣେ ନ ଖାଇଲେ ଆଉ ଜଣେ କିଆଁ ଖାଇବ ? ଅଗ୍ନିକୁ ସାକ୍ଷୀକରି ଦୁହେଁ ପରା ଏକାତ୍ମାବ୍ରତ କରିଛନ୍ତି । ସ୍ତ୍ରୀ ଯଦି ସ୍ୱାମୀ ଲାଗି ଜୀବନ ଉତ୍ସର୍ଗ କରିପାରେ, ସ୍ୱାମୀ ବି ସ୍ତ୍ରୀ ଲାଗି ଜୀବନ ବଳି ଦେବାକୁ ଆଗଭର ହେବା ଉଚିତ । ଆଜିପରି ଅଶୁଭ, ବିପଦର ଦିନଗୁଡ଼ିକରେ ଅତିକମରେ ତାଙ୍କର ନିଜେ ନ ଖାଇ ସୁମି-ମାକୁ ପ୍ରଥମେ ଦେବା ଉଚିତ ଥିଲା । ନନ୍ଦେ ଜନିକୁ ଦୋଷୀ ମନେ କଲେ ।

 

ସେଇଠି ବସିଛନ୍ତି ତ ସେମାନେ ? କୁଦାଟା ବୁଡ଼ି ନାହିଁ ତ ? ରାମାନନ୍ଦେ ଦଉଡ଼ିଲାପରି ଚାଲିଲେ । କଣ୍ଟାମାରିସି ବୁଦାଗୁଡ଼ାକୁ ସେ ମାନୁ ନାହାନ୍ତି ।

 

ଦିନ ଝିମେଇ ଆସିଲାଣି । ବନ୍ଧ ଉପରେ ଅନେକ ଲୋକ । ଗାଁଟା ଯାକର ବୁଢ଼ୀ–ବୁଢ଼ା–ଛୁଆ ଟୋକା ନିର୍ଜୀବ ଭଳି ବସିଛନ୍ତି । ବନ୍ଧ ତାଙ୍କର ଏକମାତ୍ର ବାସସ୍ଥାନ ସାଜିଛି । ଘର ନାହିଁ, ଚୁଲି ନାହିଁ । ଶିଶୁଙ୍କ ବିକଳ କାନ୍ଦଣା କିନ୍ତୁ ଅଛି, ଅଛି ବି ଅଝଟ । କିନ୍ତୁ ନାହିଁ ମା’ର ବୋଧକଲା ଶକ୍ତି, ଉପାଦାନ, ସାମର୍ଥ୍ୟ । ନଈ ପାଖରେ ଉଦର ପତେଇ ସମସ୍ତେ ପଙ୍ଗୁ ପାଲଟି ଯାଇଛନ୍ତି । ନନ୍ଦଙ୍କୁ ସେଇବାଟ ଦେଇ ଯିବାକୁ ହେବ । ତା’ଭିତରୁ ଜଣେ ବଳୁଆ ଟୋକା ନନ୍ଦଙ୍କୁ ବାରମ୍ବାର ଚାହୁଁଚି । ମନେ ହେଉଛି–ଯେମିତି ନନ୍ଦଙ୍କଠାରୁ ଖାଇବା ଜିନିଷତକ ହାପୁଲା ମାରି ଛଡ଼େଇ ନେବ । ଆଖି ବଡ଼, ବଡ଼–ଲାଲ, ଦେହ କଳାମଚମଚ । ମୁଣ୍ଡରେ ବୋଝେ ନୁଖରା ବାଳ । ନନ୍ଦେ ଭୟରେ ବେଗ କମେଇ ଦେଲେ, ଏଣେତେଣେ ଅନେଇଲେ–ଅନ୍ୟବାଟରେ ଖସି ଯିବାକୁ ଉପାୟ ଅଛି କି ନାହିଁ ଦେଖିବାକୁ । ହେଲେ, ଦ୍ୱିତୀୟ ପନ୍ଥା ନାସ୍ତି । ବାମପଟେ ନଈ, ଡାହାଣପଟେ ବନ୍ୟାପ୍ଳାବିତ ଗ୍ରାମ । ଘଳ-ଘଳ କରି ଉଭୟ ପଟରେ ସୁଅ । ମଝିରେ ରାସ୍ତା କେବଳ ଅଣଓସାରିଆ ବନ୍ଧ । ଡାହାଣକୁ ଗଲେ ବି ଅଳ୍ପ ପାଣି ହେତୁ ଦଉଡ଼ି ଦଉଡ଼ି ଦୁଷ୍ଟ ଧରି ପକେଇବ । ତେବେ ଉପାୟ ?

 

ନା, ସେ କ’ଣ ସତରେ ଏମିତି ଛଡ଼େଇ ନେବାକୁ ଆସିବ ? ସେ କାହିଁକି ଜାଣିବ ମୁଁ କଣ ନେଉଚି ।

 

ଏଇ ସମୟରେ ପଛଆଡ଼ୁ ଶବ୍ଦ ଆସିଲା । ନନ୍ଦେ ଯାହାଙ୍କୁ ଅବହେଳା କରି ଅତିକ୍ରମ କରି ଯାଇଥିଲେ ସେମାନଙ୍କର କଥୋପକଥନ । ଛୁଆ ଝିଅଟିଏ ମା’କୁ କହୁଚି–‘ମା’ ମିଠେଇ ମିଠେଇ ବାସୁଚି ।’

 

ମା’ ଉତ୍ତର ଦେଉଚି–‘ହଁ, କୁକରଠାରୁ ବଳି କରି ତୋ ନାକ । ମିଠେଇ କିଏ ଖାଉଚି ଯେ ତୋତେ ବାସିଗଲା । ଆକାଶରେ ଦେବତାମାନେ ଖାଉଥିବେ କି କ’ଣ ?’

 

ରାମାନନ୍ଦେ ରକ୍ଷା ପାଇଗଲେ । କିନ୍ତୁ ଛୁଆଟି ଠିକ୍ ଠଉରେଇଚି । ଅସୁର ମଣିଷ ଗନ୍ଧ ବେଶ୍‍ ବାରି ନିଏ । କୁକୁର ଚୋରକୁ ଶୁଙ୍ଘି ଶୁଙ୍ଘି ଧରେ । ଦୁଇ ଚାରିଟା ଛେନାଗଜାର ମହ ମହ ବାସ୍ନା ଠିକ୍‌ ଧରି ପାରିଛି ସେ । ଛୁଆଟିର ଆତୁର ଆକୁଳ ପ୍ରଶ୍ନ ଶୁଣି ନନ୍ଦଙ୍କର ହୃଦୟ କହିଲା–ଦେଇ ଦେନା ଗୋଟାଏ । ସୁମି ପରି ସେ ବି ଶିଶୁ । ଖାଇ ନାହିଁ ଧର୍ମ ହେବ । ହେଲେ, ଧର୍ମ ଅଧର୍ମର ବିଚାରକୁ ଅସ୍ୱୀକାର କଲେ ନନ୍ଦେ । ପ୍ରଥମେ ସୁମି, ତା’ପରେ ଆଉ ଯିଏ । ପଶ୍ଚାତର ଆକୁଳ ଚାହାଣି ତାଙ୍କୁ ଫେରାଇ ନେଇ ପାରିଲା ନାଇଁ । ସେ ଚାଲିଲେ ।

 

ତଥାପି, ନନ୍ଦଙ୍କର ସନ୍ଦେହ ନିମିଷକୁ ବଢ଼ି ବଢ଼ି ଗଲା । ଲୋକେ ନିଶ୍ଚୟ ଜାଣି ପାରିଛନ୍ତି-। ହେଇ, ସେଇକଡ଼ରେ ଯେଉଁ ଦି’ଜଣ ବସିଛନ୍ତି–କାହା ବିଷୟରେ କଥା ହେଉଛନ୍ତି; ନନ୍ଦଙ୍କ ବିଷୟରେ ନା ? ସେମାନଙ୍କୁ ଆଉ କି ବାସୁ ନ ଥିବ ? ଗୋଟାଏ କୁକୁର ବି କାହୁଁ ଆସି ତାଙ୍କ ପିଛା ଧରିଛି । ମନା କଲେ ମନା ମାନୁନି, ହାଙ୍କିଲେ ଫେରୁନି, ଗୋଡ଼େଇଲେ ଯାଉନି । ସୁବିଧା ଦେଖି ଡେଇଁ ପଡ଼ିଲେ ନନ୍ଦଙ୍କର ଶ୍ରମ ମାଟି ହୋଇଯିବ । ସେ ପୂରା ଧରା ପଡ଼ିଯିବେ । ସୁମି ପାଖରେ ଆଉ ଖାଦ୍ୟ ପହଞ୍ଚିପାରିବ ନାହିଁ । ଖଣ୍ଡେ କିଛି କାଢ଼ି ପକାଇଦେଲେ କ’ଣ ସନ୍ତୁଷ୍ଟ ହେବ କୁକୁରଟା-? ଏ ରାମ୍‌, ଜାତିରେ କୁକରଟି । ପଛେ ପଛେ ବେଶି ବେଶି ଲାଗିଥିବ ଆହୁରି ପାଇବା ଆଶାରେ । ନ ଦେଲେ କଜିଆ କରିବ, ଦାନ୍ତ ଦେଖେଇବ । ନ ଜାଣିଲା ଲୋକ ଜାଣିବ । ମାଗିବାକୁ ଆସିବ ହାତ ପତେଇବ ବିକଳରେ କାହାକୁ ମନା କରିବେ ସେ ? ନାଃ.... ନାଃ

 

ଦଶ ପନ୍ଦର ହାତ ଦୂରରେ ତିନି ଚାରିଜଣ ଭେଣ୍ଡା ଟୋକା ବସିଛନ୍ତି । ସେମାନଙ୍କୁ ଅତିକ୍ରମ କରିବାକୁ ହେବ । ତା ଭିତରୁ ଜଣେ ରାମନନ୍ଦଙ୍କୁ କଟମଟ କରି ବାଘ ଆକିରେ ଚାହିଁଚି । ଜାଣିପାରିଲା କି ଆଉ ? ନନ୍ଦେ ଥରିବାକୁ ଆରମ୍ଭ କଲେ । ଗତିର ବେଗ ଏକାବେଳେକେ କମିଗଲା ଯେତେବେଳେ ସେଇ ଟୋକାଟି ସହସା ବସିଲାରୁ ଉଠି ଠିଆ ହେଲା । ବାମେ ନଈ, ଡାହାଣେ ଗାଁ । ଗାଁକୁ ଗଲେ ଗୋଡ଼େଇ ଗୋଡ଼େଇ ଧରିବ । ଅନ୍ୟ ବାଟ ନାହିଁ । ନନ୍ଦଙ୍କ ମୁଣ୍ଡରେ ଶହ ଶହ ଘର୍ମ ବିନ୍ଦୁ ଜାଗି ଉଠିଲେ । ସେ ଠିଆ ହୋଇ ପଡ଼ିଲେ । ସୁମିର ଭୋକିଲା ଆଖି ତାଙ୍କୁ ନିର୍ଦ୍ଦେଶ ଦେଉଥାଏ–ସାହସ ଧର ବାପା, ସାହସ ଧର । ସୁମି ମା କହୁଥାନ୍ତି–ପୁରୁଷପୁଅ ହୋଇ ସମସ୍ୟାକୁ, ଦୁର୍ଦ୍ଦାନ୍ତକୁ ଡରିଲେ ଚଳିବ ନାଇଁ । ତା ହେଲେ ନାରୀର ଅବସ୍ଥା କଣ ହେବ କହିଲ । ସୁମି-ମାଙ୍କର ତାଙ୍କ ଉପରେ ବିଶ୍ୱାସ ଅଛି । ସେ ବୀର, ସଂଗ୍ରାକମ କରିବେ ସିନା ବଶ୍ୟତା ସ୍ୱୀକାର କରିବେ ନାଇଁ ।

 

ଏଥର ଟୋକାଟି ରାମନନ୍ଦଙ୍କ ଆଡ଼କୁ ପାଦ ବଢ଼େଇଲା । ନନ୍ଦଙ୍କର ଦୃଷ୍ଟି ବୃତ୍ତ ଅସ୍ପଷ୍ଟରୁ ଅସସ୍ପଷ୍ଟତର ହୋଇ ଉଠୁଥାଏ । ଯୁବକ ନୁହେଁ, ସେ ଜଣକ ଏକ ଭୀମ । ରାକ୍ଷସ ପରି ଚେହେରା । ବଡ଼ ବଡ଼ ଦାନ୍ତ । ହାତରେ ଗଦା ଧରିଛି । ନନ୍ଦଙ୍କ ନିକଟକୁ ଦାନ୍ତ କଡ଼ମଡ଼ କରି ଖାଇବ ଖାଇବ ବୋଲି ପେଲି ପେଲି ଆସୁଚି । ଅବଶ ହୋଇ ଆସୁଚି ନନ୍ଦଙ୍କର ହାତ ଗୋଡ଼ । ରକ୍ତ ଜମାଟ ବାନ୍ଧି ଆସୁଚି । ଲୋପ ପାଇ ଯାଉଚି ବୁଦ୍ଧିବୃତ୍ତି ଆସ୍ତେ ଆସ୍ତେ । ଗାଁ ଭିତରକୁ ପଶିଗଲେ ବି ରକ୍ଷା ନାହିଁ । ସମସ୍ତ କାଙ୍ଗାଳ ଏକଜୁଟ ହୋଇ ନନ୍ଦଙ୍କ ମାଂସକୁ ବି ଟିକି ଟିକି କରି ଖାଇଯିବେ । ସୁମିର ସମସ୍ତ ଆଶାର କପୋତ ଜାଲାବଦ୍ଧ ହୋଇଯିବ । ଏଇ ଦୁର୍ବୃତ୍ତ ହାତରୁ ନିଜକୁ ରକ୍ଷା କରିବେ । ଯୁବକ ଆଗେଇ ଆସୁଚି । ଆଖି ଦୁଇଟାକୁ ପଦାକୁ କାଢ଼ି, କାଚ ଗୋଟାଳି ପରି ତାର ଆଖି । ଲମ୍ବା ଲମ୍ବା ପାଳ ଦଉଡ଼ି ପରି କଳା କଳା ହାତ ଦୁଇଟା ଲମ୍ବି ଆସୁଚି । ରାମବାବୁଙ୍କ ବେକଟା ସେଇ ଫାଶରେ ପଡ଼ିଯିବ–ପଡ଼ିଯିବ–ପଡ଼ିଯିବ–ଆଉ ଟିକକରେ ପଡ଼ିଯିବ । ତାର ସାଙ୍ଗମାନେ ବି ଉଠିଲେଣି । ପଳାୟନର ପଥ ନାହିଁ । ସୁମିର ଜୀବନ ରକ୍ଷା–ଏଇ ସଇନିଙ୍କ ହାତରୁ ରକ୍ଷା ହେବା ସମ୍ଭବ । ରାମାନନ୍ଦେ ବାହା ଦୁଇଟାର ମାଂସପେଶୀ ଉପରେ ଥରେ ହାତ ବୁଲେଇ ଆଣି–ଲୁଗାଟାକୁ ଭିଡ଼ି ନେଲେ । ଦଉଡ଼ିଲେ ଯୁବକ ଗଣ, ତା ଭିତରୁ ଜଣେ ରାମନନ୍ଦଙ୍କ ଉପରକୁ ଲମ୍ଫ ଦେବାର ଉପକ୍ରମ କରୁଥିଲା । କିନ୍ତୁ ତା ପୂର୍ବରୁ ନନ୍ଦେ ଲମ୍ଫ ଦେଲେ ବୈତରଣୀ ନଈ ଭିତରକୁ । ସେ ପଥ ଅତି ପରିଷ୍କାର । ଭୋକିଲା ମଣିଷର ଫାଶ ସେଠି ଲୁଚି ଲୁଚି ଶିକାର ଖୋଜୁ ନାହିଁ । ସଙ୍ଗେ ସଙ୍ଗେ.... ‘ଧୁସ୍‌’ କରି ଏକ ଶବ୍ଦ ହେଲା । କଳ କଳ କରି ଉଠିଲା ଭଉଁରୀ । ଟିକିଏ ଶ୍ରମ ସ୍ୱୀକାର କଲେ ନନ୍ଦେ ନଈରେ ନଈଏ ଯାଇଁ ଘାଟରେ ପହଞ୍ଚିବେ ବୋଲି ବିଶ୍ୱାସ । ଯେଉଁଠୁ ସେ ଅକ୍ଳେଶରେ ଶଙ୍କରା ଢିଅ କୁଦ ପାଖକୁ ଯାଇ ପାରିବେ । ବନ୍ଧ ଉପରର ଜନତା ଚାହିଁଥାନ୍ତି । କୌଣସି ମୁଣ୍ଡ ଦେଖାଯାଉ ନଥାଏ । ନଈ ବି ବୁଭୁକ୍ଷୁ ବୋଲି ନନ୍ଦଙ୍କର ଧାରଣା ନାହିଁ । ତାହାରି ଫାଶ ଯେ ଆହୁରି ଭୟଙ୍କର ।

 

(୨୯)

 

ସୁମି ହାତ ବୁଲେଇ ଆଣିଲା ବେଳେ ସୁମି-ମାଙ୍କ କପାଳରୁ ସିନ୍ଦୂରଗୁଡ଼ାକ ଲିଭିଗଲା । ଇସ୍‌–କଣ କଲା ଏ ଝିଅଟା !!

 

–‘ମା ଭୋକ ।’

 

–‘ମୋତେ ଖା ।’

 

ସିନ୍ଦୂର ତ ଗଲା ତାରି ହାତ ବାଜି । ଆଉ କଣ ଅଛି ?

 

ସୁମି ଡ଼ାକିଲା–‘ମା, ବାପା ଫେରିବେ ନାହିଁ କି–ଫେରିବେ କି ନ ଫେରିବେ ମୁଁ ଜାଣି ନାହିଁ, ଯାଃ । ତୁ ଜାଣିଥିବୁ, ନଇଲେ ତୋ ବାପା ଜାଣି ଥିବେ ।’ ସୁମି-ମା ରାଗରେ ହାତ ଛିଞ୍ଚାଡ଼ି ଦେଲେ । ହାତର କାଚ ମୁଠାଟା ପିଟି ହୋଇଗଲା ସୁମି ମୁଣ୍ଡରେ । ଝଣ୍‌ କରି ଖସି ପଡ଼ିଲା ପଟେ । ସୁମି ମୁଣ୍ଡରେ ଦାଗ ବସିଗଲା । ମା’ ପାଖରୁ ଅନ୍ୟ ଦିଗକୁ ମୁଖ ବୁଲେଇ ସୁମି କାନ୍ଦିଲା । ଅତି ଶୁଷ୍ମ ସେ କାନ୍ଦଣା । ଲୁହ ବଦଳରେ ସୁମି-ମା’ର ଛାତିରୁ ଥପ ଥପ କରି ଝରିଲା ଲହୁ । ମା’ ମନ କି କେବେ ବୁଝେ । ସେ କୋଳକୁ ଟାଣି ଆଣିଲେ ସୁମିକୁ । ‘କାନ୍ଦ୍‌ ନା, ମା କାନ୍ଦ୍‌ ନା–ମୋ ରାଣୀଟା ପରା । ଆଉ ଟିକିଏ ଅପେକ୍ଷା କର । ବାପା, ତୋର ଏଇ ଆସିଲା ଭଳି ।’ ସୁମିର ଅଲରାବାଳ କେରାକ ଉପରେ ହାତ ସାଉଁଳେଇ ସାଉଁଳେଇ ସୁମି-ମା ଏକରକମର କାନ୍ଦି ପକେଇଲେ ।

 

ଟୁନୀ ନାଲୁମିଶ୍ରଙ୍କୁ କହିଲା–ବାପା ସୁମି କାନ୍ଦୁଚି । ଟୁନୀର ମନ ହେଉଥାଏ ଯାଇଁ ତୁନି କରିବାକୁ । କିନ୍ତୁ ସୁମି କଣ ସତେରେ ତୁନି ହେବ ।

 

ନାଲୁମିଶ୍ରେ କହିଲେ–ସତେ, କୁଆଡ଼େ ଗଲା ଏଇ ରାମ ?

 

–ମା ଭୋକ

 

–ମୋତେ ଖା ।

Image